ପ୍ରମୋଦ ମେକାପ ହେଲେ ଖାଦ୍ୟ କମିସନ୍‌ ଅଧ୍ୟକ୍ଷ

ଭୁବନେଶ୍ବର : ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ପ୍ରମୋଦ ମେକାପଙ୍କୁ ରାଜ୍ୟ ଖାଦ୍ୟ କମିସନ୍‌ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ଅଧ୍ୟକ୍ଷ ନିଯୁକ୍ତି ପାଇଁ ଗଠିତ ସର୍ଚ କମିଟି ତାଙ୍କ ନାମ ସୁପାରିସ୍ କଲା ପରେ ରାଜ୍ୟ ସରକାର ସେଥିରେ ମୋହର ମାରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏ ସମ୍ପର୍କ‌ରେ ବିଜ୍ଞପ୍ତି ଜାରି କରାଯାଇଛି। ଶ୍ରୀ ମେକାପ ରାଜସ୍ଥାନ କ୍ୟାଡର୍‌ର ଆଇଏଫ୍‌ଏସ୍‌ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି।  ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଲାଗୁ ହେଲା ପରେ ଏହି ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଖାଦ୍ୟ କମିସନ୍ ଗଠନ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଆଇନ୍ କାର୍ଯ୍ୟକାରିତାର ତଦାରଖ କରିବା ଓ ସମୀକ୍ଷା କରିବା କମିସନ୍‌ଙ୍କ ମୁଖ୍ୟ କାମ। ୨୦୧୬ ମସିହାରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ରଙ୍ଗଲାଲ ଜାମୁଡ଼ାଙ୍କୁ କମିସନ୍‌ଙ୍କ ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଗଲା। ଶ୍ରୀ ଜାମୁଡ଼ାଙ୍କ ଅବସର ପରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା। କମିସନ୍‌ରେ ୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିଲା ବେଳେ ଏବେ ଦୁଇ ଜଣ ସଦସ୍ୟ ଅଛନ୍ତି। ସେମାନେ ହେଲେ ଅବସରପ୍ରାପ୍ତ ଓଡ଼ିଶା ପ୍ରଶାସନିକ ସେବା ‌ଅଧିକାରୀ ଡି ଏନ୍ ପାଢ଼ୀ ଓ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ଅନ୍ୟ ତିନିଟି ସଦସ୍ୟ ପଦବି ଖାଲି ପଡ଼ିଛି।

ସମ୍ବନ୍ଧିତ ଖବର