କେନ୍ଦୁଝର : ଖେଳୁଖେଳୁ ଛାତିରେ ପଶିଗଲା ଲୁହାଛଡ଼। ବଡ଼ ଲୁହାଛଡ଼ଟି ଛାତିରେ ଗଳିଯାଇଥିଲେ ବି ରକ୍ତ ବାହାରି ନଥିଲା। ଆହତ ନାବାଳକକୁ ପ୍ରଥମେ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ସହର ନିକଟ ଡିମ୍ବୋରେ ଆଜି ଏହି ଅଘଟଣ ଘଟିଛି। ଗୁରୁତର ନାବାଳକ ନନ୍ଦ କିଶୋର ମହାକୁଡ଼ଙ୍କ ବଡ଼ପୁଅ ଚନ୍ଦନ ମହାକୁଡ଼ (୧୧)।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଅପରାହ୍ଣ ପ୍ରାୟ ୫ଟାରେ ଚନ୍ଦନ ୪-୫ ଫୁଟର ଏକ ଲୁହାଛଡ଼ ଧରି ଘର ନିକଟରେ ଖେଳୁଥିଲେ। ଖେଳୁ ଖେଳୁ ସେ ପଡ଼ିଯାଇଥିଲେ। ଏହି ସମୟରେ ଲୁହାଛଡ଼ଟି ତାଙ୍କ ଛାତିରେ ପଶି ଯାଇଥିଲା। ଚିତ୍କାର ଶୁଣି ଘର ଲୋକେ ଧାଇଁ ଆସିଥିଲେ। ପୁଅର ଅବସ୍ଥା ଦେଖି ହଠାତ କ’ଣ କରିବେ ବୁଝିପାରିନଥିଲେ। ସଙ୍ଗେସଙ୍ଗେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡାକ୍ତର କଟକ ବଡ଼ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ତେଣୁ ତାଙ୍କୁ ସଂଗେସଂଗେ କଟକକୁ ସ୍ଥାନାନ୍ତରିତ କରାଯାଇଛି। ନନ୍ଦକିଶୋରଙ୍କ ଘର ଘଟଗାଁ ଥାନା ବାଇଗଣପାଳ ଗ୍ରାମରେ। ସେ ଗତ ପ୍ରାୟ୫ ବର୍ଷ ହେବ ଟାଉନ ଥାନା ଅଧୀନ ଡିମ୍ବୋ ଗ୍ରାମରେ ରହି ଅଟୋ ଚଳାଉଛନ୍ତି। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲା ବେଳେ ଏପରି ଅଘଟଣ ଘଟିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ ମାସରେ ଏମିତି ଏକ ଘଟଣା ଘଟଗାଁ ନିକଟ ଧାଙ୍ଗଡ଼ଡିହାରେ ଘଟିଥିଲା। ଗଛରେ ଚଢ଼ି ଜାମୁକୋଳି ଖାଉଖାଉ ଜଣେ ନାବାଳକ ପଡ଼ିଯିବାରୁ ଛାତିରେ କାଠ ଖୁଣ୍ଟି ଗଳିଯାଇଥିଲା। ପରେ କଟକରେ ଅସ୍ତ୍ରୋପଚାର କରି କାଠଟିକୁ ବାହାର କରାଯାଇଥିଲା।