ଠିକାଦାର, ପୁଲିସ ଗାଡ଼ିକୁ ବୋମା ମାଡ଼ ଘଟଣା : କୋଠପାଟଣାରେ କାବୋକୁ ଏନ୍‌କାଉଣ୍ଟର

୯ଏମ୍‌ଏମ୍‌ ପିସ୍ତଲ, ଗୁଳି, କାଟ୍ରିଜ୍‌ ଜବତ, ଖସିଗଲା ସହଯୋଗୀ ଜୁଗା ଖାଁ

କଟକ/ମହାନଦୀବିହାର/ଫୁଲନଖରା : ସଦର ଥାନା କୁରୁଣ୍ଟି ଗ୍ରାମର ଠିକାଦାର ଆଲୋକେନ୍ଦୁ ଦାଶ ଓ ପୁଲିସ ଭ୍ୟାନ୍‌ ଉପରକୁ ବୋମା ମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ କାବୋ ଓରଫ ଉତ୍ତମ ସିଂହକୁ ଆଜି ଏନ୍‌କାଉଣ୍ଟର ହୋଇଛି । ସଦର ଥାନା ପୁଲିସ ଉପରକୁ କୋଠପାଟଣା ମୌଜା ଆର୍‌.କେ.ଭିଲ୍ଲା ଅଞ୍ଚଳରେ ଗୁଳି ଚାଳନା ବେଳେ ପୁଲିସର ପାଲଟା ଗୁଳିରେ କାବୋ ଆହତ ହୋଇଥିଲା । ପୁଲିସ ତା’ ନିକଟରୁ ୯ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ତିନିଟି ଖାଲି କାଟ୍ରିଜ୍‌ ଏବଂ ମୋବାଇଲ୍‌ ଫୋନ୍‌ ଜବତ କରିଛି । ଠିକାଦାରଙ୍କ ଉପରକୁ ବୋମା ଘଟଣାରେ ସଂପୃକ୍ତ କାବୋର ଅନ୍ୟତମ ସହଯୋଗୀ ବ୍ରାହ୍ମଣଝରିଲୋ ଅଞ୍ଚଳର ଜୁଗା ଖାଁ ଫେରାର ହୋଇଯାଇଛି । ଅନ୍ୟପଟେ ବୋମା ମାଡ଼ କରିବାକୁ ଆସିଥିବା ବାଇକ୍‌କୁ ପୁଲିସ ଜବତ କରିଛି ।

