୧୦ ବର୍ଷ ବିତିଲା, ସରୁନି ଦ୍ବିତୀୟ ବ୍ରାହ୍ମଣୀ ସେତୁ: ଠିକାଦାରଙ୍କୁ ମେ’ ଯାଏ ସମୟ, ନଚେତ୍‌ ବିଦା

ସେତୁ ନିର୍ମାଣରେ ଦୁଇଟି ବାଧା, ନଦୀର ଜଳସ୍ରୋତ, ମାନବ ସମ୍ବଳର ଅଭାବ

ଅନୁଗୁଳ : ବ୍ରାହ୍ମଣୀ ନଦୀରେ ଦ୍ବିତୀୟ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ। ମନ୍ଥର ଗତିରେ ଚାଲିଛି କାମ। ଗଡ଼ୁଛି ଡେଡ୍‌ଲାଇନ୍‌ ପରେ ଡେଡ୍‌ଲାଇନ୍‌। କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଶୁଭ ପଡ଼ିଥିବା ଏ ପ୍ରକଳ୍ପର କାମ ନିକଟ ଅତୀତରେ ଶେଷ ହେଲାଭଳି ଲାଗୁ ନାହିଁ। ଯାହାକୁ ନେଇ ବିଭାଗ ଅସନ୍ତୋଷ ପ୍ରକାଶ କରିଛି। ଠିକାଦାରକୁ ଏ ନେଇ ଚେତାବନୀ ଦିଆଯାଇଛି। ଆସନ୍ତା ମେ ମାସ ସୁଦ୍ଧା ବାକି କାମ ସାର, ନଚେତ୍‌ ପ୍ରକଳ୍ପ ହାତଛଡ଼ା ହେବ ବୋଲି ରୋକ୍‌ଠୋକ୍‌ କୁହାଯାଇଛି। ବିଭାଗର ଏ ପ୍ରକାର କଡ଼ା ନିର୍ଦ୍ଦେଶନାମା ଗଲା ଦଶନ୍ଧି ହେଲା କଚ୍ଛପ ଗତିରେ ଚାଲିଥିବା ପ୍ରାୟ ୫୦ କୋଟି ଟଙ୍କାର ପ୍ରକଳ୍ପ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସରିବାର ନୂଆ ଆଶା ସଞ୍ଚାର ହୋଇଛି।

ସୂଚନା ମୁତାବକ, ବ୍ରାହ୍ମଣୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ହେଲେ କେବଳ କଣିହାଁ ବ୍ଲକ୍‌ ନୁହେଁ, ଛେଣ୍ଡିପଦାଠାରୁ ଆରମ୍ଭ କରି ପାଳଲହଡ଼ା ବ୍ଲକ୍‌ବାସୀ ଉପକୃତ ହେବେ ବୋଲି ଆଶା ବାନ୍ଧିଛନ୍ତି। ଏ ଆଶା ବିଭିନ୍ନ ଉତ୍‌ଥାନ ଏବଂ ପତନ ଦେଇ ଗତି କରିଛି। ୨୦୧୩ ମସିହାରେ ଏ ପ୍ରକଳ୍ପର ଶିଳାନ୍ୟାସ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ହାତରେ ହୋଇଥିଲା। ସେତେବେଳେ ମାତ୍ର ତିନି ବର୍ଷରେ ତାହା ପୂର୍ଣ୍ଣାଙ୍ଗ ରୂପ ନେବ ବୋଲି ସରକାରୀ ଭାବେ ଆଶା ଦେଖାଇ ଦିଆଯାଇଥିଲା। ପ୍ରକଳ୍ପର ଟେଣ୍ଡର ହେଲା। କିନ୍ତୁ, ଜମି ସମସ୍ୟା ପାଇଁ କାମ ଆଗେଇ ପାରିଲା ନାହିଁ। ପ୍ରଶାସନ ଜାଗା ସମସ୍ୟାର ସମାଧାନ କଲା ବେଳକୁ ପ୍ରଥମ ଡେଡ୍‌ଲାଇନ୍‌ ଗଡ଼ିଗଲା।

୨୦୧୮ମସିହାରେ ଦ୍ବିତୀୟ ଥର ପାଇଁ ଟେଣ୍ଡର୍‌ ଆହ୍ବାନ କରାଗଲା। ବ୍ରିଜେଶ ଅଗ୍ରୱାଲା ନାମକ ଜଣେ ଠିକାଦାର ଏ ପ୍ରକଳ୍ପ କରିବାର ଦାୟିତ୍ବ ମୁଣ୍ଡାଇଲେ। ସେତେବେଳେ ତାଙ୍କୁ ବି ଦୁଇବର୍ଷର ସମୟ ଦିଆଯାଇଥିଲା। ଦ୍ବିତୀୟ ସୀମା ବି ପାର୍‌ ହୋଇଗଲାଣି। ବ୍ରାହ୍ମଣୀ ନଦୀର ଏପାଖ ଓ ସେପାଖରୁ ସେତୁର କିଛି କିଛି କାମ ହୋଇଛି। କିନ୍ତୁ, ମଝି ଅଂଶ ବାକି ପଡ଼ିଛି। ଏ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ରୂପ ନେଇ ପାରୁନାହିଁ। ସେତୁର ମଝି ଅଂଶ ନ ହୋଇ ପାରିବାର ଦୁଇ କାରଣ ରହିଛି। ପ୍ରଥମତଃ ଏ ସେତୁଠାରୁ ମାତ୍ର କେଇ କିଲୋମିଟର ଉପରେ ରେଙ୍ଗାଳି ନଦୀବନ୍ଧ କରାଯାଇଛି। ନଦୀର ତଳଅଂଶକୁ ରେଙ୍ଗାଳି ରୀତିମତ ଜଳ ନିଷ୍କାସନ କରୁଛି। ପାଣି କିଛିଟା ନ ଛାଡ଼ିଲେ ନଦୀର ତଳଅଂଶ ଶୁଖିଲା ରହିବ। ନଦୀର ତଳ ଅବବାହିକା ଉପରେ କୃଷିଠୁ ଆରମ୍ଭ କରି ଶିଳ୍ପଯାଏ ବହୁ ଅନୁଷ୍ଠାନ ନିର୍ଭରଶୀଳ। ନଦୀର ଜଳାଧାର ନ ଶୁଖିଲେ ସେତୁର ମଝି ଅଂଶ ନିର୍ମାଣ ହୋଇ ପାରିବ ନାହିଁ। ତାହା ହିଁ ବିଳମ୍ବର ମୂଳ କାରଣ ବୋଲି କୁହାଯାଉଛି।

ଦ୍ବିତୀୟ କାରଣ ହେଲା, ନଦୀରେ ଜଳସ୍ରୋତ ଜାରି ରହିଲେ ବି ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ଏବଂ ଉପଯୁକ୍ତ ମାନବ ସମ୍ବଳ ନେଇ କାମ ଆଗେଇ ନିଆଯାଇ ପାରିବ। କିନ୍ତୁ, ବ୍ରାହ୍ମଣୀ ଦ୍ବିତୀୟ ସେତୁରେ ସେ କୌଶଳର ଉପଯୋଗ କରାଯାଉ ନାହିଁ। ଯଦି ବର୍ତ୍ତମାନ ପର୍ଯ୍ୟନ୍ତ ୬୦ପ୍ରତିଶତ କାମ ସରି ସାରିଲାଣି, ତଥାପି ପର୍ଯ୍ୟାପ୍ତ ମାନବ ସମ୍ବଳ ଉପଯୋଗ ନ କରିବାରୁ କାମ ବେଶି ଆଗେଇ ପାରୁନାହିଁ। ଠିକାଦାର କାମକୁ ମନ୍ଥର ଗତିରେ କରୁଛନ୍ତି। ତେଣୁ, ଠିକାଦାରଙ୍କୁ ତାଗିଦା କରାଯାଇଛି। ଆସନ୍ତା ମେ ମାସର ଡେଡ୍‌ଲାଇନ୍‌ ଦିଆଯାଇଛି। ତା ମଧ୍ୟରେ ଠିକାଦାର କାମ ନ ସାରିଲେ, ତାଙ୍କୁ ବିଦା କରାଯାଇ ନୂଆ ଠିକାଦାରଙ୍କୁ ଦାୟିତ୍ବ ଦିଆଯିବ ବୋଲି ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପ୍ରତାପ ହରିପାଲ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର