ବ୍ରାଉନସୁଗାର ଏଜେଣ୍ଟ ସାଜିଛନ୍ତି ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର

କେଜିଏ ବିକିଲେ କମିସନ ୩ ଲକ୍ଷ, ତିନି ବର୍ଷରେ ଧରାପଡ଼ିଲେଣି ୩୦ରୁ ଅଧିକ

ଭୁବନେଶ୍ବର : ୨୪ ଏପ୍ରିଲ, ୨୦୨୧। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା ଏସଟିଏଫ୍। ସେଠାରୁ ବିଜୟ ମହାନ୍ତି ନାମକ ଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରି କେଜିଏରୁ ଅଧିକ ଓଜନର ଅର୍ଥାତ ପ୍ରାୟ କୋଟିଏ ଟଙ୍କା ମୂଲ୍ୟର ବ୍ରାଉନସୁଗାର ଜବତ କରିଥିଲା। ବିଜୟ ବ୍ରାଉନସୁଗାର ଡେଲିଭରି ଦେଇ ବାଲେଶ୍ବର ଫେରୁଥିବା ବେଳେ ଏକା କାର୍ ସହ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିଲା। ଜବତ ହୋଇଥିଲା ନଗଦ ୫ ଲକ୍ଷ ୩୦ ହଜାର ଟଙ୍କା। ଏହି ୪ ଜଣଙ୍କ ଭିତରେ ତିନି ଜଣ ଜଗତସିଂହପୁର ଅଞ୍ଚଳର ସୌମ୍ୟଜିତ ପରିଜା, ସାଗର ବେହେରା ଓ ସପନ ଭଟ୍ଟାଚାର୍ଯ୍ୟ ଇଞ୍ଜିନିୟରିଂ ପାସ୍‌ କରିଥିବା ଛାତ୍ର ଥିଲେ। ସମସ୍ତେ ଟଙ୍କା ପାଇଁ ବାଲେଶ୍ବରର ବ୍ରାଉନସୁଗାର କିଙ୍ଗପିନ୍‌ର ଏଜେଣ୍ଟ ସାଜିଥିଲେ।

ଇଏ କେବଳ ଗୋଟିଏ ଘଟଣା ନୁହେଁ; ଗତ ତିନିବର୍ଷ ଭିତରେ ରାଜଧାନୀ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରୁ ୩୦ରୁ ଅଧିକ ଇଞ୍ଜିନିୟରିଂ ପଢୁଥିବା ଓ ପାସ୍ କରି ସାରିଥିବା ଛାତ୍ର ଗିରଫ ହୋଇ ସାରିଛନ୍ତି। ଆଉ ଏବେ ଏହି ନିଶା କାରବାରରେ ଦୁଇ ଶହରୁ ଅଧିକ ଇଞ୍ଜିନିୟରିଂ ପାସ୍‌ଆଉଟ୍‌ ବା ଛାତ୍ର ସାମିଲ ଥିବା ଜଣାପଡ଼ିଛି। ଅନେକ ପିଲା ଇଞ୍ଜିନିୟରିଂ ପଢ଼ି ସାରି ବେକାର ହୋଇ ବୁଲୁଛନ୍ତି। ଦୀର୍ଘ ଦିନ ଧରି ଗଳିକନ୍ଦିରେ ଚକ୍କର କାଟୁଥିବା ଏହି ବେକାର ଛାତ୍ରମାନେ ଧୀରେ ଧୀରେ ନିଶାଗ୍ରସ୍ତ ହୋଇ ପଡ଼ୁଛନ୍ତି। ଆଉ କମ୍ ଦିନ ଭିତରେ ଅଧିକ ରୋଜଗାର କରିବା ନିଶା ସେମାନଙ୍କୁ ଅପରାଧ ଜଗତକୁ ଟାଣି ଆଣୁଛି। ବ୍ରାଉନସୁଗାର କାରବାର ମଙ୍ଗ ଧରିଥିବା କୁଖ୍ୟାତ ବେପାରୀମାନଙ୍କ ପାଇଁ ଏମାନେ ହିଁ ମୁଖ୍ୟ ଏଜେଣ୍ଟ ସାଜିଛନ୍ତି। ଛୋଟବଡ଼ ବେପାରୀଙ୍କ ପାଖରେ ମାଲ୍‌ ପହଞ୍ଚାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବରରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏଭଳି ପ୍ରାୟ ଦୁଇ ଶହରୁ ଅଧିକ ଇଞ୍ଜିନିୟରିଂ ଛାତ୍ର ବ୍ରାଉନସୁଗାର ବେପାରରେ ସାମିଲ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଏଜେଣ୍ଟ ସାଜିଥିବା ବେଳେ ଆଉ କିଛି ପୋଖତ ବେପାରୀ ପାଲଟି ଗଲେଣି। ପ୍ରଥମେ ସେମାନେ ବ୍ରାଉନସୁଗାର କେଉଁଠାରୁ ଆସୁଛି ତାହାର ରୁଟ୍ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଯେଉଁଠୁ ପୁଡ଼ିଆ କିଣୁଛନ୍ତି ସେହି ଛୋଟ ବେପାରୀଙ୍କୁ ହାତ କରୁଛନ୍ତି। ସେମାନଙ୍କ ପଛରେ କିଛି ଟଙ୍କା ବିନିଯୋଗ କରି ବ୍ରାଉନସୁଗାର ଯୋଗାଉଥିବା ଏଜେଣ୍ଟଙ୍କ ସଂସ୍ପର୍ଶରେ ଆସୁଛନ୍ତି। ଏହା ପରେ ଠିକଣା ଜାଗାରେ ପହଞ୍ଚି ଯାଉଛନ୍ତି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜଳେଶ୍ବରରୁ ବ୍ରାଉନସୁଗାର କିଙ୍ଗପିନ୍‌ଠାରୁ ଏହି ଇଞ୍ଜିନିୟରିଂ ଛାତ୍ରମାନେ କେଜିଏ ମାଲ ଆଣି ବେପାରୀ ପାଖରେ ପହଞ୍ଚାଇ ଦେଲେ ସେମାନଙ୍କୁ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କମିସନ୍ ମିଳୁଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀ ଆଦି ଉପକୂଳ ଜିଲ୍ଲାରେ ଏହି ବିଶାଳ ରାକେଟ୍‌ ସକ୍ରିୟ ରହିଛି। ଏମାନେ ସାଧରଣତଃ ଅଳ୍ପ ବୟସର ଯୁବକ ଓ ସମ୍ଭ୍ରାନ୍ତ ଶ୍ରେଣୀୟ ଭଳି ଦେଖା ଯାଉଥିବାରୁ ସହଜରେ ପୁଲିସର ସନ୍ଦେହ ଘେରକୁ ଆସି ନ ଥାନ୍ତି। ତେଣୁ ନିଶା ବେପାରୀମାନେ ଏମ‌ାନଙ୍କ ଜରିଆରେ ସାରା ଓଡ଼ିଶାକୁ ବ୍ରାଉନସୁଗାର ଚୋରା ଚାଲାଣ କରୁଛନ୍ତି। ଜଣଙ୍କୁ ଦେଖି ଅନ୍ୟ ଜଣେ ନିଶା କାରବାରରେ ପାଦ ଥାପୁଛି। କିଛିଦିନ ମଧ୍ୟରେ ପୂରା ରାକେଟ୍‌ ତିଆରି ହୋଇଯାଉଛି। ଏମାନଙ୍କର ସାଙ୍ଗସାଥୀ, ଚିହ୍ନା ପରିଚିତ ନେଟଓ୍ଵର୍କ ଭଲ ଥିବାରୁ ସହଜରେ ପୁଲିସ କିମ୍ବା ଅବକାରୀ ଜାଲରେ ପଡ଼ୁ ନାହାନ୍ତି। ଆଉ କେତେକ ସ୍ଥାନରେ ଜଣାପଡ଼ୁଥିଲେ ମଧ୍ୟ ସେମାନଙ୍କ ବିରୋଧରେ ସେମିତି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।

ଏ ନେଇ ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ କହିଛନ୍ତି ଯେ ଏହା ନିଶ୍ଚିତ ଭାବେ ଚିନ୍ତାଜନକ ବିଷୟ। ଯେଉଁଠି ଛାତ୍ରମାନେ ହଷ୍ଟେଲ କିମ୍ବା ଶିକ୍ଷାନୁଷ୍ଠାନରେ ନିଶା ସେବନ କରୁଛନ୍ତି; ସେଠାରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଡ୍ରାଇଭ କରିବାର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନ ବାହାରେ ପୁଲିସ ସ୍ବତନ୍ତ୍ର ଡ୍ରାଇଭ କରି ଛାତ୍ରମାନଙ୍କୁ ନିଶା ସେବନ ଓ ନିଶା କାରବାରର ଏହି ବିଷ ବଳୟରୁ ନିବୃତ୍ତ କରିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ।

ସମ୍ବନ୍ଧିତ ଖବର