ନାକରେ କନ୍ଦାଉଛି ଡ୍ରେନ୍ ସମସ୍ୟା

ଜଟଣୀର ୱାର୍ଡ ନମ୍ବର ୧୯

ଜଟଣୀ: ରେଳବାଇ ଅଧୀନରେ ଥିବା ୭ଟି ୱାର୍ଡ ମଧ୍ୟରୁ ଜଟଣୀ ପୌରପାଳିକାର ୧୯ ନମ୍ବର ୱାର୍ଡଟି ଅନ୍ୟତମ। ଏହି ୱାର୍ଡରେ ବିଶେଷ ରେଳବାଇର କର୍ମଚାରୀ ତଥା ଅଧିକାଂଶ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ୱାର୍ଡ ମଧ୍ୟରେ ମା’ ଭଗବତୀ କଲୋନି, ଧୋବାତୁଠ, ମାଣିଆଛକ, ରେଳବାଇ କଲୋନି ଭଳି ଅଞ୍ଚଳ ରହିଛି। କିନ୍ତୁ ପୌରପାଳିକା ନିର୍ବାଚନକୁ ୧ ବର୍ଷ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କ ପାଇଁ ସେଭଳି କିଛି ଆଖିଦୃଶିଆ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇପାରିନି। ଏବେ ବି ଅନେକଗୁଡ଼ିଏ ପ୍ରକଳ୍ପ କାମ ଅଧାପନ୍ତରିଆ ହୋଇ ପଡ଼ିରହିଛି।

ତେବେ ଏ ଅଞ୍ଚଳର ଡ୍ରେନ୍‌ ସମସ୍ୟା ଲୋକଙ୍କୁ ନାକରେ କନ୍ଦାଉଛି। ଅଞ୍ଚଳରେ ଅଧାଗଢ଼ା ଡ୍ରେନ୍ ତଥା ଅନେକ ସ୍ଥାନରେ ମୂଳରୁ ଡ୍ରେନ୍ ହିଁ ନାହିଁ। ବର୍ଷ ବର୍ଷ ଧରି ଘରୁ ବାହାରୁଥିବା ପାଣି ରାସ୍ତାକୁ ଛଡ଼ା ହେଉଛି। ଡ୍ରେନ୍ ପାଣି ନିଷ୍କାସନ ହୋଇନପାରି ବର୍ଷ ବର୍ଷ ଧରି ଜମି ରହୁଛି ଓ ମଶା, ମାଛିଙ୍କ ବଂଶବୃଦ୍ଧିରେ ସହାୟକ ହେଉଛି। ବିଶେଷକରି ବର୍ଷାଦିନେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଛୁଳା ପାଣି ରାସ୍ତା ଉପରକୁ ମାଡ଼ି ଆସି ପୂତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଆଣ୍ଠୁଏ ଉଚ୍ଚର ଦୁର୍ଗନ୍ଧ ପାଣିରେ ଲୋକ ଯାତାୟାତ କରିବାକୁ ବାଧ୍ୟ ହୋଇଥା’ନ୍ତି।

ସେହିପରି ରାସ୍ତାର ଦୁରବସ୍ଥା ମଧ୍ୟ ୱାର୍ଡବାସୀଙ୍କ ପାଇଁ ଅନ୍ୟ ଏକ ପ୍ରମୁଖ ସମସ୍ୟା। ବିଭିନ୍ନ ସ୍ଥାନରେ ଲାଲଗୋଡ଼ି ମାଟି ରାସ୍ତା ସାଙ୍ଗକୁ ଖାଲଢିପ ରାସ୍ତାରେ ଯାତାୟାତ ବେଳେ ଲୋକେ ନୟାନ୍ତ ହେଉଛନ୍ତି। ବର୍ଷା ଦିନ କଥା ନ କହିବା ଭଲ। ରାସ୍ତାରେ ପାଣି ଜମି ରହୁଥିବାରୁ ଗାଡ଼ିମଟର ଯିବା ଆସିବାରେ ସମସ୍ୟା ଦେଖାଦେଇଥାଏ।

ଅନ୍ୟପଟେ ୱାର୍ଡରେ ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲାଗିନାହିଁ। ରାତିରେ ଲୋକେ ହଇରାଣ ହେବା ସହ ଛୋଟ ପିଲାମାନେ ଟ୍ୟୁସନ୍‌ରୁ ଫେରିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଞ୍ଚଳରେ ପାଣି ପାଇପ୍‌ ବିଛା ସରିଥିଲେ ମଧ୍ୟ ଅନେକଙ୍କ ଘରକୁ ଏପର୍ଯ୍ୟନ୍ତ ପାଣି ଆସୁନାହିଁ। ୱାର୍ଡରୁ ପ୍ରତିଦିନ ଅଳିଆ ଉଠୁ ନାହିଁ। ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାରଗୁଡ଼ିକ ବର୍ଷବର୍ଷ ଧରି ଓହଳି ରହିଥିବାରୁ ଲୋକଙ୍କ ଜୀବନ ପ୍ରତି ଅହରହ ବିପଦ ଲାଗି ରହୁଛି।

ଡ୍ରେନେଜ୍ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଉଛି

୧୯ ନମ୍ବର ୱାର୍ଡରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ନୂଆକରି ୫୦ ଜଣଙ୍କ ଘରକୁ ପାଣି ପାଇପ୍‌ ସଂଯୋଗ କରାଯାଇଛି। ନୂଆ ଟେଣ୍ଡର୍‌ ମାଧ୍ୟମରେ ଅଞ୍ଚଳରେ ୩ଟି ନୂଆରୋଡ୍ କାମ ଏକ ମାସ ଭିତରେ ଆରମ୍ଭ ହେବାକୁ ଯାଉଛି ଓ ଅନେକ ରୋଡ୍ ମରାମତି ମଧ୍ୟ କରାଯିବ। ୱାର୍ଡରେ ଡ୍ରେନ୍ ସମସ୍ୟା ଏକ ପ୍ରମୁଖ ସମସ୍ୟା। ତେଣୁ ପ୍ଲାନିଂ ଅନୁସାରେ ଡ୍ରେନ୍ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତି କରାଯାଉଛି। ଭୂମିହୀନ ବସ୍ତିବାସିନ୍ଦାଙ୍କୁ କିପରି ଘର ମିଳିପାରିବ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି କରିଛୁ। ପ୍ରତି ୧୫ ଦିନରେ ଥରେ ରାସ୍ତାଘାଟରେ ବ୍ଲିଚିଂ ପକାଯାଉଛି। ଝୁଲନ୍ତା ଅବସ୍ଥାରେ ଥିବା ବିଦ୍ୟୁତ୍‌ ତାରଗୁଡ଼ିକୁ କିପରି ସୁରକ୍ଷିତ ଅବସ୍ଥାରେ ରଖାଯାଇପାରିବ, ସେ ବ୍ୟବସ୍ଥା କରାଯିବ। ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ବିଦ୍ୟୁତ୍ ଖୁଣ୍ଟି ପକାଇବାକୁ କୁହାଯାଇଛି।
-ପି. ରାଜକୁମାରୀ, କାଉନ୍‌ସିଲର

ସମ୍ବନ୍ଧିତ ଖବର