ମାଲକାନଗିରି ନିର୍ବାଚନ ମଣ୍ଡଳୀ: ୩ ଦଳ ମଧ୍ୟରେ କଡା ଟକ୍କର; ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକଙ୍କ ଘନ ଘନ ଗସ୍ତ

କଂଗ୍ରେସ ବିନା ଷ୍ଟାର ପ୍ରଚାରକରେ ପ୍ରଚାର କରୁଛି

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ଏବେ ୩ ଦଳ ମଧ୍ୟରେ କଡା ଟକ୍କର ଚାଲିଛି। ବିଜେଡିର ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ବନାମ ବିଜେପିର ନରସିଂହ ମାଡକାମୀ ବନାମ କଂଗ୍ରେସର ମାଲା ମାଢି। କିଏ କାହାକୁ ଉଣା ନୁହନ୍ତି। କଂଗ୍ରେସର ମାଲା ମାଢି ଦୁଇ ଦୁଇ ଥର ପରାଜୟ ବରଣ କରିବା ପରେ ଏବେ ସେ ନିଶ୍ଚୟ ବିଜୟୀ ହେବେ ବୋଲି ପୁରା ଦମରେ ମଇଦାନରେ ଓହ୍ଲାଇଥିବା ବେଳେ ବେଜିପି ତାର ବିଜୟ ଧାରାକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଛି।

ସେହିପରି ବିଜେଡି ନିଜର ପୁରୁଣା ଖିଲାଡିକୁ ନେଇ ମଇଦାନରେ ଆପ୍ରାଣ ଉଦ୍ୟମ କରୁଛି। ତିନି ଦନ ନିଜ ନିଜର ପ୍ରତିଶ୍ରୁତି ନେଇ ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ ଅନ୍ୟ ଦଳର ଦୁର୍ଗୁଣ ଗାଇବାରେ ହେଳା କରୁନାହାନ୍ତି। ଜଣେ ଅନ୍ୟ ଜଣକୁ ତଳକୁ ପକାଇ ଉପରକୁ ଯିବାକୁ ଚେଷ୍ଟା ଜାରି ରଖିଛି। ତେବେ ବିଜେଡି ଓ ବିଜେପିର ଷ୍ଟାର ପ୍ରଚାରକମାନେ ଘନ ଘନ ମାଲାକନଗିରି ଗସ୍ତ କରି ନିଜର ପ୍ରାର୍ଥୀମାନଙ୍କୁ ବିଜୟ କରିବାକୁ ଭୋଟରମାନଙ୍କୁ ନିବେଦନ କରୁଥିବା ବେଳେ କଂଗ୍ରେସର କିନ୍ତୁ କୌଣସି ଷ୍ଟାର ପ୍ରଚାରକ ଆଜି ପର୍ଯ୍ୟନ୍ତ ମାଲକାନଗିରି ଆସିନାହାନ୍ତି। କେବଳ ଛତିଶଗଡ଼ର କୋଣ୍ଟା ବିଧାୟକ ଲଖମା କାବାସୀ ହିଁ କାଲିମେଳା ଓ ପଡ଼ିଆ ଅଂଚଳ ବୁଲି ଚାଲିଯାଇଛନ୍ତି।

ମାଲକାନଗିରି, କାଲିମେଳା, ପଡ଼ିଆ ଏବଂ କୋରକୁଣ୍ଡ ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ୨୦୦୯ରେ ବିଜେଡି, ୨୦୧୪ରେ ବିଜେଡି ବିଜୟୀ ହୋଇଥିବା ବେଳେ ୨୦୧୯ରେ ବିଜେପି ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀରେ ୧,୨୯,୦୩୨ ପୁରୁଷ ଭୋଟର ଥିବା ବେଳେ ୧,୨୪,୮୨୬ ମହିଳା ଭୋଟର ରହିଛନ୍ତି। ୩୨ ଜଣ ଅନ୍ୟ ଭୋଟର ରହିଛନ୍ତି। ତେବେ ମୋଟରେ ଏହି ନିର୍ବାଚନ ମଣ୍ଡଳୀରେ ୨,୪୪,୮୯୦ ଭୋଟର ରହିଛନ୍ତି।

ଗତ ନିର୍ବାଚନରେ ବିଜେପି ୭୦,୨୬୩ ଭୋଟ ପାଇଥିବା ବେଳେ କଂଗ୍ରେସ ୪୪,୬୯୪ ଏବଂ ବିଜେଡି ୪୧,୬୬୭ ଭୋଟ ପାଇଥିଲେ। ବିଜେପି ତାର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଠାରୁ ୨୬ ହଜାର ଭୋଟରେ ବିଜୟୀ ହୋଇଥିଲା। ଏହି ନିର୍ବାଚନ ମଣ୍ଡଳୀରେ ବଂଗୀୟ ଭୋଟ ଯେଉଁ ଦଳକୁ ସମର୍ଥନ କରୁଛି ସେହି ଦଳ ହିଁ ବିଜୟୀ ହେଉଛି। ପ୍ରାୟ ୮୪ ହଜାର ବଂଗୀୟ ଭୋଟ ଏହି ନିର୍ବାଚନ ମଣ୍ଡଳୀରେ ରହିଛି। ଯାହା ନିର୍ଣ୍ଣାୟକ ହେଉଛି। ତେବେ ତିନି ପ୍ରମୁଖ ଦଳ ବଂଗୀୟ ଭୋଟକୁ ହାତେଇବାକୁ ନିଜର ମସସ୍ତ ବଳ ଓ କୌଶଳ ଲଗାଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ଏବେ ଏହି ନିର୍ବାଚନକୁ ନେଇ ଦ୍ବନ୍ଦରେ ପଡିଛନ୍ତି। କିଏ ଜିତିବ ଏବେ ଠାରୁ କହିବା ମୁସକିଲ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି।

ସମ୍ବନ୍ଧିତ ଖବର