ହୀରାକୁଦ ନଦୀବନ୍ଧ ଅତିରିକ୍ତ ସ୍ପିଲ୍‌ୱେ , ୩୩୭ ବିସ୍ଥାପିତଙ୍କୁ ମିଳିବ ୧୨ କୋଟି: କର୍ତ୍ତୃପକ୍ଷ

ସମ୍ବଲପୁର : କ୍ଷତିପୂରଣ ମିଳୁନି, ବ୍ଲାଷ୍ଟିଂ ବଢ଼ାଉଛି ଚିନ୍ତା। ହୀରାକୁଦ ନଦୀବନ୍ଧ ଅତିରିକ୍ତ ସ୍ପିଲୱେ ନିର୍ମାଣ ପ୍ରକ୍ରିୟା ଆରମ୍ଭ ନେଇ ଏହି ଅଭିଯୋଗ କରିଛନ୍ତି କେବୁଲ କଲୋନି, ରୋଲିଂ ମିଲ ଏବଂ ପ୍ରେମ ନଗରର ଅଧିବାସୀ। ଅନ୍ୟଦିଗରେ ଅତିରିକ୍ତ ସ୍ପିଲୱେର ୩୩୭ ବିସ୍ଥାପିତଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରାୟ ୧୨ କୋଟି ଟଙ୍କା ଆସିଯାଇଛି। ଏହାର ବଣ୍ଟନ ପାଇଁ ଦସ୍ତାବିଜ ଯାଞ୍ଚ କରାଯାଉଛି। ୧୫ ଦିନ ମଧ୍ୟରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ସ୍ପିଲୱେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଧନଞ୍ଜୟ କିଷାନ।

୮ ମାସ ହେଲା ଦୁର୍ଦଶାରେ ଜୀବନ ବିତାଉଛନ୍ତି ହୀରାକୁଦ ୩ କଲୋନିର ପ୍ରାୟ ୭୦ ପରିବାର। ଜୁଲାଇ ମାସ ଅତିକ୍ରାନ୍ତ ହେବାକୁ ଯାଉଥିବାବେଳେ କ୍ଷତିପୂରଣ ବାବଦରେ ଟଙ୍କାଟିଏ ମଧ୍ୟ ମିଳିନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ ଦିଲ୍ଲୀପ ସିଂ। ସେ କହିଛନ୍ତି, ଏହି ସ୍ଥାନରେ ଥିବା ସମସ୍ତ ଗଛ କାଟି ଦିଆଯାଇଛି, ରାତି-ଦିନର ସାଇରନ, ବ୍ଲାଷ୍ଟିଂରେ ରହିବା କଷ୍ଟକର ହୋଇ ପଡ଼ିଛି। ସେଥିରେ ପୁଣି ଅଧିକାଂଶ ସମୟରେ ଭାରିଯାନ ଯାତାୟତ କରୁଛି।

ଅତିରିକ୍ତ ସ୍ପିଲୱେ ନିର୍ମାଣ ଲାଗି ପ୍ରୋଜେକ୍ଟ କନସଲଟେନ୍ସି ପକ୍ଷରୁ ଡିପିଆର୍‌ ପଠାଯାଇଛି। ଏହାର ଅନୁମୋଦନ ପରେ ଫାଇନାନସିଆଲ ବିଡ୍‌ ଖୋଲାଯିବ। ଏହାପରେ କନସଲଟେନ୍ସି ପକ୍ଷରୁ ଡିଜାଇନ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ନଦୀବନ୍ଧର ବନ୍ୟା ଜଳ ନିଷ୍କାସନ କ୍ଷମତା ବୃଦ୍ଧି ଲକ୍ଷ୍ୟ ନେଇ ୫ଟି ଅତିରିକ୍ତ ସ୍ପିଲୱେ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏ ନେଇ ବିଶ୍ବବ୍ୟାଙ୍କ ଅନୁଦାନ ଦେଇଛି। ୨୦୨୧ ମସିହା ମାର୍ଚ ସୁଦ୍ଧା ଏହାର ନିର୍ମାଣ ସମାପ୍ତ ପାଇଁ ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର