ସଡ଼କ ନିରାପତ୍ତା ସଂକ୍ରାନ୍ତ ସଂସଦୀୟ ନିର୍ବାଚନ ମଣ୍ଡଳୀ ବୈଠକ : ଦୁର୍ଘଟଣା ରୋକିବାକୁ ସଚେତନତା ଏକମାତ୍ର ବିକଳ୍ପ: ଅଧ୍ୟକ୍ଷ

ଭୁବନେଶ୍ବର : ଟ୍ରାଫିକ ନିୟମର କଡ଼ାକଡ଼ି ଅନୁପାଳନ ଓ ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଗଲେ ସଡ଼କ ଦୁର୍ଘଟଣା ବହୁ ପରିମାଣରେ ରୋକା ଯାଇପାରିବ। ଶନିବାର ଭୁବନେଶ୍ବରଠାରେ ଲୋକସଭା ସାଂସଦ ପିନାକୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ନିର୍ବାଚନ ମଣ୍ଡଳୀ ସଡ଼କ ସୁରକ୍ଷା କମିଟି ବୈଠକରେ ମତ ପ୍ରକାଶ ପାଇଛି। ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ସାଂସଦ ଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଖୋର୍ଦ୍ଧା ଜିଲ୍ଲା ପାଇଁ ଏହି କମିଟି ଗଠନ କରାଯାଇଛି। କମିଟି ଖୋର୍ଦ୍ଧା ଜିଲ୍ଲାରେ ସଡ଼କ ନିରାପତ୍ତା କାର୍ଯ୍ୟକ୍ରମର ତଦାରଖ କରିବା ସହିତ ସଡ଼କ ଦୁର୍ଘଟଣା ସମ୍ବନ୍ଧୀୟ ତଥ୍ୟର ତର୍ଜମା ଓ ଏହାର ଆଧାରରେ ଦୁର୍ଘଟଣାର କାରଣ ଓ ପ୍ରତିକାର ନିମନ୍ତେ ଜାତୀୟ ଓ ରାଜ୍ୟ ସଡ଼କ ସୁରକ୍ଷା ପରିଷଦକୁ ପ୍ରସ୍ତାବ ପ୍ରଦାନ କରିବ। ଏହାସହିତ ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ହ୍ରାସ କରିବା ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ସହ ଏହାର ସଫଳ ରୂପାୟନ ଦିଗରେ କମିଟି ପଦକ୍ଷେପ ଗ୍ରହଣ କରିବ।

ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମିଶ୍ର କହିଥିଲେ, ସଡ଼କ ସୁରକ୍ଷା ଦିଗରେ ୪’ଇ’-ଏଜୁକେସନ୍‌, ଏନ୍‌ଫୋର୍ସ୍‌ମେଣ୍ଟ୍‌, ଏମରଜେନ୍‌ସି ଓ ଇଞ୍ଜିନିୟରିଂ ଉପରେ ଗୁରୁତ୍ବ ଦିଆଯାଇଛି। ଶିକ୍ଷା, ସଚେତନତା, ଟ୍ରାଫିକ୍‌ ନିୟମର କଡ଼ାକଡ଼ି ଅନୁପାଳନ, ଜରୁରୀକାଳୀନ ପଦକ୍ଷେପ ଗ୍ରହଣ, ରାସ୍ତା ନିର୍ମାଣ କ୍ଷେତ୍ରରେ ଇଞ୍ଜିନିୟରିଂ ଜ୍ଞାନ କୌଶଳର ବ୍ୟବହାର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଯାନବାହାନର ସର୍ବାଧିକ ବେଗ ସୀମା ନିର୍ଦ୍ଧାରଣ, ସୁରୁଖୁରୁରେ ଯାତାୟତ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଆଦିର ନିୟମତି ବ୍ୟବଧାନରେ ସମୀକ୍ଷା, ଦୁର୍ଘଟଣା ସମୟରେ ଦୁର୍ଘଟଣା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ଜନସାଧାରଣ ଆଗେଇ ଆସିବା ଦିଗରେ ପ୍ରୋତ୍ସାହିତ କରିବା, ସହର ଓ ଗ୍ରାମ ପଞ୍ଚାୟତରେ ଟ୍ରାଫିକ୍‌ ପାର୍କ ଓ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ଏବଂ ଜିଲ୍ଲା ସ୍ତରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନକୁ ସାମିଲ କରି ସଡ଼କ ସୁରକ୍ଷା ଅଭିଯାନକୁ ବ୍ୟାପକ କରିବା ପାଇଁ ବୈଠକରେ ଶ୍ରୀ ମିଶ୍ର ଗୁରୁତ୍ବ ଦେଇଥିଲେ।

କମିଟି ସଦସ୍ୟ ତଥା ରାଜ୍ୟ ସଭା ସାଂସଦ ଅମର ପଟ୍ଟନାୟକ କହିଥିଲେ, କରୋନା ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା। ସେତେବେଳେ ଦୁର୍ଘଟଣା ସଂପୂର୍ଣ୍ଣ ହ୍ରାସ ପାଇଥିଲା। ଆଉ ଏବେ ଜନ ଜୀବନ ସ୍ବାଭାବିକ ହେବା ପରେ ପୁଣିଥରେ ଦୁର୍ଘଟଣା ହାର ବଢ଼ିଚାଲିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୦ ପ୍ରତିଶତ ସଡ଼କ ଦୁର୍ଘଟଣା କମାଇବା ପାଇଁ ଏଭଳି ସଂସଦୀୟ କମିଟି ବୈଠକ ବସୁଛି। ସଡ଼କ ସୁରକ୍ଷା କ୍ଷେତ୍ରରେ କେବଳ ପୁଲିସ୍, ଟ୍ରାଫିକ୍ ଓ ସଡ଼କ ତିଆରି କରୁଥିବା ଲୋକଙ୍କ ଦାୟିତ୍ବ ବୋଲି ଭାବିବା ଠିକ୍‌ ନୁହେଁ। ଦୁର୍ଘଟଣା ରୋକିବାରେ ଆମ ସମସ୍ତଙ୍କର ଭୂମିକା ରହିଛି। ତେଣୁ ଆମେ ବିଶେଷ ଭାବେ ସଚେତନ ହୋଇ ତ୍ରୁଟି ଗୁଡ଼ିକୁ ସୁଧାରି ପାରିଲେ ସମାଜର ମଙ୍ଗଳ ହେବ। ସେହିପରି ବିଧାୟକ ଅନନ୍ତ ନାରାୟଣ ଜେନା ଏନ୍‌ଏଚ୍‌ଆଇର ମନମୁଖି କାମକୁ ଟାର୍ଗେଟ୍ କରିବା ସହିତ ଖଣ୍ଡଗିରି ଫ୍ଲାଏଓଭର୍ କାମ କେବେ ସରିବ ବୋଲି ବୈଠକରେ ପ୍ରଶ୍ନ କରିଥିଲେ। ଖାଲି ସେତିକି ନୁହେଁ ଅଣ୍ଡରପାସ୍ ଗୁଡ଼ିକର ଉଚ୍ଚତା ବଢ଼ାଇବା ସହିତ ପ୍ରଶସ୍ତ କରିବାକୁ ମଧ୍ୟ ସେ ଦାବି କରିଥିଲେ। ଖଣ୍ଡଗିରି ଫ୍ଲାଏ ଓଭର ଓ ବରମୁଣ୍ଡା ବସ୍‌ ଷ୍ଟାଣ୍ଡ ସର୍ଭିସ୍ ରୋଡ୍ କାମ ମେ’ ମାସ ଦ୍ବିତୀୟ ସପ୍ତାହ ସୁ୍ଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଏନ୍‌ଏଚ୍‌ଆଇ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳ ତଥା ସଡ଼କ ସୁରକ୍ଷା କମିଟିର ସଦସ୍ୟ ସଚିବ ସନତ କୁମାର ମହାନ୍ତିଙ୍କ ସମେତ ଜିଲ୍ଲାର ବରିଷ୍ଠ ପଦାଧିକାରୀ, ଆରକ୍ଷୀ ଅଧୀକ୍ଷକ, ବରିଷ୍ଠ ପୁଲିସ ଅଧିକାରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ, ଭୁବନେଶ୍ବର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଦୀପ କୁମାର ମହାନ୍ତି ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ସେମାନଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର