‘ବ୍ୟକ୍ତି ବଦଳିଲେ ରାଷ୍ଟ୍ର ବଦଳିବ’: କଟକ ବ୍ରହ୍ମକୁମାରିଜ୍‌ର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ରାଷ୍ଟ୍ରପତି

କଟକ: ରାଜ‌ଯୋଗ ଅଭ୍ୟାସ ଦ୍ବାରା ମାନସିକ ଶାନ୍ତି ସହିତ ଶାରୀରିକ ଶକ୍ତି ମିଳିଥାଏ। ସବୁ କାର୍ଯ୍ୟ ପାଇଁ ଶାନ୍ତି ଅତ୍ୟନ୍ତ ଆବଶ୍ୟକ। ଶାନ୍ତି ବିନା ପ୍ରଗତି ଅସମ୍ଭବ। ପ୍ରଜାପିତା ବ୍ରହ୍ମାକୁମାରିଜ୍ କଟକର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଥିଲେ ଯେ ମନକୁ ପରିବର୍ତ୍ତନ କର, ଆତ୍ମାକୁ ପରିବର୍ତ୍ତନ କର। ନିଜେ ପରିବର୍ତ୍ତିତ ହୁଅ। ବ୍ୟକ୍ତି ବଦଳିଲେ, ବିଶ୍ବ ବଦଳିବ। ଏଥିପାଇଁ ପ୍ରତିଦିନ ଯୋଗର ଅଭ୍ୟାସ ଦରକାର। ‌ଯୋଗ ବ୍ୟକ୍ତିକୁ ସଂଯମ ଓ ଧୈର୍ଯ୍ୟବାନ କରିଥାଏ। ଓଡ଼ିଶାର କଟକରେ ଆରମ୍ଭ ହୋଇଥିବା ବ୍ରହ୍ମାକୁମାରିଜ୍ ସଂସ୍ଥାର ଇତିବୃତ୍ତି ସଂପର୍କରେ ସେ କହିଥିଲେ, ୫୦ବର୍ଷ ତଳେ ୧୯୭୩ ମସିହା ଅଗଷ୍ଟ ୧୯ରେ କଟକରେ ଆରମ୍ଭ ହୋଇଥିବା ପ୍ରଜାପିତା ବ୍ରହ୍ମାକୁମାରିଜ୍ ସଂସ୍ଥା ଏବେ ମହାଦ୍ରୁମ ପାଲଟିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେଶ୍ ଦିଦିଙ୍କ ନେତୃତ୍ବରେ ଭଉଣୀମାନେ ନିଷ୍ଠାପର ଉଦ୍ୟମ କରି ଓଡ଼ିଶାରେ ଅନେକ ଶାଖା ଖୋଲି ରାଜ୍ୟର ଆଧ୍ୟାତ୍ମିକ ବିକାଶରେ ପ୍ରମୁଖ ଭୂମିକା

ନିର୍ବାହ କରିଆସୁଛନ୍ତି। ସେବା, ସମର୍ପଣ ଓ ସଦ୍‌ଭାବନା ଦ୍ବାରା ବ୍ରହ୍ମାକୁମାରୀ ଭଉଣୀମାନେ ନିଜକୁ ପରିବର୍ତ୍ତନ କରିବା ସହିତ ସମାଜର ନୈତିକ ଓ ଆଧ୍ୟାତ୍ମିକ ପରିବର୍ତ୍ତନର ଆଧାର ସାଜିଛନ୍ତି। ଶୃଙ୍ଖଳା, ସାଧନା ଓ ସମର୍ପିତ ସେବା ବଳରେ ବ୍ରହ୍ମାକୁମାରୀ ଭାଇ, ଭଉଣୀମାନେ ପରିବର୍ତ୍ତନର ବାହକ ସାଜିବାକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପରାମର୍ଶ ଦେଇଥିଲେ। ପ୍ରଜାପିତା ବ୍ରହ୍ମାକୁମାରିଜ କଟକ ସବଜୋନ୍ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ କମଲେଶ୍ ଦିଦିଙ୍କ ପୌରୋହିତ୍ୟରେ ଆୟୋଜିତ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ରଘୁବର ଦାସ, କୃ‌ଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମହିଳା ଶାଖା ଅଧ୍ୟକ୍ଷା ରାଜଯୋଗିନୀ ବ୍ରହ୍ମାକୁମାରୀ ଚକ୍ରଧାରୀ ଦିଦି, ମାଉଣ୍ଟ ଆବୁର ଶିକ୍ଷା ପ୍ରଭାଗ ଅଧ୍ୟକ୍ଷା ରାଜଯୋଗିନୀ ସିଲୁ ଦିଦି, ପୁରୀ ସବଜୋନ୍ ନିର୍ଦ୍ଦେଶିକା ରାଜଯୋଗିନୀ ନିରୂପମା ଦିଦି ପ୍ରମୁଖ ବକ୍ତବ୍ୟ ରଖିଥିଲେ।

କଟକ ‌ସବଜୋନ୍ ସହ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମକୁମାରୀ ସୁଲୋଚନା ଦିଦି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଣମାଧ୍ୟମ ପ୍ରଭାଗ ମୁଖ୍ୟ ରାଜଯୋଗୀ ବ୍ରହ୍ମାକୁମାର ନାଥମଲ ଭାଇ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ବାରା ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସ୍ମରଣିକା ଉନ୍ମୋଚନ ହୋଇଥିଲା। ଅନୁଷ୍ଠାନର ଏହି ସମାରୋହ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର