ହଳଦୀ ଛକରେ ରାସ୍ତାରୋକ ଷଷ୍ଠ ଦିନରେ ଜାରି

ବେପରୁଆ ପ୍ରଶାସନ, କଲବଲ ଜନତା

ମୁରିବାହାଲ: କୃଷିବୀମା ସହାୟତା ରାଶି ଦାବିରେ ମୁରିବାହାଲ ବ୍ଲକ୍‌ ହଳଦୀଠାରେ ଚାଲିଥିବା ଚାଷୀଙ୍କ ରାସ୍ତା‌‌ରୋକ ରବିବାର ଷଷ୍ଠ ଦିନରେ ଜାରି ରହିଥିଲା। ୬ ଦିନ ଧରି ୫୯ନମ୍ବର ଜାତୀୟ ରାଜପଥରେ ଚାଷୀମାନଙ୍କ ଆନ୍ଦୋଳନ ଚାଲିଥିବାରୁ ଏହି ରାସ୍ତାରେ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ସମାଧାନ ପାଇଁ ଆସୁଥ ନଥିବାରୁ ଲୋକମାନେ କଲବଲ ହେଉଛନ୍ତି। ଚାଷୀମାନଙ୍କ ପକ୍ଷରୁ ହଳଦୀ ସମିତି ସଭ୍ୟ  ଟୁନାମଣି ମହାନନ୍ଦଙ୍କ ନେତୃତ୍ୱରେ ଦିଆଯାଇଥିବା ଧାରଣାସ୍ଥଳକୁ ରବିବାର ଶାସକ ବିଜେଡିର ବରିଷ୍ଠ ନେତା ଅଜୟ ଦାସ, ବ୍ଲକ୍‌ ବିଜେଡି ସଭାପତି ମୀନକେତନ ପାତ୍ର, ବ୍ଲକ୍‌ ଯୁବ ବିଜେଡି ସଭାପତି ଚିତ୍ତରଞ୍ଜନ ବାଗ, ହଳଦୀ ପେକ୍ସ ସଭାପତି ହଳଧର ମହାକୁର, ପୂର୍ବ ବିଟାବନ୍ଧ ସରପଞ୍ଚ ଅଗସ୍ତି ବାଗ, ହରେକୃଷ୍ଣ ବଘାର ଓ ନାରୀନେତ୍ରୀ ପୁଷ୍ପା ଘିବେଲା ପ୍ରମୁଖ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ।

ଟିଟିଲାଗଡ଼ର ବରିଷ୍ଠ ଚାଷୀନେତା ବାଳକୃଷ୍ଣ ଷାଣ୍ଢ ଓ ଗରିବସେନା ସଭାପତି ବୀରେନ୍ଦ୍ର ବାଗ ମଧ୍ୟ ପହଞ୍ଚି ଚାଷୀଙ୍କୁ ସମର୍ଥନ ଜଣାଇଥିଲେ। ବ୍ଲକ୍‌ କୃଷକ ସଙ୍ଗଠନ ସଭାପତି ଚକ୍ରଧର ହେର୍ଣ୍ଣା, କାର୍ଯ୍ୟକାରୀ ସଭାପତି ମଦନମୋହନ କୁମ୍ଭାର, ସମ୍ପାଦକ ଗିରିଧାରୀ ସାହୁ, କୋଷାଧ୍ୟକ୍ଷ ଟିକେମନ ମାଝୀ, ଉପଦେଷ୍ଟା ବିଭୀଷଣ ମହାନନ୍ଦ ଓ ତୀର୍ଥ ହାତୀ ପହଞ୍ଚି ପ୍ରଶାସନର ଚାଷୀମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ। ଅପରାହ୍ନରେ ବଙ୍ଗୋମୁଣ୍ଡା ସରପଞ୍ଚ ତଥା ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ ଯୋଶୀ ମଧ୍ୟ ଧାରଣାସ୍ଥଳକୁ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ରବିବାର ମଧ୍ୟ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ କୌଣସି ଅଧିକାରୀଙ୍କ ଦେଖାଦର୍ଶନ ମିଳି ନଥିଲା। ସୋମବାର ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସମିତି ସଭ୍ୟ ଶ୍ରୀ ମହାନନ୍ଦ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର