ମୟୂରଭଞ୍ଜରେ ଜେଏମ୍‌ଏମ୍‌ର ହାଇଭୋଲ୍‌ଟେଜ୍‌ ପ୍ରଚାର: ନଣନ୍ଦ ଅଞ୍ଜନୀଙ୍କ ପାଇଁ ଭୋଟ୍‌ ମାଗିଲେ ଭାଉଜ କଳ୍ପନା

ସରକାରଙ୍କୁ ଟାର୍ଗେଟ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ

ରାଇରଙ୍ଗପୁର: ମୟୂରଭଞ୍ଜରେ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କ ସମର୍ଥନରେ ମଇଦାନକୁ ଓହ୍ଲାଇଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ ଓ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। ଉଭୟ ଆଜି ହେଲିକପ୍ଟର୍‌ ଯୋଗେ ରାଇରଙ୍ଗପୁର ମହୁଲଡିହା ଖେଳପଡ଼ିଆରେ ଓହ୍ଲାଇଥିଲେ। ଦଳ ତରଫରୁ ହଜାର ହଜାର କର୍ମୀ ସେମାନଙ୍କୁ ସ୍ବାଗତ କରି ପ୍ରଚାର ସମାବେଶ ଯାଏ ଶୋଭାଯାତ୍ରାରେ ନେଇଥିଲେ।

ସେଠାରେ ଦଳ ପାଇଁ ଭୋଟ୍‌ ମାଗି ମୁଖ୍ୟମନ୍ତ୍ରୀ ଚାମ୍ପାଇ ସୋରେନ କହିଲେ, ଜେଏମ୍‌ଏମ୍‌ ସବୁବେଳେ ଦଳିତ, ପଛୁଆ, ଖଟିଖିଆ, ମେହନତି, ଶ୍ରମିକ, କୃଷକ, ଯୁବ ଓ ଛାତ୍ରଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇଛି। ଜଳ, ଜଙ୍ଗଲ ଓ ଜମି ଉପରେ ଆଦିବାସୀଙ୍କ ଅଧିକାର ନିଶ୍ଚିତ କରିବା ଦଳର ପ୍ରାଥମିକତା ରହିଆସିଛି। ଝାଡ଼ଖଣ୍ଡରେ ଦଳର ସରକାର ଥିବାବେଳେ ସେଠାରେ ବହୁ ଜନକଲ୍ୟାଣ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ହେଲେ ଓଡ଼ିଶାରେ ୨୫ ବର୍ଷ ଧରି ଶାସନରେ ଥିବା ବିଜେଡି ସରକାର ଅମଳରେ ବ୍ୟାପକ ଦୁର୍ନୀତି ହୋଇଛି। ମୟୂରଭଞ୍ଜରୁ ଦୁର୍ନୀତି ହଟାଇବାକୁ ହେଲେ ଜେଏମ୍‌ଏମ୍‌ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡ଼ିବ ବୋଲି କହିଥିଲେ ଶ୍ରୀ ସୋରେନ।

ସେହିଭଳି ସାଭାମଞ୍ଚରୁ କେନ୍ଦ୍ର ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ କଳ୍ପନା ସୋରେନ। କେନ୍ଦ୍ର ସରକାର ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଆକ୍ରମଣ କରୁଛନ୍ତି। ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଓଡ଼ିଶାରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଆଦିବାସୀ ବିକାଶର ପରିପନ୍ଥୀ ସାଜିଛନ୍ତି। ତେଣୁ ସମ୍ବିଧାନର ସୁରକ୍ଷା, ଆଦିବାସୀଙ୍କ ଉନ୍ନତି ଓ ଭ୍ରଷ୍ଟାଚାରମୁକ୍ତ ମୟୂରଭଞ୍ଜ ଗଠନ ପାଇଁ ନିଜ ନଣନ୍ଦ ତଥା ‌ଜେଏମ୍‌ଏମ୍‌ର ଲୋକସଭା ପ୍ରାର୍ଥୀ ଅଞ୍ଜନୀ ସୋରେନ ଓ ରାଇରଙ୍ଗପୁର ବିଧାନସଭା ପ୍ରାର୍ଥୀ ସୁନାରାମ ଟୁଡୁଙ୍କ ପାଇଁ ସମର୍ଥନ ମାଗିଥିଲେ କଳ୍ପନା। ଏହି ସଭାରେ ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ୟା ଗୁପ୍ତା, ରାଜ୍ୟ ସାଧାରଣ ସମ୍ପାଦକ ଦୁବରାଜ ନାଗ୍, ସାଂଗଠନିକ ସମ୍ପାଦକ ଶାଲୁ କିସ୍କୁ, ବବାନ ରାୟ, ଆଜମେରି ଖାନ୍, ସାହେବ ମାରାଣ୍ଡି, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁନୀଲ ମାଝୀ, ଜିଲ୍ଲା ସଭାପତି ସନାତନ ମୁଣ୍ଡା, ଜିଲ୍ଲା ସମ୍ପାଦକ ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ଉପସଭାପତି ଯଶୋବନ୍ତ ବାରିକ, ମହେନ୍ଦ୍ର ନାଥ ମୁର୍ମୁ, ଭୁବନ ଟୁଡ଼ୁ, ଉପଦେଷ୍ଟା ସନ୍ତୋଷ ମୁର୍ମୁ, ଯୁବ ସଭାପତି ମଧୁସୂଦନ ସାହୁ, ଯୁବ ସମ୍ପାଦକ ବିଶ୍ୱନାଥ ମହାନ୍ତ, ଏମ୍‌ଡି ସାନୱାର୍, ଏସ୍‌କେ ସାଦିମନ୍, ଏସ୍‌କେ ଜିକ୍ରାନ୍ତ, ଧୀରେନ୍ ମାରାଣ୍ଡି, ଏସ୍‌କେ ଯାହିଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର