ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ ଜୁଏଲଙ୍କ ଦୋମୁହାଁ ନୀତି: ସଂସଦରେ ନେଇଥିଲେ ରାଉରକେଲାର ନାଁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ପ୍ରସଙ୍ଗକୁ ନେଇ କିଛି ଦିନ ବିଜେଡି ଓ ବିଜେପି ପରସ୍ପର କାଦୁଅ ଫିଙ୍ଗାଫିଙ୍ଗି ହୋଇଥିଲେ। ଏବେ ସେ ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ସ୍ବୀକୃତି ଅପେକ୍ଷାରେ, ଏକ ପ୍ରକାର ଶୀତଳଭଣ୍ଡାରରେ। ଏସ୍ଥିତିରେ ‘ଏମ୍ସ’କୁ ନେଇ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମଙ୍କ ଦୋମୁହାଁ ନୀତି ପଦାକୁ ଆସିଛି। ଫେବ୍ରୁଆରି ୪ ତାରିଖରେ ସଂସଦରେ ଶ୍ରୀ ଓରାମ ଏକ ଅଣତାରାକା ପ୍ରଶ୍ନରେ ଓଡ଼ିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ ସମ୍ପର୍କରେ ଜାଣିବାକୁ ଚାହିଥିଲେ। କିନ୍ତୁ ତାଙ୍କ ପ୍ରଶ୍ନରେ ସୁନ୍ଦରଗଡ଼ ବଦଳରେ ରାଉରକେଲାର ନାଁ ରହିଥିଲା। ପ୍ରସ୍ତାବିତ ଦ୍ବିତୀୟ ଏମ୍ସ ରାଉରକେଲା କି ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ କେଉଁଠାରେ ପ୍ରତିଷ୍ଠା ହେବ ବୋଲି ସେ ପଚାରିଥିଲେ। ଯାହାକୁ ନେଇ ସୁନ୍ଦରଗଡ଼ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବ ଥିବା ବେଳେ ହଠାତ ସେଥିରେ ରାଉରକେଲାକୁ ପୂରାଇ ସାଂସଦ ଏ ପ୍ରସଙ୍ଗରେ ଜାଣିଶୁଣି ସୁନ୍ଦରଗଡ଼କୁ ଉପେକ୍ଷା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ସୁନ୍ଦରଗଡ଼ ଏନଟିପିସି ମେଡିକାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଅନୁଧ୍ୟାନ କରି ରିପୋର୍ଟ ଦେଇ ସାରିଛନ୍ତି।

ଏପରିକି ସାଂସଦ ନିଜେ ସେ ସମୟରେ ସୁନ୍ଦରଗଡ଼ ଠାରେ ଏମ୍ସ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଚିଠି ଲେଖିଥିଲେ। ହେଲେ ଏବେ ଏମ୍ସ ପ୍ରତିଷ୍ଠା ପ୍ରସ୍ତାବରେ ରାଉରକେଲା ନାଁ ଉଠାଇ ନୂଆ ବିବାଦ ଛିଡ଼ା କରିଛନ୍ତି। ଏହା ତାଙ୍କ ଦୋମୁହାଁ ନୀତିର ପରିଚୟ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି। ଅବଶ୍ୟ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ବିଭିନ୍ନ ରାଜ୍ୟରେ ପର୍ଯ୍ୟାୟକ୍ରମେ ଏମ୍ସ ପ୍ରତିଷ୍ଠା କରାଯାଉଥିବା ଓ ଓଡ଼ିଶାର ଭୁବନେଶ୍ବର ଠାରେ ଏମ୍ସ କାର୍ଯ୍ୟକ୍ଷମ ଥିବା ପ୍ରକାଶ କରି ଓଡ଼ିଶାରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ନେଇ କୌଣସି ଯୋଜନା ନଥିବା ଏକ ପ୍ରକାର ସ୍ପଷ୍ଟ କରି ଦେଇଛି। ସୂଚନାଯୋଗ୍ୟ, ୨୦୨୦ ନଭେମ୍ବରରେ ରାଜ୍ୟ ସରକାରଙ୍କ ତତ୍କାଳୀନ ମୁଖ୍ୟଶାସନ ସଚିବ ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ୨୦୨୧ ମାର୍ଚ୍ଚରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ପୁଣି ଚିଠି ଲେଖିବା ପରେ ୨୦୨୧ ଏପ୍ରିଲ ୩ରେ ଏକ କେନ୍ଦ୍ରୀୟ ବୈଷୟିକ ଟିମ୍ ସୁନ୍ଦରଗଡ଼ ଆସି ଭିତ୍ତିଭୂମି ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। କିନ୍ତୁ କେନ୍ଦ୍ର କୌଣସି ପଦକ୍ଷେପ ନନେବାରୁ ସୁନ୍ଦରଗଡ଼ରେ କଂଗ୍ରେସର ବନ୍ଦ ପାଳନ ଓ ପୋଷ୍ଟ କାର୍ଡ ଅଭିଯାନ, ବିଜେପିର ମାନବ ଶୃଙ୍ଖଳ ପ୍ରତିବାଦ, ସମ୍ବଲପୁର ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ ମଧ୍ୟରେ ଏମ୍ସ ପ୍ରତିଷ୍ଠା ଦାବିକୁ ଅଧିକ ତେଜିୟାନ କରିଥିଲା। ସେତେବେଳେ କେନ୍ଦ୍ର ବୈଷୟିକ ଟିମର ଅନୁଧ୍ୟାନ ରିପୋର୍ଟ ଉପରେ କେନ୍ଦ୍ର ନିରୀକ୍ଷଣ କରୁଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରକାଶ କରିଥିଲା। ତେବେ ଅନୁଧ୍ୟାନ ନାମରେ କେନ୍ଦ୍ର ଦିନ ଗଡ଼ାଇ ନେଉଥିବାରୁ ‘ଏମ୍ସ’ ପ୍ରତିଷ୍ଠା ପାଇଁ ବିଜେପି ସାଂସଦ ଓ ବିଧାୟକମାନେ ଚାପ ପକାଇବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଥିଲା। କିନ୍ତୁ ସାଂସଦ ଜୁଏଲ ଏବେ ସୁନ୍ଦରଗଡ଼କୁ ଏଡ଼ାଇ ରାଉରକେଲା ପାଇଁ ନୂଆ ପ୍ରସ୍ତାବ ଆଣିବା ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର