ରାଜ୍ୟ ପର୍ଯ୍ୟଟନ ବିଭାଗରେ ୧୦ ବର୍ଷରେ ୧୨ ସଚିବ, ୧୨ ନିର୍ଦ୍ଦେଶକଙ୍କ ବଦଳି 

ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ ବିଭାଗରେ ଏବେ ବିଚିତ୍ର ସ୍ଥିତି ଦେଖାଦେଇଛି। ପ୍ରଶାସନିକ ସ୍ତରରେ ଅସ୍ଥିରତା ଚରମ ସୀମା ଛୁଇଁଛି। ବାରମ୍ବାର ସଚିବ ଓ ନିର୍ଦ୍ଦେଶକଙ୍କ ବଦଳି ବିଭାଗକୁ ଏକ ପ୍ରକାର ସ୍ଥାଣୁ କରିବାକୁ ବସିଲାଣି। କିଛି ନିୟମିତ କାର୍ଯ୍ୟ ବ୍ୟତୀତ କୌଣସି ନୂଆ ପ୍ରକଳ୍ପ ଠିକ୍ ସମୟରେ କାର୍ଯ୍ୟକାରୀ ନ ହେବାର ଏହା ଏକ ପ୍ରମୁଖ କାରଣ ‌ବୋଲି କୁହାଯାଉଛି। ପର୍ଯ୍ୟଟନ ବିଭାଗର ଏହି ଅଲୋଡ଼ା ରେକର୍ଡ ପାୱାର୍ କରିଡର୍‌ରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।

୨୦୦୯ରୁ ୨୦୧୯ ମଧ୍ୟରେ ୧୨ ଜଣ ସଚିବ ଦାୟିତ୍ବ ନେଇଛନ୍ତି। ସେମାନେ ହେଲେ ପରାଗ ଗୁପ୍ତା, ମୋନା ଶର୍ମା, ସନ୍ତୋଷ ଷଡ଼ଙ୍ଗୀ, ଅଶୋକ ତ୍ରିପାଠୀ, ଏସ୍ ପି ଠାକୁର, ଅରବିନ୍ଦ ପାଢ଼ୀ, ଏଲ୍‌ ଏନ୍ ଗୁପ୍ତା, ଗଗନ ଧଳ, ଆରତି ଆହୁଜା ଓ ବିଶାଲ ଦେବ। ଏମାନଙ୍କ ମଧ୍ୟରୁ ମୋନା ଶର୍ମା ଓ ଏଲ୍‌ ଏନ୍ ଗୁପ୍ତା ଦୁଇ ଥର ଲେଖାଏ ଦାୟିତ୍ବ ‌େନଇଛନ୍ତି। କିଛି ସଚିବ ମାତ୍ର ତିନି ମାସ ମଧ୍ୟ କାମ କରିଛନ୍ତି। କେବଳ ଅଶୋକ ତ୍ରିପାଠୀ ଅଢ଼େଇ ବର୍ଷରୁ ଅଧିକ ସମୟ କାମ କରିଛନ୍ତି। କେବଳ ସଚିବ ନୁହନ୍ତି, ନିର୍ଦ୍ଦେଶକ ପଦବିରେ ମଧ୍ୟ ଅସ୍ଥିରତା ଆହୁରି ଅଧିକ।

ଗତ ୧୦ ବର୍ଷ ଭିତରେ କାମ କରିଥିବା ନିର୍ଦ୍ଦେଶକମାନେ ହେଲେ ଆର୍ ଏନ୍ ନନ୍ଦ, ଟି ଆପାଙ୍ଗ ଆଓ, ହରିଶଙ୍କର ଉପାଧ୍ୟାୟ, ମନୋରଞ୍ଜନ ପଟ୍ଟନାୟକ, ଅଶୋକ ତାରେଣିଆ, ଅନିଲ ସାମଲ, ନୀତିନ ଭାନୁଦାସ ଜାୱଲେ, ଅର୍ଚ୍ଚନା ପଟ୍ଟନାୟକ, ଆର୍ ପି ସିଂହ, ବିଭୂତି ଭୂଷଣ ପଟ୍ଟନାୟକ ଓ ନିର୍ମଳ ମିଶ୍ର। ନି‌ର୍ଦ୍ଦେଶକଙ୍କ ମଧ୍ୟରେ କେବଳ ନୀତିନ ଭାନୁଦାସ ଜାୱଲେ ସର୍ବାଧିକ ସମୟ କାର୍ଯ୍ୟ କରିଛନ୍ତି। ବର୍ତ୍ତମାନର ନିର୍ଦ୍ଦେଶକ ନିର୍ମଳ ମିଶ୍ରଙ୍କ କାର୍ଯ୍ୟକାଳ ଚାରି ମା‌ସ ନ ପୂରୁଣୁ ତାଙ୍କୁ ବଦଳି କରାଯାଇଛି। ନୂଆ ନିର୍ଦ୍ଦେଶକଙ୍କୁ ଏ ଯାଏ ନିଯୁକ୍ତି ଦିଆଯାଇନି।

ସଚିବ ଓ ନିର୍ଦ୍ଦେଶକ ଭାବେ ଯେଉଁମାନେ ନିଯୁକ୍ତି ପାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟନ ସଂକ୍ରାନ୍ତୀୟ ବିଭିନ୍ନ ରୋଡ୍‌ ସୋ’ ଓ ପ୍ରଦର୍ଶନୀରେ ଭାଗ ନେବା ପାଇଁ ରାଜ୍ୟ ବାହାରକୁ ଓ ବିଦେଶ ଯାଉଛନ୍ତି। କିନ୍ତୁ ସେଠାରୁ ‌େଫରିଲା ପରେ ସେମାନଙ୍କ ଅଭିଜ୍ଞତା କିଛି କାମରେ ଲାଗୁନି।

ସମ୍ବନ୍ଧିତ ଖବର