ମହେଶ ସାହୁଙ୍କ ଟିକେଟ କଟିଲା: ଗୋଟିଏ ପରିବାରରୁ ଦୁଇଟି ଟିକେଟ

ଅନୁଗୁଳ: ଗୋଟିଏ ପରିବାର ଗୋଟିଏ ଟିକେଟ୍‌। ଏହି ସୂତ୍ର କିନ୍ତୁ ଢେଙ୍କାନାଳରେ ବଦଳିଛି। ଢେଙ୍କାନାଳରେ ସାମଲ ପରିବାରର ଦୁଇଜଣଙ୍କୁ ଟିକେଟ୍ ମିଳିଛି। ବିଧାୟକ ଟିକେଟ୍ ପାଇଥିଲେ ସୁଧୀର ସାମଲ। ପରେ ତାଙ୍କ ପୁତୁରା ତଥା ରାଜନୀତିରେ ନୂଆକରି ସାମିଲ ହୋଇଥବା ଡା. ଅବିନାଶ ସାମଲଙ୍କୁ ଦଳ ଲୋକସଭା ଟିକେଟ୍ ଦେଇଛି। ତ‌ାଙ୍କ ବିରୋଧରେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣି। ଏହି ସଂସଦୀୟ କ୍ଷେତ୍ରରୁ ଲଗାତାର ଚତୁର୍ଥ ଥର ପାଇଁ ପ୍ରତିନ୍ଦ୍ବନ୍ଦ୍ବିତା କରିବାକୁ ଯାଉଥିବା ରୁଦ୍ରଙ୍କ ସହ ନବାଗତ ଅବିନାଶଙ୍କ ଭିତରେ ଲଢ଼େଇ ହେବ।

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ବିଜେଡିର ଗଡ଼ ହୋଇ ରହିଛି। ୨୦୦୪ରୁ ଏଠାରେ ବିଜେଡି ଲଗାତାର ଭାବେ ଜିତି ଆସୁଛି। ୨୦୦୯ରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଜେପି ଲଢ଼େଇ କରୁଥିଲେ ମଧ୍ୟ କେବେ ବିଜୟୀ ହୋଇପାରିନି।ତେବେ ଗତ ୩ଟି ଯାକ ସାଧାରଣ ନିର୍ବାଚନରେ ବିଜେପି ରୁଦ୍ର ନାରାୟଣ ପାଣିଙ୍କୁ ଟିକେଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ପ୍ରତିଥର ରୁଦ୍ର ଭୋଟ ହାର ବଢ଼ାଇଥିଲାବେଳେ ୨୦୧୯ରେ ପାଖାପାଖି ୩୫ ହଜାର ଭୋଟ୍‌ ବ୍ୟବଧାନରେ ହାରିଥିଲେ। ତେଣୁ ୩ ଥର ହାରିଥିଲେ ମଧ୍ୟ ବିଜେପି ପୁଣି ରୁଦ୍ରଙ୍କ ଉପରେ ଭରସା କରିଛି। ମାତ୍ର ମାସକ ତଳେ ବିଜେଡିରେ ମିଶିଥି‌ବା ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ପୁତୁରା ଡା. ଅବିନାଶ ସାମଲଙ୍କୁ ଦଳ ଟିକେଟ ଦେଇ ନୂଆ ଚାଲ୍‌ ଖେଳିଛି। ସୁଧୀର ସାମଲ ଆଗରୁ ଢେଙ୍କାନାଳ ସାଂସଦ ଭାବେ ଥରେ ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲାବେଳେ ତାଙ୍କର ଏହି ଅଭିଜ୍ଞତା ଅବିନାଶଙ୍କୁ ସହାୟତା କରିବାର ଆଶା କରାଯାଉଛି।

ସମ୍ବନ୍ଧିତ ଖବର