ବାଟ ହୁଡିଛି ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ଯୋଜନା

ବାରିପଦା: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଟଣାଓଟଣା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ବାଟୁହୁଡ଼ିଛି ‘ପ୍ରଧାନମନ୍ତ୍ରୀ ଆଦର୍ଶ ଗାଁ’ ଯୋଜନା। ୪ ବର୍ଷ ମଧ୍ୟରେ ‌କେବଳ ଗୋଟିଏ ଗାଁରେ ଉନ୍ନୟନ କାମ ଆରମ୍ଭ ହୋଇଛି। ବାକି ଗାଁଗୁଡ଼ିକରେ ମୁଠାଏ ମାଟି ବି ପଡ଼ିନାହିଁ। ତେବେ ମିଥ୍ୟା କାଗଜପତ୍ର ପ୍ରସ୍ତୁତ କରି ସବୁ ଗାଁରେ ଦ୍ରୁତଗତିରେ କାମ ଚାଲିଛି ବୋଲି ସରକାରୀ ବାବୁମାନେ ରିପୋର୍ଟ ଦେଇଥିବା କୁହାଯାଉଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ଜନସଂଖ୍ୟାରୁ ୧୩ ପ୍ରତିଶତ ହେଉଛନ୍ତି ଅନୁସୂଚିତ ଜାତି ସମ୍ପ୍ରଦାୟର। ତେବେ ଆଦିବାସୀଙ୍କ ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ବି ଅନୁସୂଚିତ ଜାତି ସମ୍ପ୍ରଦାୟ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ ହୋଇଆସୁଅଛି।

ତେବେ ଏହି ସମ୍ପ୍ରଦାୟ ବସବାସ କରୁଥିବା ଗ୍ରାମଗୁଡିକର ବିକାଶ ନିମନ୍ତେ ୪ ବର୍ଷ ପୂର୍ବେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ଆଦର୍ଶ ଗାଁ ଯୋଜନା। ଯେଉଁ ଗ୍ରାମରେ ୫୦୦ ପରିବ‌ାର ବସବାସ କରୁଥିଲେ ଓ ସେଥିରେ ୫୦ ପ୍ରତିଶତ କେବଳ ଅନୁସୂଚିତ ଜାତି ପରିବାର, ସେସବୁ ଗ୍ରାମକୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତି ଗ୍ରାମରେ ବିକାଶ ନିମନ୍ତେ ଖର୍ଚ୍ଚ ହେବ ୪୦ ଲକ୍ଷ ଟଙ୍କା। ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ଭାଗ ୨୦ ଲକ୍ଷ ଓ ଆଉ ୨୦ ଲକ୍ଷ ରାଜ୍ୟ ସରକାର ଦେବେ ବୋଲି ସ୍ଥିର ହୋଇଥିଲା। ଏହି ଯୋଜନାରେ ଗାଁରେ ସୌଚାଳିତ ଷ୍ଟ୍ରିଟ୍ ଲାଇଟ୍, ବିଶୁଦ୍ଧ ପାନୀୟ ଜଳ, ଡ୍ରେନ ନିର୍ମାଣ, କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ହେବାକଥା। ଏହି ମାନଦଣ୍ଡ ପୂରଣ କରୁଥିବା ୮୮ଟି ଗାଁରୁ ଜିଲ୍ଲାର ୫୯ଟି ଗାଁ ଏହି ଯୋଜନାରେ ସାମିଲ ପାଇଁ ଚିହ୍ନଟ ହୋଇଥିଲା।

୪ ବର୍ଷ ପରେ ବି ମାଟି ମୁଠାଏ ପଡ଼ିଲାନି
କାଗଜପତ୍ରରେ ଦ୍ରୁତଗତିରେ କାମ ଚାଲିଛି

ପ୍ରଥମ ପର୍ଯ୍ୟାୟରେ ବଡ଼ସାହି ବ୍ଲକ୍‌ ହରିପୁର ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟ‌ରେ ବେତନଟୀ ବ୍ଲକ୍‌ର ୯ଟି, ବଡ଼ସାହିର ୨, ଗୋପବନ୍ଧୁନଗରର ୩, କୁଳିଅଣାର ୧, କରଞ୍ଜିଆର ୨, ମୋରଡ଼ାର ୪, ରାଇରଙ୍ଗପୁରର ୨, ଶୃକୁଳି ଓ ଉଦଳା ବ୍ଲକ୍‌ରୁ ଗୋଟିଏ‌ ଲେଖାଏଁ ଗାଁକୁ ଏହି ଯୋଜନାରେ ସାମିଲ କରାଯାଇଥିଲା। ହରିପୁର ଗାଁରେ କିଛିଟା କାମ ହୋଇଛି। ତାହା ଶେଷ ହେବାକୁ ଆୁରି କେତେ ବର୍ଷ ଲାଗିବ ତାହା ସରକାରୀ ବାବୁମାନଙ୍କୁ ବି ଅଜଣା। ତେବେ ଅନ୍ୟ ସବୁ ଗାଁରେ କାମ ଆଜି ସୁଦ୍ଧା ଆରମ୍ଭ ହୋଇପାରି ନାହିଁ।

ଆଉ କିଛି ଗାଁରେ ସର୍ଭେରେ ଅଟକିଛି କାମ। ଜାମ୍ବୁବଣି ଗାଁ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ସର୍ଭେ ପରେ ଆଉ କାହାର ଦେଖା ନାହିଁ। ହେଲେ ଏହି ଗାଁରେ ବିକାଶ କାମ ଅଧା ହେଲାଣି ବୋଲି ସୂଚନା ଅଧିକାର ଆଇନ୍‌ ବଳରେ ମିଳିଥିବା ତଥ୍ୟ କହୁଛି। ସରକାରୀ ରିପୋର୍ଟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ସେହି ଗାଁର ଦିବାକାର ଜେନା ଓ ମନୋଜ ମଲ୍ଲିକ। କେବଳ ଏହି ଗୋଟିଏ ଗାଁ ନୁହେଁ। ଏମିତି ଅଧିକାଂଶ ଗାଁରେ ଆଦୌ କାମ ଆରମ୍ଭ ହୋଇନଥିବା ବେ‌ଳେ କାମ ଦ୍ରୁତଗତିରେ ଚାଲିଥିବା ସରକାରଙ୍କୁ ରିପୋର୍ଟ ଦିଆଯାଇଛି।

ଏ ନେଇ ‌ଜଣେ ଅଧିକାରୀ କହିଛନ୍ତି, ପ୍ରଥମେ କେନ୍ଦ୍ର ସରକାର ୨୦ ଲକ୍ଷ ଦେଲେ। ତାପରେ ରାଜ୍ୟ ସରକାର ବି ଦେଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ଦେବା ବେଳକୁ ପାଣ୍ଠିର ଅଭାବ ଦର୍ଶାଇ ରାଜ୍ୟ ସରକାର ଦେବାକୁ ମନା କରିଦେଲେ। ସବୁ ଟଙ୍କା କେନ୍ଦ୍ର ଦେଉ ବୋଲି ରାଜ୍ୟ ସରକାର ଚିଠି କରି ଚୁପ୍ ବସିପଡ଼ିଲେ ବୋଲି ସେ କହିଛନ୍ତି। ତେବେ ଆଦିବାସୀଙ୍କ ଭଳି ଅନୁସୂଚିତ ଜାତି ଭୋଟ ବ୍ୟାଙ୍କ ମଧ୍ୟ ବିଜେଡି ସରକାର କାଳେ ହାତେଇ ନେବେ ସେଥି ନିମନ୍ତେ କେନ୍ଦ୍ରର ସରକାର ଆଉ ଟଙ୍କା ଦେବାକୁ ଆଗଭର ହେଉନଥିବା ଜଣେ ଅବସରପ୍ରାପ୍ତ ସରକାରୀ ଅଧିକ‌ାରୀ ବିଚିତ୍ରାନନ୍ଦ ମଲ୍ଲିକ କହିଛନ୍ତି। ଜିଲ୍ଲାରେ ଏହି ସମ୍ପ୍ରଦାୟର ଲୋକସଂଖ୍ୟା କମ୍ ଥିବାରୁ ରାଜ୍ୟ ଓ କେନ୍ଦ୍ରରେ ପ୍ରତିନିଧିତ୍ବ କରୁଥିବା ଏହିମାଟିର ଆଦିବାସୀ ନେତା ବି ମୁହଁ ଖୋଲୁ ନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର