ବନ୍ଧା ପଡ଼ିଛି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ : ଋଣ ନେଇ ୮୭ ପ୍ରଯୋଜକ ପାର୍‌, ନିଗମର କ୍ଷତି ୮ କୋଟି

କଟକ : ମୂଳଠାରୁ ବଳି ପଡ଼ିଲାଣି ସୁଧ। ଯେଉଁମାନ ଦିନେ ଋଣ ପାଇଁ ସରକାରଙ୍କ ପାଖରେ ଚକ୍କର କାଟୁଥିଲେ ଏବେ ସେମାନେ ଆଉ ଅଫିସ ଦୁଆର ମାଡ଼ୁ ନାହାନ୍ତି। ଏହା ଭିତରେ କେତେ ଋଣଗ୍ରହିତା ମରିହଜି ଗଲେଣି। ତହସିଲ ପ୍ରଶାସନ ବି ଉତ୍ତରାଧିକାରୀ ସାର୍ଟିଫିକେଟ ଦେଉନାହିଁ। ଏପ‌ଟେ ଋଣ ପରିଶୋଧ ପାଇଁ ବ୍ୟାଙ୍କ ତନାଘନା କରୁଛି। ଋଣ ଆଦାୟ ନ ହେବ‌ାରୁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବେ ଏକରକମ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଚଳଚ୍ଚିତ୍ର ଶିଳ୍ପର ବିକାଶ ପାଇଁ ୧୯୭୬ ମସିହାରେ ଗଠିତ ହୋଇଥିଲା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ। ରାଜ୍ୟରେ ଉନ୍ନତ ମାନର ସିନେମା ହଲ ନିର୍ମାଣ ତଥା ପ୍ରଯୋଜକମାନଙ୍କୁ ଋଣ ତଥା ସବ୍‌ସିଡି ଦେବା ନିଗମର ମୂଳ ଲକ୍ଷ୍ୟ ଥିଲା। ଏହି କ୍ରମରେ ୧୯୮୨ ମସିହାରୁ ନିଗମ ଚଳଚ୍ଚିତ୍ର ପ୍ରଯୋଜକମାନଙ୍କୁ ଋଣ ଦେବା ଆରମ୍ଭ କରିଥିଲା। ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରାଯାଇଥିବାବେଳେ ନିଗମ ଏଥିରେ ନିଜେ ଗ୍ୟାରେଣ୍ଟର ରହିଥିଲା। ୧୯୮୨ ରୁ ୧୯୯୬ ମସିହା ପର୍ଯ୍ୟନ୍ତ ନିଗମ ଦେଢ଼ଶହ ବ୍ୟକ୍ତିଙ୍କୁ ଋଣ ପ୍ରଦାନ କରିଥିଲା। ତେବେ ଏହି ଦେଢ଼ ଶହ ପ୍ରଯୋଜକଙ୍କ ମଧ୍ୟରୁ ମାତ୍ର ୬୩ ଜଣ ଋଣ ପରିଶୋଧ କରିଥିବାବେଳେ ଅବଶି‌ଷ୍ଟ ୮୭ ଜଣ ଏ ଯାବତ ଋଣ ପରିଶୋଧ କରି ନାହାନ୍ତି। ଏହି ୮୭ ଜଣ ପ୍ରଯୋଜକଙ୍କ ମୂଳ ଋଣ ୨ କୋଟି ୭୦ ଲକ୍ଷ ଟଙ୍କା ଥିବାବେଳେ ଏବେ ସୁଧ ମୂଳ ମିଶି ୮ କୋଟି ଟଙ୍କାରେ ପହଞ୍ଚିଛି।

ସର୍ତ୍ତ ଅନୁଯାୟୀ, ପ୍ରଯୋଜକ ୧୦ ପ୍ରତିଶତ ସୁଧରେ ଟଙ୍କା ପରିଶୋଧ କରିଥାନ୍ତେ। ପ୍ରଥମ ବର୍ଷ ପ୍ରଯୋଜକଙ୍କୁ ଋଣ ପରିଶୋଧରୁ ମୁକ୍ତ କରାଯାଇଥିବାବେଳେ ପର ବର୍ଷ ସୁଝିବା ପାଇଁ ଚୁକ୍ତି ଥିଲା। ଏତେ ସରଳୀକରଣ ବ୍ୟବସ୍ଥା ସତ୍ତ୍ବେ ପ୍ରଯୋଜକମାନେ ଋଣ ପରିଶୋଧ କରୁ ନ ଥିବା ଅଭିଯୋଗ ହୋଇଛି। ଋଣ ପୈଠ ନ ହେବାରୁ ବ୍ୟାଙ୍କ ଏହି ଖିଲାପି ପ୍ରଯୋଜକଙ୍କ ନାଁରେ ମାମଲା ରୁଜୁ କରିଛି। ମାତ୍ର ଏହାର କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହି ଖିଲାପି ପ୍ରଯୋଜକମାନଙ୍କ ମଧ୍ୟରୁ କେତେ ଜଣଙ୍କ ମୃତ୍ୟୁ ଘଟିଲାଣି। କିନ୍ତୁ ତହସିଲ ପ୍ରଶାସନ ଏ କ୍ଷେତ୍ରରେ ଉତ୍ତରାଧିକାରୀ ପ୍ରମାଣପତ୍ର ପ୍ରଦାନ କରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ମାମଲା ଅଦାଲତରେ ପହଞ୍ଚି ଥିବାରୁ ଋଣ ଖିଲାପିମାନେ କୋର୍ଟରେ ତାରିଖ ପରେ ତାରିଖ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଏହିସବୁ ଋଣ ଖିଲାପି ପ୍ରଯୋଜକମାନଙ୍କର ଏକକାଳୀନ ଋଣ ପରିଶୋଧ ପାଇଁ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ୨୦୦୯ରେ ରାଜ୍ୟ ଶିଳ୍ପ ବିଭାଗକୁ ଚିଠି ଲେଖିଥିଲା। କିନ୍ତୁ ଏ ଯାବତ ଏହା ଉପରେ କୌଣସି ପଦ‌େକ୍ଷପ ଗ୍ରହଣ କରାଯାଇନାହିଁ। ଶିଳ୍ପ ବିଭାଗରେ ବାରମ୍ବାର ଅଫିସର ବଦଳିବା ଯୋଗୁ ଏହି ନିୟମ କାର୍ଯ୍ୟକାରୀ ହେବାରେ ବିଳମ୍ବ ଘଟୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ କୁନା ତ୍ରପାଠୀ କହିଛନ୍ତି, ଏହା ଦୀର୍ଘ ୩୦ବର୍ଷର ସମସ୍ୟା। ଋଣ ପରିଶୋଧ ନ ହେବାରୁ ସୁଧମୂଳ ମିଶି ୮ କୋଟିରେ ପହଞ୍ଚିଛି। ତଥାପି ଏକକାଳୀନ ଋଣ ପରିଶୋଧ ଯୋଜନା ପାଇଁ ସରକାରଙ୍କଠାରୁ ଅନୁମତି ଲୋଡ଼ା ଯାଇଛି। ଋଣଗ୍ରହିତାଙ୍କଠାରୁ ୭୦ ପ୍ରତିଶତ ସୁଧ ଛାଡ଼ ପାଇଁ ନିଗମ ଚିଠି ଲେଖିଛି। ଏହାଦ୍ବାରା ମୂଳ ଆଦାୟ ହୋଇପାରିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର