ଭୁବନେଶ୍ୱର: ପରିବର୍ତ୍ତିତ ଟେକ୍ନୋଲୋଜି ଆଧାରରେ ଯେତେବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ନୂଆ ରୂପ ନେଉଛି, ଏହାର ପ୍ରଗତିକୁ କେହି ଅଟକାଇ ପାରିବେ ନାହିଁ । ଏହି ସମୟ ହିଁ ଠିକ୍ ସମୟ । ଆଗାମୀ ଦିନରେ ଓଡ଼ିଶା ହିଁ ବିଶ୍ୱର ନେତୃତ୍ୱ ନେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବା ଅବସରରେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ଇଡକଲ ଅଡିଟୋରିଓମ ଠାରେ ବିରୋଧୀ ଦଳର ଉପନେତା ବିଷ୍ଣୁ
ସେଠୀଙ୍କ ଲିଖିତ ପୁସ୍ତକ ‘ଶିରୋଧାର୍ଯ୍ୟ ଶିରୋନାମା’ ପୁସ୍ତକ ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଗତି ପାଇଁ ଏହି ସମୟ ହିଁ ଠିକ୍ ସମୟ।
ସେହିପରି ରାଜ୍ୟ ବିଜେପି ଶାଖା କାର୍ଯ୍ୟାଳୟ ଠାରେ ବିଜେପିର ବରିଷ୍ଠ ନେତା ଦୁର୍ଗା ପ୍ରସାଦ ସାହୁଙ୍କ ଦ୍ୱାରା ରଚିତ ଅନ୍ୟ ଏକ ପୁସ୍ତକ “ଗଡ଼ଜାତ ଆନ୍ଦୋଳନ-ଢ଼େଙ୍କାନାଳ ଓ ତାଳଚେର” ମଧ୍ୟ ଲୋକାର୍ପିତ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜନୈତିକ କାର୍ଯ୍ୟକର୍ତା କେବଳ କେବଳ ରାଜନୀତିରେ ନୁହେଁ ବରଂ ନିଜର ପ୍ରତିଭାକୁ ବିକାଶ କରିବା ଦରକାର । ଏହିପରି ବିଷ୍ଣୁ ଭାଇଙ୍କ ପ୍ରତିଟି ଲେଖା ରାଷ୍ଟ୍ରବାଦୀ ଚିନ୍ତା ଓ ଚେତନାରେ ଉଦବୁଦ୍ଧ । ରାଜନୈତିକ ବ୍ୟକ୍ତିତ୍ୱ ଥାଇ ମଧ୍ୟ ସାହିତ୍ୟର ଭାବଧାରାକୁ ଆପଣାଇଥିବା ବିଷ୍ଣୁ ଭାଇଙ୍କର ଉତ୍କଣ୍ଠା ଓ ଉତ୍ସାହ ବେଶ୍ ଚମତ୍କାର ।
ଗୋଟିଏ ସମାଜ ଓ ଜାତିର ଆତ୍ମା ହେଉଛି ଭାଷା । ସେହିପରି ସାହିତ୍ୟ ମନୁଷ୍ୟ ଅଭିବ୍ୟକ୍ତିର ମାଧ୍ୟମ । ଇତିହାସକୁ ଅବଲୋକନ କଲେ ଜଣାଯାଏ ଯେ ଓଡ଼ିଆ ଜାତିକୁ ସାମାନ୍ୟ ଲୋକ ହିଁ ପରିବର୍ତ୍ତନ କରିଛି । କଟକର ବାଇମୁଣ୍ଡି, ଧର୍ମପଦ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱ ଏହାର ବଳିଷ୍ଠ ଉଦାହରଣ । କଳିଙ୍ଗ ଯୁଦ୍ଧରେ ଓଡ଼ିଆ ଜାତି ହିଁ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିଥିଲା । ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” କାଳଜୟୀ ବାକ୍ୟ ସାହିତ୍ୟରେ ଉଲ୍ଲେଖ ରହିଛି । ଏଥିରୁ ଆମ ସାହିତ୍ୟ ଆମକୁ ସମାଜର ପରିବର୍ତ୍ତନ ସାଧାରଣ ଲୋକ ଦ୍ୱାରା ହିଁ ହୋଇଥାଏ ଏହି ମହତ ବାର୍ତ୍ତା ଦେଉଛି । ଏ ପ୍ରକାର ସଂସ୍କାର, ପ୍ରେରଣା ସବୁ ଭାରତୀୟ ଭାଷାରେ ରହିଛି । ତେଣୁ ଭାରତକୁ ଏକ ବୌଦ୍ଧିକ ମହାଶକ୍ତି ଭାବେ ତିଆରି କରିବା ପାଇଁ ଦୀର୍ଘ ତିନି ଦଶନ୍ଧି ପରେ ଦେଶରେ ରାଷ୍ଟ୍ରୀୟ ଶିକ୍ଷା ନୀତି -୨୦୨୦ ପ୍ରଣୟନ କରାଯାଇଛି । ଶିକ୍ଷା ନୀତିକୁ କ୍ରିୟାନ୍ୱୟନ କରି ମାତୃଭାଷା ଓ ଭାରତୀୟ ଭାଷାକୁ ଆଗକୁ ନେବା ଏ ଶିକ୍ଷା ନୀତିର ମୂଳ ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।