ଜାମକାନି ଖଣି ବିରୋଧିଙ୍କ ଅହୋରାତ୍ର ଧାରଣା

ପଡିଆରେ କୋଳଛୁଆ ସହ ମହିଳା, ପୁରୁଷ

ସୁନ୍ଦରଗଡ଼: ଜାମକାନି କୋଇଲା ଖଣି ଖନନକୁ ନେଇ ଆଜି ଦିନ ତମାମ ପୁଲିସ ଓ ବିସ୍ଥାପିତଙ୍କ ମଧ୍ଯରେ ଛକାପଞ୍ଝା ଲାଗି ରହିଥିଲା। ବିସ୍ଥାପିତ ଉଠାଇଥିବା  ଉପଯୁକ୍ତ କ୍ଷତିପୂରଣ, ପୁନର୍ବାସ, ଥଇଥାନ ଓ ନିଯୁକ୍ତି ଦାବି ସମ୍ପର୍କରେ ପ୍ରଶାସନ, କମ୍ପାନି କୌଣସି ନିଷ୍ପତ୍ତି ନନେଇ ଜୋର୍ କରି ଖଣି ଖନନ ଆରମ୍ଭ କରିବାରୁ ଲୋକେ ପ୍ରବଳ ବିରୋଧ କରିଥିଲେ। ଏପରିକି ପ୍ରଶାସନର ଆଉ ଆଲୋଚନା ନୁହେଁ, ସିଧା ଖଣି ଖନନ ନିଷ୍ପତ୍ତିକୁ ବିରୋଧ କରି ଲୋକ ଖନନସ୍ଥଳରେ ରାତିରେ ବି ଧାରଣା ଜାରି ରଖିଛନ୍ତି। କୋଳର ଛୁଆ ସହ ମହିଳା ଓ ପୁରୁଷମାନେ ପଡିଆରେ ରାତି ବିତାଇଛନ୍ତି।

କିଛି ଦିନ ତଳେ ରାଜଗାଙ୍ଗପୁର ଓସିଏଲର ଲାଞ୍ଜିବେର୍ଣ୍ଣା ଚୂନପଥର ଖଣି ସମ୍ପ୍ରସାରଣ ବିରୋଧରେ କୁକୁଡା, କଟଙ୍ଗ ଆଦି ୫ଟି ପଞ୍ଚାୟତର ଶହଶହ ବିସ୍ଥାପିତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ଡିଆରଡିଏ ଛକରେ ଅହୋରାତ୍ର ଧାରଣା ଦେଇଥିଲେ। ଆଜି ଜାମକାନିରେ ପ୍ରଶାସନ ଓ କମ୍ପାନିର ମନମାନୀ ବିରୋଧରେ ବିସ୍ଥାପିତଙ୍କ ରାତି ଧାରଣା ଆଲୋଡନ ସୃଷ୍ଟି କରିଛି। ସୂଚନା ଥାଉକି, ଆଜି ସକାଳେ ପୁଲିସ ଖନନସ୍ଥଳରୁ ବିସ୍ଥାପିତଙ୍କୁ ଘଉଡାଇବା ପାଇଁ ମୃଦୁ ଲାଠିଚାଳନା କରିଥିଲା।

ସେହିପରି ଝାରସୁଗୁଡାର ଜଣେ ନେତାଙ୍କ ପ୍ରରୋଚନା ଓ ସ୍ଥାନୀୟ ଟ୍ରାନ୍ସପୋର୍ଟରଙ୍କ ସହାୟତାରେ ସୁନ୍ଦରଗଡ଼ର ଶତାଧିକ ଯୁବକ ଯାଇ କମ୍ପାନି ସପକ୍ଷରେ ନାରାବାଜି କରିଥିଲେ। ତାକୁ ନେଇ ବିସ୍ଥାପିତ ଓ ସେ ଯୁବକମାନଙ୍କ ମଧ୍ଯରେ ଟେକାପଥର ମାଡ଼ ହୋଇଥିଲା। ପୁଲିସ ଲାଠି ମାଡ଼ କରି ଯୁବକମାନଙ୍କୁ ସେଠାରୁ ଘଉଡାଇ ଦେଇଥିଲା। ପରେ ପରେ ବିସ୍ଥାପିତ ଗାଁ ଗିରିସୀମାର ନେତା ଗୋପାଳ ପ୍ରଧାନ ଓ ଯୁବନେତା ରାଜେନ୍ଦ୍ର ନାଏକଙ୍କ ନେତୃତ୍ବରେ ୪ଟି ଗାଁର ଶହଶହ ଲୋକ ରାଲିରେ ଯାଇ ଖଣି ଖନନ ବନ୍ଦ କରି ଦାବି ଉପରେ ଆଲୋଚନା ପାଇଁ ପ୍ରଶାସନକୁ ଆହ୍ବାନ ଦେଇଥିଲେ। କିନ୍ତୁ ପ୍ରଶାସନ କୌଣସି ପ୍ରକାରେ ଖଣି ଖନନ କରିନେବାକୁ ଉଦ୍ଯମ ଚଲାଇଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର