ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କଲେ ଯଶୋଦା ବେନ୍‌, ଶ୍ରୀମନ୍ଦିର ବି ବୁଲିଲେ

ପୁରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଯଶୋଦା ବେନ୍‌ ଆଜି ଆଡ଼ପମଣ୍ଡପରେ ଚତୁର୍ଦ୍ଧା ବିଗ୍ରହଙ୍କ ସଂଧ୍ୟା ଦର୍ଶନ କରିବାର ସୌଭାଗ୍ୟ ଅର୍ଜିଛନ୍ତି। ଏହା ତାଙ୍କ ସୌଭାଗ୍ୟ ଓ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ କରି ସେ କୃତାର୍ଥ ବୋଲି କହିଛନ୍ତି ଶ୍ରୀମତୀ ବେନ୍‌। ଏହି ଅବସରରେ ସେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ସେବନ କରିଛନ୍ତି। ନିଜ ପାଇଁ ବି ଶୁଖିଲା ମହାପ୍ରସାଦ ସାଙ୍ଗରେ ନେଇଛନ୍ତି। ପରେ ଶ୍ରୀମନ୍ଦିର ଯାଇ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ୱାର୍ଲଡ ଓଡ଼ିଶା ସୋସାଇଟି ପକ୍ଷରୁ ଆଜି ଶ୍ରୀମତୀ ବେନ୍‌ଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ବିବେଦୀ କହିଛନ୍ତି, ଶ୍ରୀମତୀ ବେନ୍‌ ଜଣେ ଧର୍ମପରାୟଣା ବ୍ୟକ୍ତିତ୍ବ। ସେ ଚାରିଧାମ ଦର୍ଶନର ଲକ୍ଷ୍ୟ ରଖିଛନ୍ତି। ଏହି ଉପଲକ୍ଷେ ସେ ତିନିଦିନ ତଳୁ ନିଜସ୍ବ ଗାଡ଼ିରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଶରଧାବାଲିରେ ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ମଙ୍ଗଳବାର ସନ୍ଧ୍ୟା ୫ଟାରେ ଶେଷ ହୋଇଯାଇଛି। ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ସମୟ ଅନୁସାରେ ସାଧାରଣ ଭକ୍ତମାନେ ଆଜି ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଧାଡ଼ିରେ ରହି ଆଡ଼ପ ଦର୍ଶନ କରିଛନ୍ତି। ପବିତ୍ର ନବମୀ ତିଥିରେ ସନ୍ଧ୍ୟା ଦର୍ଶନ ‌ଶେଷ ହେଲା ପରେ ଶ୍ରୀଜିଉମାନଙ୍କର ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବାହୁଡ଼ାଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ପୁଣି ଥରେ ଭକ୍ତମାନଙ୍କର ଚଳଚଞ୍ଚଳ ଦେଖାଯାଇଛି। ବାହୁଡ଼ାଯାତ୍ରାରେ ମଧ୍ୟ ଲକ୍ଷାଧିକ ଭକ୍ତ ଏକତ୍ର ହେବେ। ପ୍ରବଳ ଜନଗହଳିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନେ କିପରି ସୁରୁଖୁରୁରେ ମହାବାହୁଙ୍କ ଦର୍ଶନ କରିବା ସହ ରଥ ଟାଣିପାରିବେ ସେ ନେଇ ମଧ୍ୟ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର