୩ ହଜାର ବାର୍ହାଙ୍କୁ ମରାଯିବ!, ସରକାରଙ୍କ ଅନୁମତି ଅପେକ୍ଷାରେ ବନ ବିଭାଗ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ପାଖାପାଖି ୩୦୦୦ ବାର୍ହାଙ୍କୁ ମାରିବା ପାଇଁ ପ୍ରସ୍ତୁତ ହୋଇସାରିଛି ବନବିଭାଗ। ଗତ ୨୦୧୭ ମସିହା ଅଗଷ୍ଟ ମାସରେ ବନବିଭାଗ ଏଥିପାଇଁ ରାଜ୍ୟ ସରକାରଙ୍କ ବନ୍ୟପ୍ରାଣୀ ବିଭାଗଠାରୁ ଅନୁମତି ଲୋଡ଼ିଥିଲା। ଇତିମଧ୍ୟରେ ୨ ବର୍ଷ ବିତିଯିବାକୁ ବସିଲାଣି। ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ। ଗୋଟିଏ ପଟେ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିବାବେଳେ ଅନ୍ୟପଟେ ଫସଲ ନଷ୍ଟ ଜନିତ ଚାଷୀଙ୍କ ଚାପକୁ ନେଇ ଚିନ୍ତାରେ ରହିଛି ବନବିଭାଗ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ବ୍ରହ୍ମପୁର ବନମଣ୍ଡଳର ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ପାତ୍ରପୁର, ଦିଗପହଣ୍ଡି, ଗଞ୍ଜାମ, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ବେଗୁନିଆପଡା ବ୍ଲକ ଅଞ୍ଚଳରେ ବାର୍ହା ଉତ୍ପାତ ଚଳାଇ ଆସୁଛନ୍ତି। ବାର୍ହା ବର୍ଷ ତମାମ ଖରିଫ ଧାନ ଓ ରବି ଫସଲ ସହ ପନିପରିବା ଫସଲ ବ୍ୟାପକ ନଷ୍ଟ କରି ଚାଲିଛନ୍ତି। ବାର୍ହା ଘଉଡ଼ାଇବାକୁ ଚାଷୀଙ୍କୁ ଜମିରେ ଜଗିବାକୁ ପଡୁଛି। ଅନେକ ଅଞ୍ଚଳରେ ବାର୍ହା ମାରିବାକୁ ବେଆଇନ ଭାବେ ରାତିରେ ବିଦ୍ୟୁତ ତାର ଖଞ୍ଜାଯାଉଛି, ଯେଉଁଥିପାଇଁ ବହୁ ସମୟରେ ଅଘଟଣ ଘଟୁଛି। ଫସଲ ଓ ଧନଜୀବନ ହାନି କ୍ଷେତ୍ରରେ ବାର୍ଷିକ କ୍ଷତିପୂରଣ ବାବଦ ହରାହାରି ୧୫ରୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରୁଛି ବନ ବିଭାଗ।
ଗତ କିଛି ବର୍ଷ ଧରି ଜିଲ୍ଲାରେ ବାର୍ହା ବଂଶ ବୃଦ୍ଧି ସହ ଉପଦ୍ରବ ବଢ଼ି ଚାଲିଛି। କ୍ରମାଗତ ଏଭଳି ସ୍ଥିତି ଉପୁଜିବା ପରେ ବ୍ରହ୍ମପୁର ବନମଣ୍ଡଳ ପକ୍ଷରୁ ଏକ ସର୍ଭେ କରା ଯାଇଥିଲା। ଉପଦ୍ରୁତ ଅଞ୍ଚଳରେ ବାର୍ହା ସଂଖ୍ୟା ଆକଳନ କରାଗଲା। ୨୦୧୭ ଅଗଷ୍ଟରେ ବ୍ରହ୍ମପୁର ଡିଏଫ୍ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଚିଠି ଲେଖି ବାର୍ହାଙ୍କୁ ଭର୍ମିଂ ଘୋଷଣା ପାଇଁ ଅନୁମତି ଲୋଡ଼ିଥିଲେ।
ବ୍ରହ୍ମପୁର ବନମଣ୍ଡଳର ବିଭିନ୍ନ ଇଲାକାରେ ୨୯୩୦ ବାର୍ହା ଉପଦ୍ରବ ଚଳାଇଥିବା ତଥ୍ୟ ଦିଆ ଯାଇ ଏଗୁଡ଼ିକର ଭର୍ମିଂ (ମାରିବା ପାଇଁ) ଆବେଦନ କରାଯାଇଥିଲା। ତେବେ, ଭର୍ମିଂ ପ୍ରସ୍ତାବ ରାଜ୍ୟ ରାଜ୍ୟ ବନ୍ୟପ୍ରାଣୀ ବିଭାଗର ବିଚାରାଧୀନ ରହିଛି।
କିନ୍ତୁ ଦୁଇ ବର୍ଷ ବିତିଗଲା, ଅନୁମତି ମିଳିନାହିଁ। ଅନ୍ୟପକ୍ଷରେ ଖରିଫ ଚାଷ କାମ ଆରମ୍ଭ ହୋଇଥିବା ବେଳେ ବାର୍ହା ଉପଦ୍ରବକୁ ନେଇ ଏବେ ଚାଷୀ ଓ ଜଙ୍ଗଲ ବିଭାଗ ଚିନ୍ତାରେ ରହିଛନ୍ତି।
ତେବେ, ଏଥିପାଇଁ ଅନୁମତି ମିଳିବ କି ନାହିଁ କିମ୍ବା ମିଳିଲେ କେବେ ମିଳିବ- ତାହା ସ୍ପଷ୍ଟ ହୋଇନାହିଁ।