ମେ’ ପ୍ରଥମ ସପ୍ତାହରୁ ରବି ଧାନ ସଂଗ୍ରହ: ୧୬% ଜମିରେ ନକଲି ଧାନ ଚାଷ, ପଞ୍ଜୀକୃତ ଜମିର ସାଟେଲାଇଟ୍‌ ସର୍ଭେ

ଆକାଉଣ୍ଟ, ଆଧାର କାର୍ଡ ଯାଞ୍ଚ ନିର୍ଦେଶ, ଗତବର୍ଷ ଠାରୁ ୧୧% ଅଧିକ ଚାଷୀ ପଞ୍ଜୀକୃତ

ଭୁବନେଶ୍ବର: ମେ’ ପ୍ରଥମ ସପ୍ତାହରୁ ୧୭ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ମାତ୍ର ପଞ୍ଜୀକୃତ ହୋଇଥିବା ଚାଷୀଙ୍କ ସମୁଦାୟ ଜମିର ୧୬ ପ୍ରତିଶତ ଅଞ୍ଚଳରେ ଧାନ ଚାଷ ହୋଇନାହିଁ। ଏହାକୁ ସଂଗ୍ରହ ପ୍ରକ୍ରିୟାରୁ ବାଦ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଲୋକସେବା ଭବନଠାରେ ଚଳିତ ରବିଧାନ ସଂଗ୍ରହ ନିମନ୍ତେ ଆୟୋଜିତ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ପଦକ୍ଷେପର ସମୀକ୍ଷା କରିଥିଲେ। ୪ ତାରିଖ ସୁଦ୍ଧା ଓର୍‌ସାକ୍‌ ଦ୍ୱାରା ସମସ୍ତ ପଞ୍ଜୀକୃତ ଧାନଚାଷ ଜମିର ସାଟେଲାଇଟ୍‌ ସର୍ଭେ, ବ୍ୟାଙ୍କ ଆକାଉଣ୍ଟଏବଂ ଆଧାର କାର୍ଡ ଆଦିର ଯାଞ୍ଚ କାର୍ଯ୍ୟ ଶେଷ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସମବାୟ, ରାଜସ୍ୱ, ଜଳସଂପଦ ଓ କୃଷି ବିଭାଗର ଅଧିକାରୀଙ୍କ ଦ୍ୱାରା କ୍ଷେତ୍ରସ୍ତରରେ ଯୁଗ୍ମ ଯାଞ୍ଚ କାର୍ଯ୍ୟ କରାଯାଇଛି। ଯାଞ୍ଚ କରାଯାଇଥିବା ତଥ୍ୟଗୁଡ଼ିକ ସୋସାଇଟି ଦ୍ୱାରା ତୁରନ୍ତ ଅପ୍‌ଡେଟ୍‌ କରିବା ପାଇଁ କୁହାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟର ୧୭ଟି ଜିଲ୍ଲା ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଏବଂ ସୁବର୍ଣ୍ଣପୁରର ସମୁଦାୟ ୨ ଲକ୍ଷ ୫୮ ହଜାର ୨୩୭ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେବ। ଯାହାକି ଗତବର୍ଷ ଅପେକ୍ଷା ୧୧ ପ୍ରତିଶତ ଅଧିକ। ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ନିଷ୍ପତ୍ତି ଅନୁସାରେ, ମେ’ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସପ୍ତାହରୁ ବିଭିନ୍ନ ଜିଲ୍ଲାରେ ଧାନ ସଂଗ୍ରହ ହେବ। ଏହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ମଣ୍ଡିରେ ସର୍ବନିମ୍ନ ସୁବିଧା ଯାଞ୍ଚ, ମଣ୍ଡି ସହିତ ସଂଯୁକ୍ତ ମିଲରମାନେ ଯେପରି ଠିକ୍‌ ସମୟରେ ମଣ୍ଡିରୁ ଧାନ ଉଠାଣ କରିବେ, ସେଥି ପ୍ରତି ଆଗୁଆ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ପି-ପାସ୍‌ ଓ ଚାଷୀଙ୍କୁ ଆଗୁଆ ଟୋକେନ୍‌ ପ୍ରଦାନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ସ୍ୱତନ୍ତ୍ର ଶାସନ ସଚିବ ରାଜେନ୍ଦ୍ର ମିଶ୍ର, ସମବାୟ ସମିତି ନିବନ୍ଧକ ଡ. ଉଦ୍ଧବ ଚରଣ ମାଝି, ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା, ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶୁଭମ୍‌ ସାକ୍ସେନା, ଓର୍‌ସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପି.କେ. ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର