୧୫ରୁ ଏସ୍‌ସିବିରେ ଏକ୍‌ମୋ ସେବା, କୋଭିଡରୁ ସୁସ୍ଥ ରୋଗୀଙ୍କ ପାଇଁ ସଂରକ୍ଷିତ ରହିବ ଅଧିକ ମେସିନ୍

ତାଲିମ ପାଇଁ କୋଲକାତା ଯିବ ଆଉ ଏକ ବ୍ୟାଚ୍

ଭୁବନେଶ୍ବର : ରାଜ୍ୟରେ ଏକ୍‌ମୋକୁ ନେଇ ଥିବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଆସନ୍ତା ସ୍ବାଧୀନତା ଦିବସରେ ଏସ୍‌ସିବି ମେଡିକାଲ କଲେଜରେ ଏକ୍‌ମୋ ସେବା ଆରମ୍ଭ ହେବ। ଏଥିପାଇଁ ୯ଟି ମେସିନ୍ ଇନଷ୍ଟଲ ହୋଇସାରିଛି। ଆବଶ୍ୟକ ମାନବ ସମ୍ବଳକୁ ମଧ୍ୟ ନିଯୁକ୍ତି ଦିଆଯାଇଥିବା କହିଛନ୍ତି ଡିଏମ୍‌ଇଟି ପ୍ରଫେସର ଡା. ସିବିକେ ମହାନ୍ତି। ପ୍ରଫେସର ମହାନ୍ତି କହିଛନ୍ତି ଯେ ଆସିଥିବା ୯ଟି ମେସିନ୍‌କୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏବେ କୋଭିଡ୍‌ରୁ ସୁସ୍ଥ ହୋଇଥିବା ଲୋକଙ୍କର ଅଧିକ ଏକ୍‌‌ମୋ ମେସିନ୍‌ର ଆବଶ୍ୟକତା ପଡ଼ୁଛି। ସେଥିପାଇଁ କୋଭିଡ୍‌ ସୁସ୍ଥ ରୋଗୀଙ୍କ ପାଇଁ ବଡ଼ ୟୁନିଟ୍‌ କରାଯିବ। ସଂକ୍ରମିତଙ୍କ ପାଇଁ ଛୋଟ ୟୁନିଟ୍‌ ହେବ। ସୁସ୍ଥ ହେଉଥିବା ଲୋକଙ୍କ ପାଇଁ ୬ଟି ମେସିନ୍‌ ଓ ସଂକ୍ରମିତଙ୍କ ପାଇଁ ୩ଟି ମେସିନ୍ ବ୍ୟବହାର କରାଯିବ।

ଏକମୋ ମେସିନ୍‌ର ପରିଚାଳନା ପାଇଁ ଆବଶ୍ୟକ ମାନବସମ୍ବଳ ନିଯୁକ୍ତ ହୋଇଛନ୍ତି। ଗୋଟିଏ ବ୍ୟାଚ୍ କୋଲକାତାରୁ ତାଲିମ୍‌ ନେଇ ଫେରିଛନ୍ତି। ଆଉ ଏକ ଟିମ୍ ଖୁବ୍‌ଶୀଘ୍ର କୋଲକାତା ଯିବାର କାର୍ଯ୍ୟକ୍ରମ ରହିଥିବା ସେ କହିଛନ୍ତି। କରୋନାର ଦ୍ବିତୀୟ ଲହରରେ ବହୁ ସଂଖ୍ୟାରେ ସଂକ୍ରମିତଙ୍କ ଏକ୍‌ମୋ ମେସିନ୍‌ର ଆବଶ୍ୟକତା ପଡ଼ିଥିଲା। ରାଜ୍ୟରେ ଏହି ସୁବିଧା ନ ଥିବାରୁ ଅନେକଙ୍କୁ ରାଜ୍ୟ ବାହାରକୁ ଯିବାକୁ ପଡ଼ିଥିଲା। ତେଣୁ ରାଜ୍ୟରେ ଏକ୍‌ମୋ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ସରକାର ୯ଟି ମେସିନ୍ କିଣିବା ଲାଗି ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର