ସ୍ମାର୍ଟ ଜନପଥରେ ଅଭିଶପ୍ତ ସ୍ମାର୍ଟ କିଓସ୍କ

ଜନସେବାରେ ଲାଗିବା ପାଇଁ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସ୍ମାର୍ଟ ଜନପଥ ସାରା ରାଜ୍ୟ ପାଇଁ ଏକ ଉଦାହରଣ। ଏହି ଜନପଥ ପ୍ରସ୍ତୁତିରେ ସ୍ମାର୍ଟ ସିଟି ଲିମିଟେଡ୍‌ କେବଳ ପ୍ରଶଂସା ସାଉଁଟିନି, ବରଂ ପ୍ରତ୍ୟେକ ପୌରାଞ୍ଚଳରେ ଏଭଳି ଗୋଟିଏ ଗୋଟିଏ ରାସ୍ତା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଇଞ୍ଜିନିୟରମାନଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହି ସ୍ମାର୍ଟ ଜନପଥରେ ସ୍ଥାପନା କରାଯାଇଥିବା ସ୍ମାର୍ଟ କିଓସ୍କ ଏବେ ଯେମିତି ଜନପଥ ପାଇଁ ଅଭିଶପ୍ତ ପାଲଟି ଯାଇଛି। ପ୍ରାୟ ୫ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଇଥିବା ସ୍ମାର୍ଟ କିଓସ୍କ କାମରେ ଲାଗୁ ନାହିଁ।

ବ୍ୟବହାର ନ ହେବା ଫଳରେ ଏଥିରେ ଲୋକେ ପୋଷ୍ଟର୍‌ ଲଗାଇ ଦେଲେଣି। ଫଳରେ ରାଜଧାନୀ ବାସିନ୍ଦାଙ୍କୁ ସ୍ମାର୍ଟ ସେବା ଯୋଗାଇ ଦେବା ପ୍ରତିଶ୍ରୁତିରେ ସ୍ଥାପନା କରାଯାଇଥିବା ଏହି କିଓସ୍କ ସବୁ ଜନପଥକୁ ବିକୃତ କରୁଛି। ଆଜି କମିସନର ବିଜୟ ଅମୃତା କୁଲାଙ୍ଗେ ସ୍ମାର୍ଟ ଜନପଥ ପରିଦର୍ଶନ କରିବା ଅବସରରେ ଏହି ସ୍ମାର୍ଟ କିଓସ୍କର ଭାଗ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହା କିଭଳି ଜନସେବାରେ ଲାଗିପାରିବ, ସେନେଇ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି କହିଛନ୍ତି। କେବଳ ଏହି ସ୍ମାର୍ଟକିଓସ୍କ ନୁହେଁ, କାର୍ଯ୍ୟକ୍ଷମ ହୋଇନଥିବା ବା ଅଧାପନ୍ତରିଆ ହୋଇ ପଡ଼ି ରହିଥିବା ୱାଟର୍‌ ଏଟିଏମ୍‌ ମଧ୍ୟ ଜନପଥର ସୌନ୍ଦର୍ଯ୍ୟ ହାନି କରୁଛି। ସେସବୁ କିଭଳି ତୁରନ୍ତ ବ୍ୟବହାରଯୋଗ୍ୟ ବା କାର୍ଯ୍ୟକ୍ଷମ ହେବ, ସେନେଇ ସମ୍ପୃକ୍ତ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜମହଲ ଛକରେ ଥିବା ଏହି କିଓସ୍କର ସ୍ଥିତି ଯାଞ୍ଚ କରିଥିଲେ କମିସନର୍‌। ଏଥିରେ ଏକ ପୋଷ୍ଟର ଲଗାଯାଇଥିବା ଦେଖିବା ପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହା ସଫା ହେବା ସହ କିଭଳି କାମରେ ଲାଗି ପାରିବ, ସେ ନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପରିମଳ, ଡ୍ରେନ୍‌, ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀର ବିଭିନ୍ନ ସ୍ଥାନରେ ୫କୋଟି ଟଙ୍କା ବ୍ୟୟରେ ମୋଟ ୭୫ଟି ସ୍ମାର୍ଟ କିଓସ୍କ ସ୍ଥାପନ କରିବାକୁ ଯୋଜନା ହୋଇଥିଲା। କିନ୍ତୁ ୬୨ଟି ଲଗାଯାଇ ଥିଲା। ବ୍ୟବହାର ନ ହେବାରୁ ଗୋଟିଏ ପରେ ଗୋଟେ ଖରାପ ହେବାରେ ଲାଗିଥିଲା। ଏବେ ଏହାକୁ ସ୍ମାର୍ଟ ସିଟି ବ୍ୟବହାର କରିବା ପରିବର୍ତ୍ତେ ହଟାଇବାକୁ ଯୋଜନା କରିଛି।

ସମ୍ବନ୍ଧିତ ଖବର