ଫକୀରମୋହନଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ଅଙ୍କୁଶ

ଅଣନାତୁଣୀ ମୀନାକ୍ଷୀ ଦତ୍ତ ରୁଜୁ କରିଥିଲେ ମାମଲା

କଟକ : ଓଡ଼ିଆ କଥାସାହିତ୍ୟର ଜନକ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ଉପରେ ଅଦାଲତ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ବିଚାରାଧୀନ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପର୍ଯ୍ୟନ୍ତ ଫକୀରମୋହନଙ୍କ ଆତ୍ମଜୀବନୀ ‘ମୋ ଜୀବନୀ’ ପ୍ରତିପକ୍ଷ ପ୍ରକାଶ କରି ପାରିବେ ନାହିଁ ବୋଲି ଅଦାଲତ କହିଛନ୍ତି।

କଟକ ବରିଷ୍ଠ ସିଭିଲ ଜଜ୍ (କମର୍ସିଆଲ୍ କୋର୍ଟ) ଅଦାଲତ ଫକୀରମୋହନଙ୍କ ଅଣନାତୁଣୀ ଡ. ମୀନାକ୍ଷୀ ଦତ୍ତଙ୍କ ଆବେଦନର ଶୁଣାଣି କରି ଏପରି ଅନ୍ତରୀଣ ନି‌ର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ମୀନାକ୍ଷୀ ଦେବୀଙ୍କ ସହିତ ପ୍ରତିପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୂଳ ମାମଲାର ଅଗଷ୍ଟ ୨୪କୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଏ ନେଇ ମୀନାକ୍ଷୀ ଦେବୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଗୌତମ କୁମାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅପ୍ରକାଶିତ ହାତଲେଖା ପ୍ରକାଶ ପାଇଁ କିଛି ବିଶିଷ୍ଟ ସାହିତ୍ୟିକ ଉଦ୍ୟମ କରୁଥିବାବେଳେ ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଫକୀରମୋହନଙ୍କ ହାତଲେଖାର ଡିଜିଟାଲ ଫାଇଲ ପ୍ରସ୍ତୁତ କରିବା ସହିତ ଆତ୍ମଜୀବନୀ ପ୍ରକାଶ ପାଇଁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଓ ରାଷ୍ଟ୍ରୀୟ ଅଭିଲେଖାଗାରର ସହନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ର  ଆଗେଇ ଆସିଥିଲେ। ବ୍ୟାସକବିଙ୍କ ଉତ୍ତରାଧିକାରୀ ଭାବେ ମୀନାକ୍ଷୀ ଦତ୍ତଙ୍କ ସହ ଏହି ପ୍ରସଂଗରେ ଏକ ଚୁକ୍ତିନାମା ମଧ୍ୟ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚୁକ୍ତିନାମାରେ ଥିବା ସର୍ତ୍ତ ଉଲ୍ଲଂଘନ କରି ମୀନାକ୍ଷୀ ଦେବୀଙ୍କ ବିନା ଅନୁମତିରେ ଫକୀରମୋହନଙ୍କ ଏହି ହାତଲେଖା ପ୍ରକାଶ ପାଇଁ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଦାଲତରେ ଦାୟର ଆବେଦନରେ ଦର୍ଶାଯାଇଛି ଯେ ମୀନାକ୍ଷୀ ଦେବୀ ଫକୀରମୋହନଙ୍କ ଘରେ ଜନ୍ମ ଠାରୁ ରହି ଆସୁଛନ୍ତି। ଏହି ଘର ପ୍ରାୟ ଦେଢ ଶହ ବର୍ଷ ପୁରୁଣା। ଚାରି ପିଢି ଧରି ଏହି ପାଣ୍ଡୁଲିପିକୁ ସେ ସାଇତି ରଖିଥିଲେ। ଫକୀରମୋହନଙ୍କ ହାତଲେଖା ପାଣ୍ଡୁଲିପି ସର୍ବସାଧାରଣଙ୍କ ସଂପତ୍ତି ନୁହେଁ। ଏହା ତାଙ୍କ ନିକଟରେ ଥିଲା ଏବଂ ସେ ବିଶ୍ବାସକରି ପ୍ରତିପକ୍ଷଙ୍କୁ ‌ଡିଜିଟାଇଜେସନ୍ କରିବାକୁ ଦେଇଥିଲେ। କିନ୍ତୁ ତାଙ୍କ ଅଜାଣତରେ ଏଥିରୁ କିଛି ପୃଷ୍ଠା ୱେବସାଇଟରେ ପ୍ରକାଶ କରାଯାଇଥିଲା। ଏଥିପାଇଁ ତାଙ୍କ ଅନୁମତି ନିଆଯାଇ ନଥିଲା। ଏଭଳି ଘଟଣାର ପ୍ରତିବାଦ କରିବାରୁ ତାଙ୍କୁ ଧମକ ଦେଇ ଚିଠି ଲେଖାଯାଇଥିଲା।

ଏଭଳି ସ୍ଥିତିରେ ସେ ଅଦାଲତଙ୍କ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ଏହି ପାଣ୍ଡୁଲିପି ପ୍ରକାଶନ ପାଇଁ ପ୍ରତିପକ୍ଷଙ୍କ ଉପରେ ସ୍ଥାୟୀ ଅଙ୍କୁଶ ଲଗାଯାଉ। ଫକୀରମୋହନଙ୍କ ଏହି ପାଣ୍ଡୁଲିପିର ସେ ଆଇନ ଅନୁସାରେ ତତ୍ତ୍ବାବଧାରକ/ମାର୍ଫତଦାର(କଷ୍ଟୋଡିଆନ୍) ବୋଲି ଘୋଷଣା କରାଯାଉ। ଏଥିସହିତ ପାଣ୍ଡୁଲିପିର ଡିସିଟାଇଜେସନ୍ କରାଯାଇଥିବା ଫାଇଲ ଫେରାଇ ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ମୀନାକ୍ଷୀ ଦେବୀଙ୍କ ଆବେଦନରେ ଦର୍ଶାଯାଇଛି। ମାମଲାରେ ଦେବୀ ପ୍ରସନ୍ନ ପଟ୍ଟନାୟକ ଓ ଡକ୍ଟର ଲଲାଟେନ୍ଦୁ ଦାଶମହାପାତ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର