ମମିତା ମେହେର ହତ୍ୟା ମାମଲା: ପରିବାର ଲୋକଙ୍କୁ ୧୦ ଲକ୍ଷର ସହାୟତା

ବଲାଙ୍ଗୀର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣଙ୍କ ଆଦେଶ

କଣ୍ଟାବାଞ୍ଜି : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ମୃତ ମମିତାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଦିଆଯିବ। ଏନେଇ ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଦେଶ ଦିଆଯାଇଛି। ପୂର୍ବରୁ ସହାୟତା ପ୍ରଦାନ କରିବାକୁ ମମିତାଙ୍କ ଭାଇ ବଣ୍ଟି ମେହେର ଆବେଦନ କରିଥିଲେ। ଏହି ଆବେଦନକୁ ବିଚାର କରି ପୀଡ଼ିତାଙ୍କ ପରିବାରକୁ ରୂପେ ୧୦ଲକ୍ଷ ଟଙ୍କାର ରାଶି ମଞ୍ଜୁର କରାଯାଇଛି।

୨୦୨୧ ଅକ୍ଟୋବରରେ ବଲାଙ୍ଗୀର ଜିଲ୍ଲା ଝରଣୀ ଗାଁରୁ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲକୁ ଯିବା ପରେ ମମିତା ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ମହାଲିଙ୍ଗ କଲେଜ ତଥା ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ମାଲିକ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରି ପୋଡ଼ିଦେବା ପରେ ପୋତି ଦେଇଥିବା ପୁଲିସ ତଦନ୍ତରୁ ଜାଣିପାରିଥିଲା। ମାମଲାରେ ଗୋବିନ୍ଦ ସାହୁକୁ ଗିରଫ କରି କଣ୍ଟାବାଞ୍ଜି ଜେଲ୍ ହାଜତରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା। ପରେ ଜେଲ୍ ଭିତରେ ହିଁ ଗୋବିନ୍ଦ ଆତ୍ମହତ୍ୟା କରିଥିବା ଘଟଣା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା।

ଗତ ୧୩ ତାରିଖ ଦିନ ହୋଇଥିବା ଏକ ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରଣା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଲଲାଟେନ୍ଦୁ ଜେନା, ଆରକ୍ଷୀ ଅଧୀକ୍ଷକ ନିତିନ କୁଶଳକର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଦୀପ ଗୁରୁଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା ଓ ବିଭିନ୍ନ ଅଭିଯୋଗର ବିଚାର କରାଯାଇଥିଲା। ଏହି ଆଲୋଚନାରେ ମମିତାଙ୍କ ଭାଇ କରିଥିବା ଆବେଦନର ମଧ୍ୟ ବିଚାର କରାଯାଇଥିଲା। ପ୍ରାଧିକରଣଙ୍କ ନିଷ୍ପତ୍ତିକୁ ସାଧାରଣ ଜନତା ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର