ଆଜି ଝଡ଼ ବର୍ଷା ଆଶଙ୍କା
ଭୁବନେଶ୍ୱର : ଗତ କିଛି ଦିନ ହେଲା ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହେଉଥିବାବେଳେ ରବିବାର ସାରା ରାଜ୍ୟରେ ଝଡ଼ ବର୍ଷା ହେବାର ଆଶଙ୍କା ଅଛି ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍ଡି) ସତର୍କ ସୂଚନା ଜାରି କରିଛି। ଆଇଏମ୍ଡି ପକ୍ଷରୁ ଜାରି ହୋଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ, ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବହିବ। ବର୍ଷା ପବନ ସମୟରେ ଘରୁ ନ ବାହାରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ୨୪ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ବରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି ଓ କନ୍ଧମାଳ ପ୍ରଭୃତି ଜିଲ୍ଲାରେ ୫୦ରୁ ୬୦କିମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ଅଛି।ଅପରପକ୍ଷେ ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେଉଥିବାରୁ ପାରଦ ତଳମୁହାଁ ହୋଇଛି। ଆଜି ବଲାଙ୍ଗୀର ଓ ସୋନପୁରରେ ତାପମାତ୍ରା ଯଥାକ୍ରମେ ୪୦ ଓ ୪୦.୨ ଡିଗ୍ରି ରହିଥିବାବେଳେ ବାକି ସ୍ଥାନରେ ପାରଦ ୪୦ଡିଗ୍ରି ତଳକୁ ରହିଛି। ପାରଦୀପରେ ସବୁଠୁ କମ୍ ତାପମାତ୍ରା ୩୧ଡିଗ୍ରି ରେକର୍ଡ ହୋଇଛି। ହେଲେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାପବନର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଅପରାହ୍ନରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେଉଥିଲେ ହେଁ ପୂର୍ବାହ୍ଣରେ ତାତି ଅସହ୍ୟ ହେଉଛି। ଏବେ ସ୍ୱଳ୍ପ ବର୍ଷା ହେଉଥିବାରୁ କେବଳ ମାଟିର ଉପର ଭାଗ ଭିଜୁଛି। ଦିନବେଳା ମାଟି ଉପରେ ସୂର୍ଯ୍ୟ କିରଣ ପଡ଼ିବା ପରେ ତାତି ଅଧିକ ଅନୁଭୂତ ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବାଧିକ ୧୪ମିମି ବର୍ଷା ହୋଇଥିବାବେଳେ କୋରାପୁଟରେ ୦.୮ମିମି ବର୍ଷା ହୋଇଛି। ବାକି କେତେକ ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିଲେ ହେଁ ସଂଧ୍ୟାରେ ୪୦ରୁ ୫୦କିମି ବେଗରେ ପବନ ବହିବା ସହ ପ୍ରବଳ ଘଡ଼ଘଡ଼ି ଓ ବିଜୁଳି ମାରିଛି। ତେଣୁ ଘଡ଼ଘଡ଼ି ମାରିବା ସମୟରେ ଲୋକମାନେ ପଦାରେ ଯାତାୟତ ନକରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।