ଅନୁଗୁଳରେ ସୁଧୁରୁଛି ସ୍ଥିତି‌: ହଜାରେ ହେକ୍ଟର ଜଳମଗ୍ନ, ଭାଙ୍ଗିଛି ୧୧ଶହ ଘର

ଅନୁଗୁଳ: ଦୁଇ ଦିନ ବର୍ଷା ନ ହେବା ଫଳରେ ଅନୁଗୁଳ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ଆଶ୍ରୟସ୍ଥଳୀରେ ରହିଥିବା ଲୋକମାନେ ଘରକୁ ଫେରୁଛନ୍ତି। ଏପଟେ ଏହି ଲଗାଣ ବର୍ଷା ଓ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାଥମିକ ଆକଳନ ଅନୁସା‌ରେ, ଜିଲ୍ଲାରେ ପ୍ରାୟ ୧୧ ଶହ ଘର ଭାଙ୍ଗିଛି, ୧ ହଜାର ହେକ୍ଟର୍‌ରୁ ଅଧିକ ଜମି ପ୍ରଭାବିତ ହୋଇଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକ୍‌ରେ ବହୁ ରାସ୍ତାଘାଟ ନଷ୍ଟ ହୋଇଥିବା ରିପୋର୍ଟ ଆସିଛି।

ମହାନଦୀ ଉପରମୁଣ୍ଡରେ ବଡ଼ବର୍ଷା ପାଇଁ ଏକ ମଧ୍ୟମଧରଣର ବନ୍ୟା ଆସିଥିଲା। ଟିକରପଡ଼ାରେ ବନ୍ୟାପାଣି ଗାଁ ଭିତରକୁ ପଶିଥିଲା। ଏପଟେ ପୋଲ ଉପରେ ପାଣି ଚାଲିବାରୁ ଏହି ପଞ୍ଚାୟତର ଗଇଁଦି, ବେହେରାସାହି ଓ ମଝିପଡ଼ା ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିଲା। ବନ୍ୟା ପରିସ୍ଥିତିକୁ ଦେଖି ଟିକରପଡ଼ା ଘାଟସାହିର ଶତାଧିକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଗାଁ ଭିତରେ ୪ ଫୁଟ୍‌ର ପାଣି ଥିଲା ବେଳେ ରାତିରୁ ପାଣି କମି ଯାଇଛି। ଲୋକେ ଘରମୁହାଁ ହୋଇଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ଆଜି ମଧ୍ୟ ଆଶ୍ରୟସ୍ଥଳୀ ଖୋଲା ରହିଛି। ଆସନ୍ତାକାଲି ସମସ୍ତେ ଘରକୁ ଚାଲିଯିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ‌ଆଠମଲ୍ଲିକ ବ୍ଲକ୍‌ କୁଦଗାଁରେ ମଧ୍ୟ ସମାନ ସ୍ଥିତି। ପାଣି କମିଯିବା ପରେ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌କୁ ପ୍ରତ୍ୟାହାର କରି ନିଆଯାଇଛି। କେବଳ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି। ଆଶ୍ରୟସ୍ଥଳୀରେ ରହିଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଆଜି ମେଡିକାଲ ଟିମ୍‌ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି। ଆସନ୍ତାକାଲି ପରିସ୍ଥିତି ଦେଖିବା ପରେ ସେମାନଙ୍କ ଘରକୁ ଫେରିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା କହିଛନ୍ତି।

ବନ୍ୟା ସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ଏହି ଲଗାଣ ବର୍ଷାରେ ଅନୁଗୁଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାରେ ୧୦୮୧ଟି ଘର ଭାଙ୍ଗିଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏଥିରୁ ୧୦୬୬ଟି ଘର ଆଂଶିକ ଭାଙ୍ଗିଥିଲା ବେଳେ ୧୧ଟି ଘର ଅଧିକ ନଷ୍ଟ ହୋଇଛି। ୪ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ କହିଛି। ବିଭିନ୍ନ ବ୍ଲକ୍‌ରୁ ରିପୋର୍ଟ ଆସୁଥିବାରୁ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି। ଏପଟେ ବର୍ଷାରେ ରାସ୍ତାଘାଟ ଅଧିକ ନଷ୍ଟ ହୋଇଛି। ଆଠମଲ୍ଲିକ ଓ କିଶୋରନଗର ବ୍ଲକ୍‌ରେ ବହୁ ରାସ୍ତା ନଷ୍ଟ ହୋଇଛି। କିଛି ସ୍ଥାନରେ ଘାଇ ସୃଷ୍ଟି ହେବାରୁ ଯାତ‌ାୟାତ ବାଧାପ୍ରାପ୍ତ ହୋଇଛି। ପାଳଲହଡ଼ା, କଣିହାଁ ଓ ଛେଣ୍ଡିପଦା ବ୍ଲକ୍‌ରେ ମଧ୍ୟ ରାସ୍ତାଘାଟ ଓ ପୋଲ ନଷ୍ଟ ହୋଇଛି। ଏଥିନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବାକୁ କ୍ଷେତ୍ର ଅଧିକାରୀମ‌ାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲଗାଣ ବର୍ଷାରେ ଜିଲ୍ଲାର ୧୦୨୦ ହେକ୍ଟର‌୍ ଜମି ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର