ରାଜ୍ୟପାଳଙ୍କୁ ଭେଟିଲା ରାଗିଂମୁକ୍ତ କ୍ୟାମ୍ପସ ଅଭିଯାନ: ରାଗିଂ ରୋକିବାକୁ ସବୁବର୍ଗର ସମ୍ମିଳିତ ଉଦ୍ୟମ ଆବଶ୍ୟକ

ଅଭିଯାନର ପ୍ରସ୍ତାବକୁ ରାଜ୍ୟପାଳଙ୍କ ପ୍ରଶଂସା

ଭୁବନେଶ୍ବର : ରାଗିଂମୁକ୍ତ କ୍ୟାମ୍ପସ୍‌ ଅଭିଯାନର ସଭାପତି ତେଜେଶ୍ବର ପରିଡ଼ାଙ୍କ ନେତୃତ୍ବରେ ୪ଜଣିଆ ଏକ ପ୍ରତିନିଧିଦଳ ବୁଧବାର ଦିନ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲଙ୍କୁ ରାଜଭବନରେ ଭେଟିଛନ୍ତି। ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ରାଗିଂ ସଂପର୍କ‌ରେ ସେମାନେ ରାଜ୍ୟପାଳଙ୍କୁ ଅବଗତ କରାଇବା ସହ ଏନେଇ ଶୂନ୍ୟ ସହନଶୀଳତା ଘୋଷଣା କରିବାର ଆବଶ୍ୟକତା ଅଛି ବୋଲି ଯୁକ୍ତି ବାଢ଼ିଥିଲେ।

ପ୍ରତିନିଧି ଦଳ ବିଜେବି କଲେଜରେ ରାଗିଂରୁ ଛାତ୍ରୀ ମୃତ୍ୟୁ, ଭୀମଭୋଇ ମେଡିକାଲରେ ରାଗିଂ ଜନିତ ମୃତ୍ୟୁ, ଗତକାଲି ଦେବଗଡ଼ ଜିଲ୍କା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏଏନ୍‌ଏମ୍ ଟ୍ରେନିଂ ସେଣ୍ଟର୍‌ରେ ହୋଇଥିବା ଲିଖିତ ରାଗିଂ ଅଭିଯୋଗ ଏବଂ ଗତରାତିରେ ଭୁବନେଶ୍ବର ବେସିକ୍‌ ସାଇନ୍ସ କଲେଜରେ ହୋଇଥିବା ରାଗିଂ ଅଭିଯୋଗ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ଏହାସହ ୨ ପୃଷ୍ଠା ସମ୍ବଳିତ ଏକ ପତ୍ର, ଗତ ମାର୍ଚ ୧୫ ତାରିଖରେ ରାଜ୍ୟ ମାନବାଧିକାର ପରିଷଦ (ଓଏଚ୍‌ଆର୍‌ସି)ଙ୍କୁ ରାଗିଂ ରୋକିବା ପାଇଁ ବିଭିନ୍ନ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଓ ଜଷ୍ଟିସ ଅରିଜିତ ପଶାୟତଙ୍କ ଦ୍ୱାରା ୨୦୦୯ ମସିହାରେ ସୁପ୍ରିମ୍‌କୋର୍ଟଙ୍କ ରାୟର ଏକ ନକଲ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା।

ରାଜ୍ୟପାଳ ଶ୍ରୀ ଲାଲ ଏଗୁଡ଼ିକର ଅନୁଧ୍ୟାନ କରିବା ସହ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାସହ ରାଗିଂ ରୋକିବାକୁ ଅଭିଯାନ ପକ୍ଷରୁ ସରକାରଙ୍କୁ ପୂର୍ବରୁ ଦିଆଯାଇଥିବା ବିଭିନ୍ନ ପ୍ରସ୍ତାବର ପ୍ରଶଂସା କରିଥିଲେ। ରାଗିଂ ରୋକିବାକୁ ସମାଜର ସବୁ ବର୍ଗର ଲୋକେ ସମ୍ମିଳିତ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଥିଲେ। ଏହି ପ୍ରତିନିଧିମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଅଭିଯାନର ଆବାହକ ମୀର ଅହମ୍ମଦ ଅଲ୍ଲୀ, ସହ ଆବାହକ ନଳିନୀକାନ୍ତ ନାୟକ ଓ ସଦସ୍ୟା ଶ୍ରୀୟା ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର