ମନୋଜ ମିଶ୍ରଙ୍କୁ ଧମକକୁ ନେଇ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର : ହିନ୍ଦୀ, କନ୍ନଡ଼ ଓ ଓଡ଼ିଆ ସିନେମାରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ସମ୍ବଲପୁରରେ ଜନ୍ମିତ ପ୍ରତିଭାଶାଳୀ ଅଭିନେତା ମନୋଜ ମିଶ୍ରଙ୍କୁ କଟକର କେତେକ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଧମକ ଦେଇଛନ୍ତି। ଅଭିନେତା ଶ୍ରୀ ମିଶ୍ରଙ୍କ ପ୍ରତି ଗାଳିଗୁଲଜ କରିବା ସହିତ ପଶ୍ଚିମ ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେବାକୁ ନେଇ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଅଭିନେତା ଶ୍ରୀ ମିଶ୍ର ଏକ ପ୍ରତିଷ୍ଠିତ ଟିଭି ଚ୍ୟାନେଲ୍‌କୁ ଦେଇଥିବା ସାକ୍ଷାତକାରରେ ଓଡ଼ିଆ ସିନେ ଅଭିନେତା ଓ ଓଡ଼ିଆ ଚଳଚ୍ଚିତ୍ରର ଉନ୍ନତି ସମ୍ବନ୍ଧରେ ନିଜର ସ୍ବାଧୀନ ମତ ରଖିଥିଲେ। ଓଡ଼ିଆ ସିନେମାରେ କାହାଣୀରେ ମୌଳିକତା ଓ ଅଭିନବ ନିର୍ଦ୍ଦେଶନା ବିଷୟରେ ସବିଶେଷ ମତ ରଖିବା ସହିତ ଓଡ଼ିଆ ସିନେମା କଳାକାରଙ୍କ ବର୍ଷକର ପାରିଶ୍ରମିକ ବମ୍ବେ ଫିଲ୍ମ ଇଣ୍ଡଷ୍ଟ୍ରିର ଦିନକର ପାରିଶ୍ରମିକ ଭଳି ଦୟନୀୟ ହୋଇଥିବା କହିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ନିଜକୁ ଅଭିନେତା ଓ କ୍ୟାମେରାମ୍ୟାନ୍‌ ପରିଚୟ ଦେଉଥିବା କଟକର ଜଣେ ବ୍ୟକ୍ତି ଏବଂ ତାଙ୍କ ସହଯୋଗୀମାନେ ଅଭିନେତା ମନୋଜଙ୍କୁ ଗାଳି ଦେବାର ଏକ ଭିଡିଓ ଭାଇରାଲ ହେବା ପରେ ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣାରେ ପୁଲିସ୍‌ ଅତି ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ବଲପୁର ସାଂସ୍କୃତିକ ପରିଷଦ ତରଫରୁ ଦାବି କରାଯାଇଛି। କୋଶଲ ମୁକ୍ତି ମୋର୍ଚ୍ଚା ସଂପୃକ୍ତ ଦୁଇ ବ୍ୟକ୍ତିଙ୍କ ବିରୋଧରେ ପାଟଣାଗଡ଼ ଥାନାରେ ଏତଲା ଦେଇଛି।

ସମ୍ବନ୍ଧିତ ଖବର