ଦୁର୍ଦ୍ଦାନ୍ତ ମାଓବାଦୀ ପାପାରାଓର ମୃତ୍ୟୁ !

ମାଲକାନଗିରି: ଛତିଶଗଡର ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଟପ ମାଓ ନେତା ପାପାରାଓର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏ ନେଇ ପୁଲିସ ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଛତିଶଗଡ-ମାଲକାନଗିରି ସୀମାରେ ପାପାରାଓ ସକ୍ରିୟ ଥିଲା । ତା ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ବି ଛତିଶଗଡ ସରକାର ଘୋଷଣା କରିଥିଲେ । ଖବର ଅନୁସାରେ, ପାପାରାଓ ଗତ ୪ ଦିନ ହେଲା ଛତିଶଗଡର ନିଜ ଶ୍ୱଶୁର ଘରକୁ ଆସିଥିଲା । କିଡନୀ ରୋଗରେ ଆକ୍ରାନ୍ତ ହୋଇ ସେ ପ୍ରାଣ ହରାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ପାପାରାଓ ପ୍ରାଣ ହରାଇଥିବା ଖବର ଆସିଥିଲେ ବି ଏହା ମିଛ ବୋଲି ଜଣାପଡିଥିଲା ।

 

ପାପାରାଓ ୨୦୧୦ରେ ଛତିଶଗଗଡର ତାଲମେଟଲାରେ ହୋଇଥିବା ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଏଥିରେ ୭୬ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଏହି ଦୁର୍ଦ୍ଦାନ୍ତ ମାଓନେତା ଛତିଶଗଡ-ମାଲକାନଗିରି ସୀମାରେ ସକ୍ରିୟ ଥିଲା ଓ ନକ୍ସଲଙ୍କ ସ୍ୱତନ୍ତ୍ର ଜୋନାଲ କମିଟିର ସଦସ୍ୟ ଥିଲା | ଏହା ସହ ନକ୍ସଲ ନେତା ରମନ୍ନାଙ୍କ ସହଯୋଗୀ ଥିଲା । ଏଠାରେ ସୂଚନା ଥାଉ କି ଗତକାଲି ମାଲକାନଗିରି ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଥିଲା ।

ଦୁର୍ଦ୍ଦାନ୍ତ ମାଓନେତ୍ରୀ ଆଡ଼ମେ ମାଡ଼କାମୀ ଗତକାଲି ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ୨୨ ବର୍ଷୀୟା ଆ‌ଡ଼ମେ ମାଥିଲି ବ୍ଲକ୍‌ ଟେମରୁପାଲ୍ଲୀ ଗ୍ରାମର ମୂଳ ବାସିନ୍ଦା । ବାପା ଇଡ଼ମା ମାଡ଼କାମୀ ଜଣେ ଚାଷୀ ହୋଇଥିବା ବେଳେ ୨୦୧୫ ମସିହାରେ ସଂଗଠନରେ ଯୋଗ ଦେଇଥିଲା ଆଡ଼ମେ। ନକ୍ସଲଙ୍କ ତଥାକଥିତ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସଂଗଠନରେ ମିଶିଥିଲା। କିନ୍ତୁ ସେଠାରେ କୌଣସି ଉଦ୍ଦେଶ୍ୟ କିମ୍ବା ଲକ୍ଷ୍ୟ ନେଇ କାମ ହେଉ ନଥିବା ହୃଦ୍‌ବୋଧ ହେବାରୁ ସଂଗଠନ ଛାଡ଼ି ଆତ୍ମସପର୍ମଣ ପରେ ଆଡ଼ମେ ଗଣମାଧ୍ୟମକୁ କହିଥିଲେ ।ସରକାର ଆଡ଼ମେ ନାମରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର