ନାରୀ ସଶକ୍ତୀକରଣ ବ୍ୟବସ୍ଥାରେ ରାଜ୍ୟର ୧ କୋଟି ମହିଳା ଯୋଡ଼ି ହୋଇଛନ୍ତି : ରାଜ୍ୟପାଳ

ଭୁବନେଶ୍ବର: ଓଡ଼ିଶାରେ ନାରୀ ସଶକ୍ତୀକରଣ ପାଇଁ ପ୍ରଶଂସନୀୟ ଉଦ୍ୟମ ହେଉଛି। ଏହାର ପ୍ରଭାବ ସବୁସ୍ତରରେ ଅନୁଭୂତ ହେଉଛି। ନାରୀ ସଶକ୍ତୀକରଣ ବ୍ୟବସ୍ଥାରେ ରାଜ୍ୟର ୧ କୋଟି ମହିଳା ଯୋଡ଼ି ହୋଇଛନ୍ତି। ସେଥିପାଇଁ ଓଡ଼ିଶା ସୌଭାଗ୍ୟଶାଳୀ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ହୋଟେଲ ସ୍ବସ୍ତି ପ୍ରିମିୟମ ପରିସରରେ ଫିକି, ମିସନ ଶକ୍ତି‘ସମ୍ବାଦ’ର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମ ‘ଓଡ଼ିଶା-୫୦’ର ଉଦ୍ଯା ପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ କହିଥିଲେ, ଭାରତରେ ଯୁଗେ ଯୁଗେ ନାରୀକୁ ପ୍ରାଧାନ୍ୟ ଦିଆଯାଇଛି। ଆଜି ସାରା ରାଜ୍ୟରୁ ଚୟନ କରାଯାଇ ଯେଉଁମାନଙ୍କୁ ‘ଶାରଦା ସୀମା’ ସମ୍ମାନ ଦିଆଯାଉଛି, ଯେଉଁମାନଙ୍କ ପାଇଁ ଏଠାରେ ଉତ୍ସବର ଆୟୋଜନ ହୋଇଛି ତାହା ହିଁ ନାରୀ ସଶକ୍ତୀକରଣର ନିଦର୍ଶନ। ମହିଳା ସଶକ୍ତୀକରଣ ଓ ମହିଳା ଔଦ୍ୟୋଗିକତା କ୍ଷେତ୍ରରେ ଏହି ପ୍ରୟାସ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ମତ ରଖିଥିଲେ।

ମୁଖ୍ୟବକ୍ତା ଭାବେ ସମ୍ବାଦ ଗ୍ରୁପ୍ ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ଯେ ପର୍ଯ୍ୟନ୍ତ ମହିଳାମାନଙ୍କୁ ଆମେ ସଶକ୍ତ କରାଇ ନାହୁଁ, ସେ ପର୍ଯ୍ୟନ୍ତ ଆମେ ସଫଳ ବୋଲି କହି ପାରିବା ନାହିଁ। ସେଥିପାଇଁ ଏହି ସଶକ୍ତୀକରଣର ପରିକଳ୍ପନା। ସମଗ୍ର ରାଜ୍ୟରୁ ସଫଳ ମହିଳା ଉଦ୍ୟୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଗତ ବର୍ଷ ଯେଉଁ ମହାଯଜ୍ଞର ଶୁଭାରମ୍ଭ ହୋଇଥିଲା ତାହାର ଆଜି ପୂର୍ଣ୍ଣାହୁତି ହୋଇଛି। ମୟୂରଭଞ୍ଜରୁ ମାଲକାନଗିରି ପର୍ଯ୍ୟନ୍ତ ଏଭଳି ମହିଳାଙ୍କୁ ଚିହ୍ନଟ କରି ଏପର୍ଯ୍ୟନ୍ତ ଆଣିବା ଯଦିଓ କଷ୍ଟକର ବ୍ୟାପାର ମନେ ହେଉଥିଲା ତାହା ‘ସମ୍ବାଦ’ ପ୍ରତିନିଧିମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁ ସଫଳ ହୋଇଛି। ରାଜ୍ୟର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ପ୍ରତ୍ୟେକ ଘରେ ଗୋଟିଏ ମା’ ଓ ଗୋଟିଏ ଭଉଣୀ ଜଗିଛି ବୋଲି ଆଜି ପ୍ରମାଣିତ ହୋଇଛି। ସେ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବା ଖିମ୍ଜି ଫାଉଣ୍ଡେସନକୁ ଧନ୍ୟବାଦ ଜଣାଇଥିଲେ।

ସ୍ବାଗତ ଭାଷଣ ଦେବା ଅବସରରେ ଫିକି ଓଡ଼ିଶା ଷ୍ଟେଟ୍ କାଉନ୍ସିଲ୍ ଅଧ୍ୟକ୍ଷା ତଥା ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ମହିଳା ସଶକ୍ତୀକରଣ ବ୍ୟବସ୍ଥାରେ ଜାତୀୟସ୍ତରର ଗ୍ରେଟର-୫୦ କାର୍ଯ୍ୟକ୍ରମରୁ ଓଡ଼ିଶା-୫୦ର ପରିକଳ୍ପନା ହୋଇଥିଲା। ଗ୍ରାମାଞ୍ଚଳରେ ରହିଥିବା ସଫଳ ମହିଳା ଉଦ୍ୟୋଗୀଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଯୋଜନା ହୋଇଥିଲା। ଆମେ ଭାବିନଥିଲୁ ରାଜ୍ୟରୁ ୫ ହଜାର ସଫଳ ମହିଳା ଉଦ୍ୟୋଗୀଙ୍କୁ ଖୋଜି ପ୍ରଶିକ୍ଷଣ ଦେଇପାରିବୁ। ଗତବର୍ଷ ଅଗଷ୍ଟ ୩୦ ତାରିଖରେ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଥିଲା। ସ୍ବତନ୍ତ୍ର ଜୁରି ସେମାନଙ୍କ ମଧ୍ୟରୁ ୧୦୦ ଶ୍ରେଷ୍ଠ ଉଦ୍ୟୋଗୀ ବାଛିଥିଲେ। ସେମାନେ ଆଜି ଏଠାକୁ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ବଛା ଯାଇଥିବା ‘ଶ୍ରେଷ୍ଠ ୩୩’ଙ୍କୁ ‘ଶାରଦା ସୀମା’ ସମ୍ମାନ ଆଜି ପ୍ରଦାନ କରାଯାଉଛି ବୋଲି ସେ କହିଥିଲେ।

ଏହି ଅବସରରେ ଏକ କଫିଟେବୁଲ୍ ବୁକ୍ ଉନ୍ମୋଚିତ ହୋଇଥିଲା। ଖିମ୍ଜି ଫାଉଣ୍ଡେସନ ସଦସ୍ୟ ମିତେଶ ଓ ସୁମିତ ଖିମ୍ଜିଙ୍କ ଉପସ୍ଥିତିରେ ରାଜ୍ୟପାଳ ଏହି ପୁସ୍ତକକୁ ଉନ୍ମୋଚନ କରିଥିଲେ। ଶ୍ରେଷ୍ଠ ଶହେ ମହିଳାଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଶ୍ରୀମତୀ ପଟ୍ଟନାୟକଙ୍କ ମା’ଙ୍କ ସ୍ମୃତିରେ ରାଜ୍ୟପାଳ ୩୩ଜଣଙ୍କୁ ‘ଶାରଦା ସୀମା ସମ୍ମାନ’ରେ ସମ୍ମାନିତ କରିଥିଲେ। ‘ସମ୍ବାଦ’ ପ୍ରକାଶକ ତଥା ସିଓଓ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ ଓ ଉପ ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର ପ୍ରମୁଖ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ। କନକ ନ୍ୟୁଜର ଉପସ୍ଥାପିକା ସ୍ବସ୍ତିକା ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର