ଗୃହବନ୍ଦୀ କରିଛି ୱାଟ୍‌କୋ, ରାସ୍ତା ଖୋଳି ଦେଇ ପାର୍‌

ଭୁବନେଶ୍ବର: ୨୪ ଘଣ୍ଟିଆ ପାଣି ପାଇପ୍‌ ବିଛାଇବା ପାଇଁ ୱାଟ୍‌କୋ ରାସ୍ତା ଖୋଳୁଛି। ମାତ୍ର ଠିକଣା ସମୟରେ କାମ ସାରୁନାହିଁ। ଫଳରେ ଘର ସମ୍ମୁଖରେ ଖୋଳା ହୋଇଥିବା ଗର୍ତ୍ତ ବା ନାଳି ଯୋଗୁଁ ଘରୁ ବାହାରିବା କାଠିକର ପାଠ ହେଉଛି। ରାସ୍ତା ସଂକୁଚିତ ହୋଇଯାଇଥିବାରୁ ସ୍ବାଭାବିକ ଭାବେ ଲୋକେ ଚଳପ୍ରଚଳ ହୋଇପାରୁନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ସ୍ଥାନୀୟ ବାସିନ୍ଦା ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ କଲବଲ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି ସତ୍ୟନଗର ଅଞ୍ଚଳରୁ। ୱାଟ୍‌କୋର ଏମିତି ମନମାନି ପାଇଁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସତ୍ୟନଗରବାସୀଙ୍କ ଅଭିଯୋଗ ଅନୁସାରେ ପ୍ରାୟ ୧ମାସରୁ ଅଧିକ ଦିନ ହେଲାଣି ଏହି ଅଞ୍ଚଳରେ ପାଣି ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳାଯାଇଥିଲା।

ତେବେ ରାସ୍ତା ଖୋଳା ହେଲା ସିନା ମଧ୍ୟ ଏପର୍ଯ୍ୟନ୍ତ ପାଇପ୍‌ ବିଛାଗଲା ନାହିଁ। ଫଳରେ ରାସ୍ତା ଖୋଳା ହୋଇରହିଛି। ଏଠାରେ ବହୁ ଗଳି‌ରେ ରାସ୍ତା ଅଣଓସାରିଆ ହୋଇଥିବାରୁ ଖୋଳା ହୋଇଥିବା ମାଟି ରାସ୍ତାରେ ଗଦା ହୋଇ ରହିଛି। ଫଳରେ ରାସ୍ତା‌ ସଂକୁଚିତ ହୋଇଯାଇଛି। ସେହିଭଳି ଖୋଳିବା ବେଳେ ପୁରୁଣା ପାଣି ପାଇପ ଫାଟି ଯିବାରୁ ବହୁ ସ୍ଥାନରେ ପାଣି ଲିକ୍‌ ହୋଇ ବାହାରକୁ ଆସୁଛି ଓ ରାସ୍ତା କାଦୁଅ କରୁଛି। ବ‌ର୍ଷା ଆରମ୍ଭ ହୋଇଯାଇଥିବାରୁ ଖୋଳା ହୋଇଥିବା ମାଟି ଧୋଇଯାଇ ରାସ୍ତା ସାରା କାଦୁଅ ପଙ୍କ କରୁଛି। ଫଳରେ ଲୋକମାନେ ଯିବା ଆସିବା କରିବା ପାଇଁ ହଇରାଣ ହେଉଛନ୍ତି। ସତ୍ୟନଗର ଶ୍ମଶାନଠାରୁ ଯାଇଥିବା ଗଳିଗୁଡ଼ିକରେ ଅଣଓସାରିଆ ରାସ୍ତା ହୋଇଥିବାରୁ ସେହି ଅଞ୍ଚଳର ଲୋକେ ବେଶି ସମସ୍ୟାରେ ପଡ଼ୁଛନ୍ତି। କିଛି ଲୋକଙ୍କ ଘରର ଫାଟକ ସମ୍ମୁଖ ଖୋଳା ହୋଇପଡ଼ିଥିବାରୁ ସେମାନେ ଘରୁ ଗାଡ଼ିମଟର ବାହାର କରିପାରୁନାହାନ୍ତି।

ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ୱାଟ୍‌କୋ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବଡ଼ କଥା ହେଉଛି ପ୍ରଭାବଶାଳୀ ବ୍ୟକ୍ତି ଦେଖି ସେମାନଙ୍କ ଘର ସାମ୍ନାରେ ମାଟି ଆଣି ପୋତି ଦେଉଛନ୍ତି। ସତ୍ୟନଗରବାସିନ୍ଦା ଅନୁରାଧା ଦାଶଙ୍କ ଅଭିଯୋଗ ଅନୁସାରେ ୱାଟ୍‌କୋ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ପାଇଁ ସେମାନେ ମାସେ ହେଲାଣି ବଡ଼ କଲବଲ ହେଉଛନ୍ତି। କାମ ବିଳମ୍ବ ହେଉଥିବାରୁ ଲୋକମାନେ ରାତିରେ ଘରୁ ଗୋଡ଼ କାଢ଼ିବାକୁ ଭୟ କରୁଛନ୍ତି। ତେଣୁ ଏଭଳି ବିଳମ୍ବ ହେ‌ଲେ ବାଧ୍ୟ ହୋଇ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଭେଟିବେ ବୋଲି ଶ୍ରୀମତୀ ଦାଶ କହିଛନ୍ତି। ଏନେଇ ୱାଟ୍‌କୋ ଅଧିକାରୀ ଗୁରୁ ଦାସଙ୍କ କହିବା କଥା, ଠିକଣା ସମୟରେ କାମ ସାରିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧିତ ଖବର