ନୂତନ ଏଚ୍‌ଆର୍‌ଜି ହଟ୍‌ସ୍ପଟ୍‌ ମ୍ୟାପିଂ ଆରମ୍ଭ, ଡିସେମ୍ବର ସୁଦ୍ଧା ମ୍ୟାପିଂ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

ଭୁବନେଶ୍ବର : ରାଜ୍ୟରେ ନୂତନ ହାଇରିସ୍କ ଗ୍ରୁପ୍ ବା ଏଚ୍‌ଆରଜିଙ୍କ ହଟ୍‌ସ୍ପଟ୍‌ ମ୍ୟାପିଂ ଆରମ୍ଭ ହୋଇଛି। ପୂର୍ବରୁ ଯେଉଁ ଅଞ୍ଚଳରେ ଏଚ୍‌ଆଇଭି ଆକ୍ରାନ୍ତଙ୍କ ହଟ୍‌ସ୍ପଟ୍‌ ରହିଥିଲା, ତାହା ବାଦ୍ ଅନ୍ୟ କେଉଁ ଅଞ୍ଚଳରେ ନୂତନ ହଟସ୍ପଟ୍‌ ସୃଷ୍ଟି ହୋଇଛି ତାହାର ମ୍ୟାପିଂ ହେବ। ଜିଲ୍ଲାସ୍ତରରେ ଏଚ୍‌ଆଇଭିଙ୍କ ପାଇଁ କାର୍ଯ୍ୟ କରୁଥିବା ଟିଆଇ ବା ଟାର୍ଗେଟେଡ୍‌ ଇଣ୍ଟରଭେନ୍‌ସ ଏନ୍‌ଜିଓଙ୍କ ଦ୍ବାରା ଏହି କାର୍ଯ୍ୟ କରାଯିବ। ଆସନ୍ତା ଡିସେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ ‌କରିବାକୁ ରାଜ୍ୟ ଏଡ୍‌ସ୍‌ ନିୟନ୍ତ୍ରଣ ସମିତି ବା ଓସାକ୍ସ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ନୂତନ ଏଚ୍‌ଆରଜି ହଟ୍‌ସ୍ପଟ୍‌ ମ୍ୟାପିଂ କରିବା ଲାଗି ଜାତୀୟ ଏଡ୍‌ସ ନିୟନ୍ତ୍ରଣ ସଂସ୍ଥା ବା ନାକୋ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା। କରୋନା ସଂକ୍ରମଣ ପାଇଁ ଏହା ବିଳମ୍ବିତ ହୋଇଛି। ତେବେ ସଂକ୍ରମଣ ହ୍ରାସ ପାଇବା ପରେ ଏବେ ନିକଟରେ ପୋଗ୍ରାମେଟିକ୍‌ ମ୍ୟାପିଂ ଏଣ୍ଡ ପପୁଲେସନ୍‌ ସାଇଜ୍ ଏଷ୍ଟିମେସନ୍ ବା ପି-ଏମ୍‌ପିଏସ୍‌ଇ ପାଇଁ ଏକ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଏଥିରେ ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶିକା ଡା. ସଂଯୁକ୍ତା ସାହୁଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ, ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶିକା, ଭୁ‌ବନେଶ୍ବର ଏମ୍‌ସର କମ୍ୟୁନିଟି ମେଡିସିନ୍‌ର ପ୍ରଫେସର୍‌, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଜେନେରାଲ ଷ୍ଟଡିଜ୍‌ର ପ୍ରଫେସର୍‌, ଯୁବ ରେଡକ୍ରସ ଅଧିକାରୀ ଓ ଅନ୍ୟମାନେ ରହିଛନ୍ତି। ନିକଟରେ ଏହାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କମିଟି ଜିଲ୍ଲାସ୍ତରୀୟ ହେଉଥିବା ମ୍ୟାପିଂର ନିରୀକ୍ଷଣ କରିବେ।

BioBuzz

ରାଜ୍ୟରେ ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ୫୩୫୬୧ ଏଚ୍‌ଆଇଭି ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିରେ ୧୦,୧୬୦ ମହିଳା ଯୌନକର୍ମୀ, ୨୬୨୦ ପୁରୁଷ ଯୌନକର୍ମୀ ବା ଏମ୍‌ଏସ୍‌ଏମ୍, ୨୧୦୦ ଆଇଡିୟୁ ଓ ୨୩୩୦ ଟିଜି ଏଚ୍‌ଆଇଭି ଆକ୍ରାନ୍ତ ରହିଛନ୍ତି। ଏହାସହ ଟ୍ରକର ଓ ଅନ୍ୟ ଗ୍ରୁପ୍ ମଧ୍ୟ ରହିଛି। ‌ତେବେ ଟ୍ରକର ଓ ଅନ୍ୟ ଗ୍ରୁପ୍‌କୁ ବାଦ୍ ଦେବା ପରେ କେବଳ କୋର ଗ୍ରୁପ୍‌କୁ ନେଇ ମ୍ୟାପିଂ କରାଯିବ। ଫଳରେ ସେହି ଅଞ୍ଚଳରେ ଏଚ୍‌ଆରଜି ସଂପର୍କରେ ତଥ୍ୟ ମିଳିପାରିବ। ରାଜ୍ୟରେ ଏବେ ୨୫ଟି ଟିଆଇ ଜିଲ୍ଲା କାର୍ଯ୍ୟ କରୁଛନ୍ତି। ଜିଲ୍ଲା ପ୍ରଶାସନ ସହାୟତାରେ ଟିଆଇ ଏହି ମ୍ୟାପିଂ କରିବେ ବୋଲି ସୂଚନା ମିଳିଛି।

ଓସାକ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମିଳିତ ଜାତିସଂଘ ବା ୟୁଏନ୍‌ ପକ୍ଷରୁ ୨୦୩୦ ସୁଦ୍ଧା ଏଚ୍‌ଆଇଭି ନିରାକରଣ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏଭଳି ପରିସ୍ଥିତିରେ ନୂତନ ମ୍ୟାପିଂ ଅତ୍ୟନ୍ତ ଜରୁରୀ ହୋଇପଡ଼ୁଛି। ଫଳରେ ନୂଆ ହଟ୍‌ସ୍ପଟ୍‌ ଚିହ୍ନଟ ହେବା ସହ ଏଚ୍‌ଆରଜି ସଂପର୍କ‌ରେ ତଥ୍ୟ ମିଳିପାରିବ। ନୂତନ ଆକ୍ରାନ୍ତମାନଙ୍କୁ ବର୍ଷକୁ ଦୁଇଥର ନାକୋର ଗାଇଡଲାଇନ୍‌ ଅନୁଯାୟୀ ଆବଶ୍ୟକ ସେବା ଯୋଗାଇ ଦିଆଯିବ। ହଟ୍‌ସ୍ପଟ୍‌ ଚିହ୍ନଟ ହେବା ପରେ ଏ ସଂପର୍କରେ ନାକୋକୁ ସୂଚନା ଦିଆଯିବ। ଫଳରେ ନାକୋ ପକ୍ଷରୁ ଏନେଇ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯିବ। ୨୦୧୭ ମସିହାରେ ରାଜ୍ୟରେ ଶେଷଥର ଲାଗି ସେଣ୍ଟିନାଲ ସର୍ଭେ କରାଯାଇଥିଲା। ଏହା ଅନୁଯାୟୀ ‌ଏବେ ରାଜ୍ୟରେ ଏଚ୍‌ଆଇଜି କାର୍ଯ୍ୟକ୍ରମ କରାଯାଉଛି। ନୂତନ ଏଚ୍‌ଆରଜି ହଟସ୍ପଟ୍ ମ୍ୟାପିଂ ପରେ ସେହି ଲୋକମାନଙ୍କ ଉପରେ ଅଧିକ ଫୋକସ୍ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର