ଦରଡ଼ା: ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଫାର୍ମାସିଷ୍ଟ ମାରଣାସ୍ତ୍ର ଧରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ୪ ଜଣଙ୍କୁ ଆହତ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସିଂଲା ଥାନା ଅନ୍ତର୍ଗତ ଇଡ଼ିଦା ଗ୍ରାମର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଉକ୍ତ କେନ୍ଦ୍ରର ଫାର୍ମାସିଷ୍ଟ ଶୁବାଶିଷ ଟୁଡୁ ଆଜି ସଂଧ୍ୟାରେ ନିଶାସକ୍ତ ଅବସ୍ଥାରେ ଖଣ୍ତା ଓ ତେଲେଙ୍ଗା କଟୁରୀ ଧରି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏଥିରେ ଗ୍ରାମବାସୀ ବିଦ୍ୟାଧର ଜେନା, ରାଜେନ୍ଦ୍ର ସୋରେନ, ଘୋଡ଼ରା ଟୁଡୁ, ମାନ ପାତ୍ର ଆହତ ହୋଇଥିଲେ। ଶ୍ରୀ ଟୁଡୁଙ୍କୁ କାବୁ କରିବାକୁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

Advertisment

ଖବରପାଇ ସିଂଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ମଧ୍ୟ ଶ୍ରୀ ଟୁଡୁ ଆକ୍ରମଣ କରିବାକୁ ଗୋଡ଼ାଇ ଥିଲେ। କୌଶଳକ୍ରମେ ପୁଲିସ ଫାର୍ମାସିଷ୍ଟ ଶ୍ରୀ ଟୁଡୁଙ୍କୁ କାବୁ କରି ଥାନାକୁ ନେଇଯାଇଥିଲେ। ଉକ୍ତ ଫାର୍ମାସିଷ୍ଟ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ତ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ତେବେ ନିଶାସକ୍ତ ଫାର୍ମାସିଷ୍ଟଙ୍କୁ ଅନ୍ୟତ୍ର ବଦଳି କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଦେବୀପ୍ରସାଦ ଭଞ୍ଜ, ଶୁଭାଶିଷ ଦାସ, ଶର୍ବେଶ୍ଵର ଦାସ, ଦେବାଶିଷ ସେଠୀ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି।