ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏନଇପି ୨୦୨୦ ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସେମିନାର ଉଦଯାପିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ‘ଏନଇପି-୨୦୨୦ ମାଧ୍ୟମରେ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ରୂପାନ୍ତର: ବହୁଭାଷୀ ଏବଂ ବହୁଶୃଙ୍ଖଳାସଂସ୍କୃତି ଅଫ୍ ଏଜୁକେସନ୍’ ଶୀର୍ଷକ ଅନ୍ତର୍ଜାତୀୟ ଆଲୋଚନାଚକ୍ର ଡିସେମ୍ବର ୩ରେ ଉଦଯାପିତ ହୋଇଯାଇଛି। ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଙ୍ଘ ସହଯୋଗରେ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗ ଆନୁକୁଲ୍ଯରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍, ପଣ୍ଡିତ ଓ ବିଶେଷଜ୍ଞମାନେ ଏକାଠି ହୋଇ ଭାରତର ସାଂସ୍କୃତିକ ଓ ଶୈକ୍ଷିକ ଦୃଶ୍ୟପଟ ଉପରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ଗଭୀର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଉଦ୍ ଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ସେ ପ୍ରକୃତ ଶିକ୍ଷାର ସାର ଭାବରେ ଭାରତୀୟ ପାରମ୍ପରିକ ବ୍ୟବସ୍ଥାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏନଇପି ୨୦୨୦ କାର୍ଯ୍ୟକାରୀ କରିବାରେ ଶିକ୍ଷକ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନେତୃତ୍ବ ଗୁଣ ବିକଶିତ କରିବା ହେଉଛି ଶିକ୍ଷାର ଉଦ୍ଦେଶ୍ୟ ବୋଲି ସେ ମତ ବ୍ୟକ୍ତ କରିଥିଲେ।

ଦ୍ବିତୀୟ ଦିନରେ ବିଶିଷ୍ଟ ପ୍ୟାନେଲିଷ୍ଟମାନେ  ଏନଇପି-୨୦୨୦ ମାଧ୍ୟମରେ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ରୂପାନ୍ତର ନେଇ ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ । ସେଣ୍ଟ ଫ୍ରାନ୍ସିସ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀମଣି ଚକ୍ରବର୍ତ୍ତୀ ଭାରତୀୟ ଜ୍ଞାନ ବ୍ୟବସ୍ଥାରେ ସାଂସ୍କୃତିକ ପ୍ରାସଙ୍ଗିକ ଶବ୍ଦକୋଷର ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ। ଆରଆଇଇ (ଏନସିଇଆରଟି)ର ଅଧ୍ୟକ୍ଷ ପ୍ରଫେସର ପିସି ଅଗ୍ରୱାଲ ଶିକ୍ଷାର ଏକ ଅବିଚ୍ଛେଦ୍ୟ ଦିଗ ଭାବରେ ନିରନ୍ତର ବିକାଶ ଉପରେ ଗୁରୁତ୍ୱାରୋପ କରି ଦେଶର ମୂଲ୍ୟବୋଧକୁ ଗଢିତୋଳିବା ପାଇଁ ଭିତ୍ତିଭୂମି ଭାବରେ ବିଦ୍ୟାଳୟ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ୍ ଫୈଜଲ କରିମି ଆଫଗାନିସ୍ତାନରେ ତାଲିବାନ ଶାସନ ଅଧୀନରେ ଶିକ୍ଷା ପ୍ରତି ଥିବା ବିପଦ ବିଷୟରେ ଆଲୋଚନା କରିବା ସହ ଝିଅ ଓ ମହିଳାଙ୍କ ଉପରେ ଏହାର ପ୍ରଭାବ କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ସେ ସ୍ଥିରତା ଏବଂ ସକାରାତ୍ମକ ପରିବର୍ତ୍ତନ ବିଷୟରେ ମଧ୍ୟ କହିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ମନର ଡିଜିଟାଇଜେସନ୍ ଏବଂ ହୃଦୟର ମାନବୀକରଣ ଉପରେ ଗୁରୁତ୍ୱାରୋପ କରି ମୌଳାନା ଅଜାଦ ଜାତୀୟ ଉର୍ଦୁ ବିଶ୍ବବିଦ୍ୟାଳୟର ପ୍ରଫେସର ଆଡାମ ପଲ୍ ପାଟେଟି ସଫ୍ଟ ସ୍କିଲର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ ।

ରାଜୀବ ଗାନ୍ଧୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ଏଚ୍ଓଡି ପ୍ରଫେସର ପ୍ରଶାନ୍ତ କୁମାର ଆଚାର୍ଯ୍ୟ ଭାରତୀୟ ଜ୍ଞାନ ପରମ୍ପରାର ପ୍ରଚାର ପ୍ରସାରରେ ବେଦାନ୍ତ, ଯୋଗ, ନ୍ୟାୟ, ମିମ୍ସା, ଆୟୁର୍ବେଦ ଏବଂ ଭାରତୀୟ ଦର୍ଶନର ଅନ୍ୟାନ୍ୟ ଦିଗଉପରେ ଆଲୋକପାତ କରିଥିଲେ। ୨୦୨୫ ସୁଦ୍ଧା ବହୁ ଛାତ୍ରଛାତ୍ରୀ ଧନ୍ଦାମୂଳକ ଶିକ୍ଷା ପାଇବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଶିକ୍ଷାକ୍ଷେତ୍ରରେ ନୈତିକ ମୂଲ୍ୟବୋଧର ମୂଳ ଭୂମିକା ଉପରେ ଗୁରୁତ୍ୱ ାରୋପ କରି ଭାରତୀୟ ସଂସ୍କୃତି ଓ ଦର୍ଶନ ଉପରେ ଅଧିକ ଗବେଷଣା କରିବାକୁ ଆହ୍ୱାନ ଦେଇଥିଲେ। ବିଶ୍ୱ ଭାଇଚାରାରେ ଭାରତର ଅବଦାନକୁ ସେ ପ୍ରଶଂସା କରିଥିଲେ ।

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆଦିବାସୀ ଅଧ୍ୟୟନ ପାଇଁ ରାଜୀବ ଗାନ୍ଧୀ ଚେୟାର ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ବରିଷ୍ଠ ପ୍ରଫେସର ପ୍ରଫେସର ପି ସି ପଟ୍ଟନାୟକ ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ଉପରେ ଆଲୋଚନା କରିବା ସହ ଜ୍ଞାନ ପ୍ରଣାଳୀ ପ୍ରତି ଆନ୍ତଃବିଭାଗୀୟ ଆଭିମୁଖ୍ୟ ପାଇଁ ପରାମର୍ଶ ଦେଇଥିଲେ। ଏନଜିବିଟି କଲେଜର ଅଧ୍ୟକ୍ଷା ଡ. କଲ୍ୟାଣୀ ସାହୁ ରବୀନ୍ଦ୍ରନାଥ ଟାଗୋରଙ୍କ ସମାବେଶୀ ଶିକ୍ଷା ଦର୍ଶନକୁ ପ୍ରତିଫଳିତ କରି ପର୍ବପର୍ବାଣୀକୁ ଏକ ସାଂସ୍କୃତିକ ଏକତା ଶକ୍ତି ଓ ପରିଚୟର ପ୍ରତୀକ ବୋଲି ଆଲୋକପାତ କରିଥିଲେ। ଦିନତମାମ ଶିକ୍ଷା ସମ୍ବନ୍ଧୀୟ ଏକାଡେମିକ ପେପର ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ଆଲୋଚନାର ଗଭୀରତା ଓ ବ୍ୟାପକତାକୁ ଦର୍ଶାଯାଇଥିଲା ।

ସିୟୁଓର ଶିକ୍ଷା ବିଭାଗର ଏଚ୍ଓଡି ଡ. ରାମେନ୍ଦ୍ର କୁମାର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଏଚ୍ ଓଡି ଆଇ/ସି ଡ. ସୌରଭ ଗୁପ୍ତା କାର୍ଯ୍ୟକ୍ରମର ସଂଯୋଜକ ଭାବେ କାର୍ଯ୍ୟ କରିଥିଲେ। ଏବିଆର୍ଏସ୍ଏମ୍ ପକ୍ଷରୁ ନୀଳୁରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସେମିନାରରେ ବୈଧାନିକ ଅଧିକାରୀ, ଅଧ୍ୟାପକ, ଭାରତ ତଥା ବିଦେଶର ବିଭିନ୍ନ ଅନୁଷ୍ଠାନର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ବିଶ୍ୱବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର