ଜବତ ହେ‌ଲା ୩୦୦ ବର୍ଷ ତଳର ପାଣ୍ଡୁଲିପି

ଭୁବନେଶ୍ବର: ତାଳପତ୍ର ଓ ହାତଲେଖା ପ୍ରାଚୀନ ପାଣ୍ଡୁଲିପିକୁ ଓଡ଼ିଶାରୁ ବିଦେଶ ପଠାଯାଉଥିବା ବେଳେ ସୀମାଶୁଳ୍କ (କଷ୍ଟମ)ବିଭାଗର ବିଦେଶୀ ଡାକ କାର୍ଯ୍ୟାଳୟ(ଫରେନ୍‌ ପୋଷ୍ଟାଲ୍‌ ଅଫିସ୍‌)ରୁ ଜବତ କରିଛି। ଜବତ ହୋଇଥିବା ତାଳପତ୍ର ପାଣ୍ଡୁଲିପି ୩୦୦ ବର୍ଷ ତଳର ହୋଇଥିବା ବେଳେ ହାତଲେଖା ପାଣ୍ଡୁଲିପି ୮୦ ବର୍ଷ ତଳର ବୋଲି ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ ଦୁଇ ପାଣ୍ଡୁଲିପିକୁ କାହିଁକି ବିଦେଶ ପଠାଯାଉଥିଲା? ଏହାପଛରେ କ’ଣ କାରଣ ରହିଛି? କୌଣସି ‌ଆର୍ଥିକ କାରବାର ରହିଛି କି? ଏସବୁର ଖୋଳତାଡ଼ କରିଛି ସୀମାଶୁଳ୍କ ବିଭାଗ। ଅଧିକ ତଥ୍ୟ ହାତେଇବା ପାଇଁ ପାଣ୍ଡୁଲିପିକୁ ବିଦେଶ ପଠାଉଥିବା ଦୁଇ ବ୍ୟକ୍ତି କଷ୍ଟମ କାର୍ଯ୍ୟାଳୟରେ ହାଜର ହୋଇ ନିଜର ପକ୍ଷ ରଖିବାକୁ ନୋଟିସ୍‌ କରାଯାଇଛି। ଏନେଇ ଆଜି ସୀମାଶୁଳ୍କ ବିଭାଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସପାଲ୍‌ ଚିଫ୍‌ କମିସନର ସଞ୍ଜୟ ପନ୍ତ, କମିସନର ମାଧବ ଚନ୍ଦ୍ର ମିଶ୍ରା, ସୁପରିଣ୍ଟେଣ୍ଡେଣ୍ଟ(ଏଏସ୍‌ଆଇ) ସୁଶାନ୍ତ କୁମାର କର, ସୁପରିଣ୍ଟେଣ୍ଡେଣ୍ଟ ଫରେନ୍‌ ପୋଷ୍ଟାଲ୍‌ ସିଦ୍ଧାର୍ଥ ତିୱାରୀ, ଅତିରିକ୍ତ କମିସନର ସଞ୍ଜୟ ପ୍ରସାଦ ଓ ଅଭୟ ଗୁପ୍ତା ସମସ୍ତ ତଥ୍ୟ ରଖିଥିଲେ।

୨୦୧୯ ମସିହା ଅକ୍ଟୋବର ୧୦ରେ ପୁରୀ ଜିଲ୍ଲା ଦାଣ୍ଡସାହି ଅଞ୍ଚଳର କିରଣ ପାହି ନାମକ ଜଣେ ବ୍ୟକ୍ତି ଫରେନ୍‌ ସ୍ପିଡ୍‌ ପୋଷ୍ଟ ମାଧ୍ୟମରେ ୧୫୫ ଫର୍ଦ୍ଦର ତାଳପତ୍ର ପାଣ୍ଡୁଲିପିକୁ ସ୍ପେନ୍‌ ପଠାଉଥିଲେ। ଯାଞ୍ଚ ବେଳେ ଜଣାପଡ଼ିଥିଲା ଯେ‌ ଏହା ଚମ୍ପୂ (ଗଦ୍ୟ ଓ ପଦ୍ୟ)ରେ ଲେଖା ରହିଛି। ଯାହାକି ଭାଗବତର ୧୦ମ ସ୍କନ୍ଧରୁ ଉଦ୍ଧୃତ। ପାଣ୍ଡୁଲିପିକୁ ନେଇ ପୋଷ୍ଟାଲ୍‌ରେ ସନ୍ଦେହ ସୃଷ୍ଟି ହୋବରୁ ତୁରନ୍ତ ଏହାକୁ କୋଲକାତାସ୍ଥିତି ଏଏସ୍‌ଆଇ କାର୍ଯ୍ୟାଳୟକୁ ପଠାଯାଇଥିଲା। ସେହିପରି ୨୦୨୦ ମସିହା ଅକ୍ଟୋବର ୨୪ ତାରିଖରେ ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଅଞ୍ଚଳର ତାମଦିନ ଗ୍ୟାଲପୋ ନାମକ ଜଣେ ବ୍ୟକ୍ତି ଫରେନ୍‌ ପୋଷ୍ଟାଲ୍‌ ମାଧ୍ୟମରେ ଏକ ପାର୍ସଲ ଫ୍ରାନ୍ସ ପଠାଇଥିଲେ। ଯାଞ୍ଚ ବେଳେ ୧୭ ପୃଷ୍ଠାର ଲେଖାଗୁଡ଼ିକ ବୌଦ୍ଧ ଭାଷାର(ସ୍ପିରିଚୁଆଲ୍‌ ହିଲିଙ୍ଗ) ହୋଇଥିବା ବେଳେ ଏହା ୮୦ ବର୍ଷ ତଳର ପୁରୁଣା। ସନ୍ଦେହ ହେବାରୁ ଏହାର ଯାଞ୍ଚ ପାଇଁ ମଧ୍ୟ କୋଲକାତା ଏଏସ୍‌ଆଇ କାର୍ଯ୍ୟାଳୟକୁ ପଠାଯାଇଥିଲା। ତେବେ ଏଏସ୍‌ଆଇ ପକ୍ଷରୁ ୨୦୨୨ ମସିହା ଅକ୍ଟୋବର ୧୭ ତାରିଖର ଦୁଇଟି ପାଣ୍ଡୁଲିପି ସମ୍ପର୍କରେ ତଥ୍ୟ ପ୍ରଦାନ କରଯାଇଥିଲା।

ତଥ୍ୟ ମିଳିବା ପରେ ଦୁଇ ବ୍ୟକ୍ତିଙ୍କ ଭୂମିକା ନେଇ ସନ୍ଦେହ ହେବାରୁ ଉଭୟଙ୍କୁ ଗତ ଜାନୁଆରି ମାସରେ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି। ନୋଟିସ୍‌ ପଠାଇବାର ଏକ ମାସ ବିତିଯାଇଥିଲେ ବି ଉଭୟଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ। ତେବେ ଉଭୟଙ୍କୁ ଆଉ ଦୁଇଟି ରିମାଣ୍ଡ ଦିଆଯିବ। ଯଦି ତୃତୀୟ ଥର ନୋଟିସ୍‌ ପରେ ମଧ୍ୟ ଉଭୟଙ୍କ ପକ୍ଷରୁ କୌଣସି ଉତ୍ତର ନମିଳେ ତେବେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ ଉଭୟଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯାଇ ଖୋଳତାଡ଼ ହେବ ବୋଲି ସୀମାଶୁଳ୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ଜବତ ହୋଇଥିବା ଦୁଇ ପାଣ୍ଡୁଲିପିକୁ ଏଏସ୍‌ଆଇକୁ ହସ୍ତାନ୍ତର କରାଯାଇଛି। ପାଣ୍ଡୁଲିପିକୁ ଏକ ସ୍ବତନ୍ତ୍ର ସଂଗ୍ରହାଳୟରେ ରଖିବା ପାଇଁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର