ବାହୁଡ଼ା ପାଇଁ ତରତର ମହାପ୍ରଭୁ: ତିନିରଥ ନେଲେ ଦକ୍ଷିଣମୋଡ଼, ଲାଗି ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ

ପୁରୀ : ମହାପ୍ରଭୁଙ୍କ ଉପରେ ଅଭିମାନ କରି ମା’ ଲକ୍ଷ୍ମୀ ଠାକୁରାଣୀ ଗତକାଲି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଫେରି ଆସିବାପରେ ମହାପ୍ରଭୁଙ୍କ ମନ ଅଥୟ ହୋଇଛି। ଶ୍ରୀମନ୍ଦିର ଫେରିବା ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜନ୍ମବେଦି ଛାଡ଼ି ପୁଣିଥରେ ରତ୍ନବେଦିକୁ ଫେରିବାକୁ ଅନାଇ ବସିଛନ୍ତି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରାର ପ୍ରାରମ୍ଭିକ କାର୍ଯ୍ୟ ସ୍ବରୂପ ବୁଧବାର ଦିନ ଆଡ଼ପମଣ୍ଡପରୁ ଶ୍ରୀଜିଉଙ୍କ ରଥ ଆଜ୍ଞାମାଳ ବିଜେ ପରେ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦକ୍ଷିଣ ମୋଡ଼ ନେଇଛନ୍ତି। ରଥଯାତ୍ରାଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଆଗରେ ରହିଥିବା ତିନି ରଥକୁ ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଦକ୍ଷିଣମୋଡ଼ ଦେଇ ରଖାଯାଇଛି। ଜୁଲାଇ ୯ ତାରିଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇ ବାହୁଡ଼ଯାତ୍ରା କରିବେ।

ନବବିବାହିତା ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ଫିଟି ନଥିବାବେଳେ କିଛି ନ ଜଣାଇ ମହାପ୍ରଭୁଙ୍କ ଭାଇ ଭଉଣୀଙ୍କୁ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲି ଆସିଛନ୍ତି। ଏହା ଜାଣିବାପରେ ବିରହ ବେଦନା ସହି ନପାରି ମା’ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପରାମର୍ଶକ୍ରମେ ଗତକାଲି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଥିଲେ। ଶ୍ରୀଗୁଣ୍ଡିଚା ମନ୍ଦିର ଜୟ-ବିଜୟ ଦ୍ୱାର ପାଖରେ ମହାପ୍ରଭୁଙ୍କୁ ଭେଟିବାକୁ ମା’ ଲକ୍ଷ୍ମୀ ଅପେକ୍ଷା କରିଥିବାବେଳେ ସନ୍ଧ୍ୟା ଧୂପ ନୀତି ପାଇଁ ଜୟ-ବିଜୟ ଦ୍ୱାର ବନ୍ଦ କରି ଦିଆଯାଇଥିଲା। ମହାପ୍ରଭୁଙ୍କ ଭେଟ ନ ପାଇ ଅପମାନରେ ମା’ ଶ୍ରୀଗୁଣ୍ଡିଚା ମନ୍ଦିରରୁ ନାକଚଣା ଦ୍ୱାର ଦେଇ ନିରାଡମ୍ୱରରେ ହେରାଗୋହିରି ସାହି ଦେଇ ଶ୍ରୀମନ୍ଦିରକୁ ଫେରି ଆସିଥିଲେ। ଏହା ଜାଣିବାପରେ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଆଜି ସକାଳ ୬ଟା ୩୦ରେ ଦ୍ୱାରଫିଟା ନୀତି ସଂପନ୍ନ ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା। ମଧ୍ୟାହ୍ନ ୧୨ଟା ୫୦ରେ ସକାଳ ଧୂପ ପରେ ତିନି ରଥର ଦକ୍ଷିଣମୋଡ଼ ପାଇଁ ଅପରାହ୍ଣ ୧ଟା ୪୫ରେ ଆଡ଼ପମଣ୍ଡପରୁ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ବିଜେ ହୋଇଥିଲା। ତିନି ରଥରେ ଆଜ୍ଞାମାଳ ଲାଗି ପରେ ସେବାୟତ, ପୁଲିସ, ଓଏସ୍‌ଏଏଫଙ୍କ ସହଯୋଗରେ ଅପରାହ୍ନ ସାଢ଼େ ୨ଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଦକ୍ଷିଣମୋଡ଼ ନେଇ ନାକଚଣା ଦ୍ବାର ଶରଧାବାଲିରେ ୩ଟା ୪୫ ସୁଦ୍ଧା ଅବସ୍ଥାନ କରିଥିଲେ। ପରେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ ଅପରାହ୍ଣ ୪ଟା ୧୫ରେ ଟଣା ଆରମ୍ଭ ହୋଇ ୬ଟା ସୁଦ୍ଧା ଶରଧାବାଲିରେ ଦକ୍ଷିଣମୋଡ଼ ନେଇ ଅବସ୍ଥାନ କରିଥିଲେ। ଶେଷରେ ସଂଧ୍ୟା ୬ଟା ୨୦ରେ ନନ୍ଦିଘୋଷ ରଥ ଟଣା ଆରମ୍ଭ ହୋଇଥିଲା। ରାତି ୭ଟା ୪୦ରେ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ ନେଇ ଶରଧାବାଲିରେ ଅବସ୍ଥାନ କରିଥିଲେ।

ସମ୍ବନ୍ଧିତ ଖବର