ସଦର ଅଞ୍ଚଳର ବି’ କ୍ଲାସ୍‌ କଣ୍ଟ୍ରାକ୍ଟର ଆଲୋକେନ୍ଦୁ କୁରୁଣ୍ଟି ଅଞ୍ଚଳରେ ଜଳସେଚନ ବିଭାଗର ଏକ କେନାଲ ସଫେଇ କାମ ୪ ମାସ ତଳେ ନେଇଥିଲେ । କାମ ପାଇଁ ୧୨ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଗତ ୧୦ ଦିନ ତଳେ ଉଭୟ ଜୁଗା ଏବଂ କାବୁ ୨ ଲକ୍ଷ ଟଙ୍କା ବଟି ମାଗିଥିଲେ । ବଟି ନଦେଲେ କେନାଲ ସଫେଇ କାମ ବନ୍ଦ କରିଦେବାକୁ ଧମକ ଦେଇଥିଲେ । କିନ୍ତୁ ଆଲୋକେନ୍ଦୁ ବଟି ଦେବାକୁ ମନା କରିଦେଇଥିଲେ । ବାରମ୍ବାର ଧମକ ମିଳିବାରୁ ୨ଲକ୍ଷରୁ ଶେଷରେ ୫୦ ହଜାର ଟଙ୍କାରେ କଥା ଝିଣ୍ଡିଥିଲା। ସେତକ ବି ସେ ନଦେବାରୁ ଶୁକ୍ରବାର ରାତିରେ ତାଙ୍କ ଘର ସାମ୍‌ନାରେ ୫ଟି ବୋମା ମାଡ଼ କରିଥିଲେ । ଗୋଟିଏ ବୋମା ଘରର କବାଟରେ ବାଜି ବିସ୍ଫୋରଣ ହୋଇଥିବା ବେଳେ ଆଉ ଗୋଟେ ଝରକାରେ ବାଜିଥିଲା । ସଦର ଥାନା ପୁଲିସ ପିସିଆର୍‌ ଭ୍ୟାନ୍‌ରେ ଘଟଣା ସ୍ଥଳରେ ପହଞ୍ଚିବା ପରେ ଦୁଇ ଦୁର୍ବୃତ୍ତ ଭ୍ୟାନ୍‌କୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିଲେ । ହୋମ୍‌ଗାର୍ଡ କେଦାରନାଥ ସାମଲଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି । ଏହି ଘଟଣାର ତଦନ୍ତ କରୁଥିବା ପୁଲିସ ଆଜି କାବୋ ସମ୍ପର୍କରେ ସୂଚନା ପାଇଥିଲା । ରାତି ପ୍ରାୟ ୮ଟା ୧୦ ବେଳେ କୋଠପାଟଣା ମୌଜାର ଆର୍‌.କେ. ଭିଲ୍ଲାରେ କାବୋ ଥିବା ଥାନା ଅଧିକାରୀ ସୁଧାଂଶୁ ଭୂଷଣ ଜେନା ଖବର ପାଇଥିଲେ। ପରେ ଏଏସ୍‌ଆଇ ଅଶୋକ କୁମାର ପାତ୍ର ଏବଂ ସ୍ପେଶାଲ ସ୍କ୍ଵାଡ୍‌କୁ ଚଢ଼ଉ ପାଇଁ ଥାନା ଅଧିକାରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ପୁଲସ୍‌ ପହଞ୍ଚିବା ପରେ କାବୋ ପୁଲିସ ଉପାରକୁ ଗୁଳି ଚାଳନା କରିଥିଲା । ଏଏସ୍‌ଆଇ ଶ୍ରୀ ପାତ୍ର ଗୁଳି ମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗୁଳିଟି ଏଏସ୍‌ଆଇ ଶ୍ରୀ ପାତ୍ରଙ୍କ ବାମ ପଟ କାନ ପାଖରେ ଖସି ଚାଲିଯାଇଥିଲା । ଦ୍ୱିତୀୟ ଥର କାବେ ଗୁଳି ମାଡ଼ କରିବାକୁ ଉଦ୍ୟମ କରିବାରୁ ଏଏସ୍‌ଆଇ ଶ୍ରୀ ପାତ୍ର ଏକ ରାଉଣ୍ଡ ଗୁଳି ଚାଳନା କରିଥିଲେ । ଗୁଳିଟି କାବୋର ବାମ ଗୋଡ଼ର ଆଣ୍ଠୁ ଉପରେ ବାଜିବାରୁ ସେ ତଳେ ପଡ଼ିଯାଇଥିଲା । ପୁଲିସ ଟିମ୍‌ ତାକୁ ତୁରନ୍ତ କାବୁ କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ଉଭୟ କାବୋ ଏବଂ ଜୁଗା ବିରୋଧରେ ଆଇପିସିର ଦଫା ୩୮୭, ୫୦୬, ୩୦୭, ୩୪ ଏବଂ ୨୫ ଓ ୨୭ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ମାମଲା (କେସ୍‌ ନଂ ୧୮୫) ରୁଜୁ ହୋଇଥିବା ସୂଚନା ମିଳିଛି ।

କାବୋ ଏବଂ ଜୁଗା ବିରୋଧରେ ଡକାୟତି, ଦାଦାବଟି ଭଳି ୫ରୁ ଅଧିକ ମାମଲାରେ ବାଲିଅନ୍ତା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ସଦର ଥାନାରେ ଗୋଟେ ବେଆଇନ ଅବକାରୀ ସାମଗ୍ରୀ କାରାବର ଅଭିଯୋଗ ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ସଦର ଥାନା ପୁଲିସ ଜାନୁଆରି ମାସରେ ଚଳିତ ବର୍ଷର ପ୍ରଥମ ଏନ୍‌କାଉଣ୍ଟର ଗୋପାଳପୁରଠାରେ କରିଥିଲା । ନୟାଗଡ଼ର ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଲୋଚନ ନାହାକକୁ ଏନ୍‌କାଉଣ୍ଟର କରାଯାଇଥିଲା । ପରେ ଜାନୁଆରୀ ୪ତାରିଖରେ ସଦର ଥାନା ଶ୍ରୀକୋରୁଆଁ ଅଞ୍ଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ସଦା ନାୟକକୁ ଏନ୍‌କାଉଣ୍ଟର ହୋଇଥିଲା । ମାର୍ଚ୍ଚ ୧୧ ତାରିଖରେ କୁଆଖାଇ ନଦୀ ନିକଟରେ ଭାଣପୁରର ମଙ୍ଗୁ ଓରଫ ମନୋଜ କୁମାର ମହାରଣା ଏବଂ ଗଞ୍ଜାମ ବ୍ରହ୍ମପୁରର ଟାଡ଼ିଆ ଓରଫ ଲିପୁ ଓରଫ ସୁଧାକର ପାତ୍ରକୁ ଏନ୍‌କାଉଣ୍ଟର ହୋଇଥିଲା । ଅନ୍ୟପଟେ ୨୦୧୭ ଏପ୍ରିଲ ୧୭ ତାରିଖରୁ ଏ’ପର୍ଯ୍ୟନ୍ତ କମିସନରେଟ୍‌ ପୁଲିସ ପକ୍ଷରୁ କଟକରେ ୧୩ରୁ ଅଧିକ ଏନ୍‌କାଉଣ୍ଟର ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧିତ ଖବର