ଖସୁଛି ପାଣି, ଟଳୁଛି ବନ୍ୟା: ବର୍ଷା ଓ ବନ୍ୟା‌ରେ ଦୁଇ ଜଣଙ୍କ ମୃତ୍ୟୁ, ୫ଟି ଘାଇ

୨୧ ଜିଲ୍ଲା, ୧୩୬ ବ୍ଲକ୍‌ ଓ ୬୬୭ପଞ୍ଚାୟତ ପ୍ରଭାବିତ, ଦୁର୍ଦ୍ଦଶାରେ ୪ ଲକ୍ଷ ୧୧ ହଜାର ୩୩୮ ଲୋକ

ଭୁବନେଶ୍ବର: ଓଡ଼ିଶାରୁ ଟଳୁଛି ବନ୍ୟା ଭୟ। ଗଭୀର ଅବପାତ ପ୍ରଭାବରେ ଲାଗି ରହିଥିବା ବର୍ଷାରେ ସୁଧାର ଆସିଛି। ୧୨ ଘଣ୍ଟା ହେଲା ବଡ଼ ବର୍ଷା ନ ଥିବାରୁ ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଜଳଭଣ୍ଡାରର ଜଳସ୍ତର କମିବାରେ ଲାଗିଛି। ମହାନଦୀ ସମେତ ବୈତରଣୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ନଦୀର ଜଳସ୍ତର ବିପଦସଙ୍କେତ ତଳେ ପ୍ରବାହିତ ହେଉଛି। ମହାନଦୀର ଜଳସ୍ତର ନରାଜଠାରେ ହ୍ରାସ ପାଇଛି। ତଳ ମୁଣ୍ଡରେ ବର୍ଷା ପରିମାଣ କମିଥିଲେ ମଧ୍ୟ ଛତିଶଗଡ଼ ପାଣି ଛାଡ଼ୁଥିବାରୁ ଜଳ ସ୍ତର ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେବେ ସେତେଟା ବିପଦ ନ ଥିବା କୁହାଯାଉଛି। ଉଭୟ ବର୍ଷା ଓ ବନ୍ୟାରେ ଏବେ ସୁଦ୍ଧା ଦୁଇ ଜଣଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଛି। ୨୧ ଜିଲ୍ଲାର ୧୩୬ ବ୍ଲକ ୬୬୭ ପଞ୍ଚାୟତର ୧୮୮୯ ଗାଁ ପ୍ରଭାବିତ ହୋଇଛି। ମୋଟ ୪ ଲକ୍ଷ ୧୧ହଜାର ୩୩୮ ଲୋକ ପ୍ରଭାବିତ ହୋଇଛନ୍ତି। ୨,୩୨୯ଟି ବାସଗୃହ ଭାଙ୍ଗିଥିବା ନେଇ ସ୍ବତନ୍ତ୍ର ରିଲିଫ୍‌ କମିସନ(ଏସ୍‌ଆରସି) କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସନ୍ଧ୍ୟା ସୁଦ୍ଧା ରାଜ୍ୟର ୫ଟି ସ୍ଥାନରେ ଘାଈ ସୃଷ୍ଟି ହୋଇଥିବା ଏସ୍‌ଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳ ବର୍ଷାରେ ବୌଦ୍ଧ ଜିଲ୍ଲା କେଭିଠାରେ ମହାନଦୀକୁ ଯାଉଥିବା ପାଣି ୧୦୦ ମିଟର ଧୋଇ ନେଇଥିବା ବେଳେ ଜଗତ୍‌ସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତେରମାଣପୁର ନିକଟରେ ମହାନଦୀରେ ୨୦ ମିଟର ଘା‌ଈ ହୋଇଛି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବାନ୍ଧଢ଼ିଆଠାରେ ବ୍ରାହ୍ମଣୀ ନଦୀରେ ୧୦ ମିଟର, ଦଶରଥପୁର ବ୍ଲକ ଶାସନ ଗ୍ରାମ ନିକଟରେ କାଣି ନଦୀରେ ୫ ମିଟର ଓ ମଲ୍ଲିକାପୁରଠାରେ ୨ ମିଟର ଭାଙ୍ଗିଛି। ପ୍ରବଳ ବର୍ଷାରେ ୧୦ଟି ଜିଲ୍ଲା ଯଥା ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଓ ନବରଙ୍ଗପୁ ଜିଲ୍ଲାର ୭୯ ବ୍ଲକ ୨୬୯ଟି ପଞ୍ଚାୟତର ୪୭୩ଟି ଗାଁ ଏବଂ ୧୪ଟି ସହରାଞ୍ଚଳ ୫୬ ୱାର୍ଡର ୧୧,୭୦୮ ଲୋକ ପ୍ରଭାବିତ ହୋଇଛନ୍ତି।

ସେହିପରି ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୧୧ଟି ଜିଲ୍ଲା ଯଥା ଅନୁଗୁଳ, ବୌଦ୍ଧ, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର, ବାଲେଶ୍ବର, ଯାଜପୁର, ଭଦ୍ରକ, ନୟାଗଡ଼, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୫୭ଟି ବ୍ଲକର ୩୯୮ଟି ପଞ୍ଚାୟତର ୧୪୧୬ ଗାଁ ଏବଂ ୧୨ଟି ସହରାଞ୍ଚଳ ୪୫ ୱାର୍ଡର ୩ ଲକ୍ଷ ୯୯ହଜାର ୬୩୦ ଲୋକ ପ୍ରଭାବିତ ହୋଇଛନ୍ତି। ୪୮ ହଜାର ୮୭୪ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ୨୦୬ଟି ସ୍ଥାନରେ ମାଗଣା ଖାଦ୍ୟ ରନ୍ଧାଯାଇ ଲୋକଙ୍କୁ ଦିଆାଯାଇଛି। ସେପଟେ ବର୍ଷା ଓ ବନ୍ୟା ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ୧୬ଟି ଜିଲ୍ଲାରେ ୧୩ଟି ଓଡ୍ରାଫ୍, ୮ଟି ଏନ୍‌ଡିଆରଏଫ୍‌, ୮୫ଟି ଅତିରିକ୍ତି ଅଗ୍ନିଶମ ଓ ଜରୁରୀ ସେବା ଟିମ୍‌କୁ ନିୟୋଜିତ କରାଯାଇଛି। ୫୧ହଜାର ୬୭୮ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

ସମ୍ବନ୍ଧିତ ଖବର