ପିଏମ୍‌ ଫସଲବୀମା ସମୟସୀମା ଆଉ ଦିନେ ବାକି, ବୀମାଭୁକ୍ତ ହୋଇନି ଗଞ୍ଜାମର ଅଧିକାଂଶ ଜମି

ଭଞ୍ଜନଗର: ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତି ଭରଣା କରିବା ସହ କୃଷି ଓ କୃଷକଙ୍କ ପାଇଁ ପ୍ରାଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି। କିନ୍ତୁ ଅନେକ ଚାଷୀ ନିଜର ଫସଲ ବୀମାଭୁକ୍ତ କରି ପାରି ନାହାନ୍ତି। ହାତରେ ଆଉ ମାତ୍ର ଗୋଟିଏ ଦିନ ରହିଥିବା ବେଳେ ଅଧିକାଂଶ ଜମି ବୀମାଭୁକ୍ତ ହୋଇନି। ଚଳିତ ବର୍ଷ ଜୁଲାଇ ୩୧ ବୀମାଭୁକ୍ତ କରିବା ପାଇଁ ଚାଷୀଙ୍କୁ ସମୟସୀମା ଦିଆଯାଇଥିଲା। ସଂଖ୍ୟା ନୌରାଶ୍ୟଜନକ ରହିଥିବାରୁ କେନ୍ଦ୍ର ସରକାର ଏହାର ଅବଧି ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଚଳିତ ବର୍ଷ ଗଞ୍ଜାମରେ ବିଳମ୍ବିତ ମୌସୁମୀ ସାଙ୍ଗକୁ ଅନେକ ଚାଷୀ ଦ୍ବନ୍ଦ୍ବ ଭିତରେ ରହିଥିବାରୁ ଏହି ସଂଖ୍ୟା ଆଶାତୀତ ହୋଇ ନଥିବା ଜଣାପଡ଼ିଛି।

ପିଏମ୍‌ ଫସଲ ବୀମା ଯୋଜନାରେ ଚାଷୀ ୨​ ହେକ୍ଟର ଯାଏଁ ବୀମା କରିବା ପାଇଁ ବୀମାରାଶି ଦେୟ ବାବଦକୁ ହେକ୍ଟର ପିଛା ମାତ୍ର ୧ ଟଙ୍କା ପ୍ରିମିୟମ ଦେବାକୁ ପଡ଼ୁଛି। ବଳକା ବୀମା ରାଶି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହନ କରିଥାନ୍ତି। ତଥାପି ଶତ ପ୍ରତିଶତ ଚାଷ ଜମି ବୀମାଭୁକ୍ତ ହୋଇପାରୁ ନାହିଁ। ଫଳରେ ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ଅନେକ ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ଚିତ ​ହେଉଛନ୍ତି। ନିଜ ଜମିକୁ ବୀମାଭୁକ୍ତ କରିବା ପାଇଁ ଆଉ ଦିନଟିଏ ବାକି ରହିଥିବା ବେଳେ ଅଧିକରୁ ଅଧିକ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ କୃଷି ବିଭାଗ ତତ୍ପରତା ଦେଖାଇବା ସହ ତୃଣମୂଳସ୍ତରରେ ଚାଷୀଙ୍କୁ ସଚେତନ କରୁଛି। ଭଞ୍ଜନଗର ଉପଖଣ୍ଡରେ ଆଜି ମଧ୍ୟାହ୍ନ ସୁଦ୍ଧା ୪୧ ହଜାର ୧୬୭ ଜଣ ଚାଷୀ ସେମାନଙ୍କ ୨୧, ୩୪୩. ୩୬ ହେକ୍ଟର ଚାଷ ଜମିକୁ ବୀମାଭୁକ୍ତ କରିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ ଋତୁରେ ମୋଟ ୪ ଲକ୍ଷ ୫ ହଜାର ୫୭୦ ହେକ୍ଟର ଚାଷ ଜମିରେ ଚାଷ କରିବା ନେଇ ଲକ୍ଷ୍ୟ ରଖା ଯାଇଥିବା ବେଳେ ସେଥିରୁ ​ମୋଟ ୧ ଲକ୍ଷ ୭୯ ହଜାର ୪୯୪ ହେକ୍ଟର ଜମିରେ ଧାନ ଚାଷ କରିବା ନେଇ ଖସଡ଼ା ପ୍ରସ୍ତୁତ କରାଯାଇଛି। ବିଗତ ବର୍ଷ କେବଳ ଧାନ ବିକ୍ରି କରିବା ନେଇ ୧ ଲକ୍ଷ ୩୧ ହଜାର ଚାଷୀଙ୍କୁ ପଞ୍ଜୀକୃତ କରାଯାଇଥିବା ବେଳେ ସେହି ତୁଳନାରେ ଚାଷ ଜମିର ବୀମା ଅନ୍ତର୍ଭୁକ୍ତ ହୋଇପାରି ନାହିଁ।

ଚାଷୀଙ୍କ ସଂଘ୍ୟା ଓ ଚାଷ ଜମି ଅନୁପାତରେ ବୀମାଭୁକ୍ତ ଚାଷୀଙ୍କ ସଂଖ୍ୟା ବଢୁନାହିଁ। ଆସିକା ବ୍ଲକରେ ୫୨୫୩ ଜଣ ଚାଷୀଙ୍କ ୨୬୧୬.୭୯ ହେକ୍ଟର, ​ବେଲଗୁଣ୍ଠାରେ ୫୧୪୪ ଜଣ ଚାଷୀଙ୍କ ୩୧୬୭.୦୪ ହେକ୍ଟର, ଭଞ୍ଜନଗରର ୩୪୫୫ ଜଣ ଚାଷୀଙ୍କ ୧୮୩୮.୯୨ ହେକ୍ଟର, ବୁଗୁଡ଼ାର ୬୮୫୭ ଜଣ ଚାଷୀଙ୍କ ୩୧୯୦ ହେକ୍ଟର, ଧରାକୋଟର ୪୭୬୯ ଜଣ ଚାଷୀଙ୍କ ୨୦୩୧.୧୫ ହେକ୍ଟର, ଜଗନ୍ନାଥପ୍ରସାଦର ୮୫୬୬ ଜଣ ଚା​ଷୀଙ୍କ ୫୧୩୨.୮୭ ହେକ୍ଟର, ଶେରଗଡ଼ର ୩୪୪୨ ଜଣ ଚା​ଷୀଙ୍କ ୧୪୫୮.୪୯ ହେକ୍ଟର ଏବଂ ସୋରଡ଼ା ବ୍ଲକ୍‌ର ୩୯୫୧ ଜଣ ଚା​ଷୀଙ୍କ ୧୯୦୪.୫୮ ହେକ୍ଟର ଚାଷ ଜମି ବୀମାଭୁକ୍ତ ହୋଇଥିବା ଜଣାପଡ଼ିଛି। ଚାଷୀମାନେ ବୀମାଭୁକ୍ତ ହେବା ନିମନ୍ତେ ସ୍ଥାନୀୟ ଜନସେବା କେନ୍ଦ୍ର, ବ୍ୟାଙ୍କ, ପ୍ରାଥମିକ ସେବା ସମବାୟ ସମିତି, ବୀମା କମ୍ପାନି ଏଜେଣ୍ଟ୍‌ ସମେତ ଏନ୍‌ସିଆଇପି ପୋର୍ଟାଲ ଜରିଆରେ ବୀମାଭୁକ୍ତ ​ହୋଇପାରିବେ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର