କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା : ଡିଆଇଜି, ଏସ୍‌ପିଙ୍କ ସମେତ ୧୧ ଜଣଙ୍କ ବିରୋଧରେ ମାମଲା

ଜୟପୁର : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣା ନେଇ ଆଇନର ଜାଲରେ ଛନ୍ଦି ହୋଇଛନ୍ତି ଡିଆଇଜି ଏବଂ ଏସପିଙ୍କ ସମେତ ୧୧ଜଣ ଅଧିକାରୀ। ଆଜି ଜୟପୁରସ୍ଥିତ ଜିଲ୍ଲା ଜଜ୍‌ଙ୍କ କୋର୍ଟରେ ହାଇକୋର୍ଟ ଆଇନଜୀବୀ ହଳଧର ସେଠୀଙ୍କ ଦ୍ୱାରା ପୀଡିିତାଙ୍କ ଭାଇଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ଏଥିରେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ.ସାଇନି, କୋରାପୁଟ ଏସପି କନଓ୍ଵର ବିଶାଲ ସିଂହ, ଡିଏସପି ନିରଞ୍ଜନ ବେହେରା, କୋରାପୁଟ ଜିଲ୍ଲା ପୁଲିସ କାର୍ଯ୍ୟାଳୟର ଆଇଆଇସି ମମତା ପାଣିଗ୍ରାହୀ, ପଟାଙ୍ଗୀ ଥାନା ଆଇଆଇସି ଦେବ କୁମାର ଗମାଙ୍ଗୋ, ଜିଲ୍ଲା ମଙ୍ଗଳ ଅଧିକାରୀ, ପଟାଙ୍ଗୀ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ, ପୀଡିତାଙ୍କୁ ଚିକିତ୍ସା କରିଥିବା ଡାକ୍ତର, ରାଜ୍ୟ ଫରେନ୍‌ସିକ ଲାବ୍ରୋଟରୀ ସହକାରୀ ନିର୍ଦ୍ଦେଶକ ଓ ସହକାରୀ ରସାୟନିକ ପରୀକ୍ଷକ(ବାଓଲୋଜିକାଲ ଡିଭିଜନ), ସେରୋଲୋଜି ବିଭାଗର ୨ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ଅଧିକାରୀମାନଙ୍କ ଅବହେଳା ତଥା ତ୍ରୁଟିପୂର୍ଣ୍ଣ ରିପୋର୍ଟ ଯୋଗୁଁ ପୀଡ଼ିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ବୋଲି ଅଭିଯୋଗ କରାଯାଇଛି। ଜିଲ୍ଲା ଜଜ୍‌ କୋର୍ଟ ମାମଲାକୁ ଗ୍ରହଣ କରିଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର