ବିଚ୍ଛିନ୍ନାଞ୍ଚଳରେ ଥିବା ରେଳଷ୍ଟେସନରେ ଲାଗିବ ଓଡ଼ିଆ ନାମଫଳକ, ପ୍ରତିଶ୍ରୁତି ଦେଲେ ରେଳମନ୍ତ୍ରୀ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସମୟରେ ରବିବାର ଦିନ ଉତ୍କଳ ସମ୍ମିଳନୀର ସଭାପତି ଡ. ଅଦ୍ବୈତ କୁମାର ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଶ୍ରୀ ବୈଷ୍ଣବଙ୍କୁ ଭୁବନେଶ୍ବରରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଝାଡ଼ଖଣ୍ଡର ଅବିଭକ୍ତ ସିଂହଭୂମ, ପଶ୍ଚିମବଙ୍ଗ ଅବିଭକ୍ତ ମେଦିନପୁର ଓ ଆନ୍ଧ୍ର ଅବିଭକ୍ତ ବିଶାଖାପାଟଣା ଆଦି ଓଡ଼ିଆ ଅଧ୍ୟୁଷିତ ଅଞ୍ଚଳରେ ଥିବା ବିଭିନ୍ନ ରେଳ ଷ୍ଟେସନର ନାମ ଫଳକ ଓଡ଼ିଆରେ ଲେଖିବା, ଓଡ଼ିଆରେ ଘୋଷଣା ହେବା ଏବଂ ରେଳ ଟିକେଟ ଅନ୍ୟ ଭାଷା ସହିତ ଓଡ଼ିଆରେ ଲେଖା ହେବା ଉପରେ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ। ଏହା ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ପ୍ରକାଶଥାଉକି, ଏହି ସବୁ ଓଡ଼ିଆ ଅଞ୍ଚଳରେ ଥିବା ରେଳ ଷ୍ଟେସନରେ ବ୍ରିଟିଶ ଶାସନ ତଥା ସ୍ବାଧୀନତା ପରେ ମଧ୍ୟ ଓଡ଼ିଆରେ ନାମ ଫଳକ ଥିଲା। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍କଳ ସମ୍ମିଳନୀର ପଶ୍ଚିମ ସିଂହଭୂମ, ପୂର୍ବ ସିଂହଭୂମ, ଷଢେଇକଳା-ଖରସୁଆଁ, ପୂର୍ବ ମେଦିନପୁର, ପଶ୍ଚିମ ମେଦିନପୁର, ଝାଡ଼ଗ୍ରାମ, ବାଲେଶ୍ବର, ଜଳେଶ୍ବର, ବାଲିଆପାଳ, ଗଞ୍ଜାମ, କୋରାପୁଟ, ରାୟଗଡ଼ା ଓ ଗୁଣପୁର ଶାଖାର ସଭାପତି, ସମ୍ପାଦକମାନେ ରେଳ ମନ୍ତ୍ରୀ ଓ ଭାଇଜାକ୍, ଖଡଗପୁର ଓ ଚକ୍ରଧରପୁର ରେଳ ଡିଭିଜନ ମ୍ୟାନେଜରଙ୍କୁ ଡାକ ଓ ଇ-ମେଲ୍‌ ମାଧ୍ୟମରେ ଚିଠି ପଠାଇଥିଲେ। ଏହା ସହ ସିଂହଭୂମର ବିଧାୟକ, ପ୍ରାକ୍ତନ ବିଧାୟକ ଓ ରେଳ ଡିଭିଜନ ମ୍ୟାନେଜରଙ୍କୁ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତାମାନେ ଭେଟି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର