ବିଜେପିରେ ମିଶିଲେ ପୂର୍ଣ୍ଣ ସେଠୀ, ପୀୟୂଷ ମହାନ୍ତି

ଭୁବନେଶ୍ୱର/ ଖଲ୍ଲିକୋଟ: ନିର୍ବାଚନ ଯେତିକି ପାଖଉଛି ବିଜେପି ଓ ବିଜେଡିରେ ଦଳ ଡିଆଁ ନେତାଙ୍କ ଭିଡ଼ ସେତେ ‌ବଢ଼ୁଛି। ହେଲେ ଏବେ ଗତ କିଛି ଦିନ ହେଲା ବିଜେପିରେ ଘନଘନ ମିଶ୍ରଣ ପର୍ବ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ତାଙ୍କ ସହ ପୂର୍ବତନ ସରପଞ୍ଚ ସୁଦାମ ନାୟକ, ସିଲୁ ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ରବିନ୍ଦ୍ର ନାୟକ, କାଉନସିଲର ତ୍ରିନାଥ ପାହାଣ, କାହ୍ନା ସେଠୀ, ଶିକ୍ଷାବିତ ରମେଶ ପାହାଣ, କର୍ଣ୍ଣେଲ ଅକ୍ଷୟ କର ପ୍ରମୁଖ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି।
ସେହିପରି ଶିଳ୍ପପତି ତଥା ମେଟ୍ରୋ ଗ୍ରୁପ୍‌ର ପ୍ରତିଷ୍ଠାତା ପୀୟୂଷ ମହାନ୍ତି ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ଶିଳ୍ପପତି ସଞ୍ଜୟ ଜେନା, ଯୁବନେତା ରତିରଞ୍ଜନ ପାଇକରାୟ, ପ୍ରଣବ ଦାସ, ସନାତନ ମହାକୁଡ଼, ବଳଭଦ୍ର ନାୟକ, କାହ୍ନୁ ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି।

ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବାଣୀକଲ୍ୟାଣ ମହାନ୍ତି ବି ତାଙ୍କ ଅଞ୍ଚଳର ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଓ ଅନ୍ୟ ବିଜେଡି ନେତାମାନେ ବି ବିଜେପିରେ ଯୋଗଦେଇଛନ୍ତି। ଶିକ୍ଷାବିତ୍ ଅସୀମ ଅମିତାଭ ଏବଂ ବରିଷ୍ଠ ଆଇନଜୀବୀ ଶୁଭେନ କୁମାର ପାଣି ବି ବିଜେପିରେ ମିଶିଛନ୍ତି।
ଏହାସହ ମହାକାଳପଡା ଗୋଗୁଆ ପଞ୍ଚାୟତର ପଞ୍ଚାୟତ ସମିତି ସଦସ୍ୟ ତଥା କେନ୍ଦ୍ରାପଡ଼ା ଜିଲ୍ଲା ବାର୍ ଆସୋସିଏନସନ୍ ସମ୍ପାଦକ ପ୍ରତାପ ଚନ୍ଦ୍ର ଦାସ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ତାଙ୍କ ସହ ଏକାଧିକ ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ, ୱାର୍ଡ ମେମ୍ବର, ଛାତ୍ର ନେତା ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ଅବସରପ୍ରାପ୍ତ ଆଇଆରଏସ୍ ଅଧିକାରୀ ତଥା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଲାଞ୍ଜିଗଡ଼ର ଗଙ୍ଗାଧର ମାଝୀ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ପ୍ରଦୀପ ପାଣିଗ୍ରାହୀ ପ୍ରମୁଖ ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ।

ସମ୍ବନ୍ଧିତ ଖବର