ବନ୍ୟା ଦେଖିବାକୁ ଆସିଥିଲେ, ନଦୀକୁ ଡେଇଁପଡ଼ିଲେ

ପରିବାର ସଦସ୍ୟଙ୍କ ସାମ୍‌ନାରେ ସ୍ରୋତରେ ଭାସିଗ‌ଲେ

ପୁରୀ : ରବିବାର ଦିନ ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟମାନଙ୍କ ସମ୍ମୁଖରେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ୍‌ ରୋଡ୍‌ର ନୂଆନଈ ପୋଲ ଉପରୁ ପାଣିକୁ ଡେଇଁ ନିଖୋଜ ହୋଇଯାଇଛନ୍ତି। ବନ୍ୟା ଦେଖିବାକୁ ଆସି ସେ ଏହିଭଳି ଏକ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବ୍ୟକ୍ତିଙ୍କୁ ନୂଆନଈ ପାଣିରେ ଖୋଜାଖୋଜି କରିଛନ୍ତି। ମାତ୍ର, ରାତି ୮ଟା ସୁଦ୍ଧା ତାଙ୍କର ପତ୍ତା ମିଳିନଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରବିବାର ଅପରାହ୍ଣ ପ୍ରାୟ ୫ଟା ସମୟରେ ବାଲିଗୁଆଳିର ଗଗନ ବିହାରୀ ପ୍ରଧାନ(୫୨) ତାଙ୍କ ପରିବାର ସଦସ୍ୟଙ୍କ ସହିତ ନୂଆନଈର ପାଣି ଦେଖିବାକୁ ପୋଲ ଉପରକୁ ଆସିଥିଲେ। ନୂଆନଈର ପାଣି ଦେଖିବାକୁ ଏଠାରେ ବହୁତ ଲୋକ ରୁଣ୍ଡ ହୋଇଥିଲେ। ମାତ୍ର, ଏହିସମୟରେ ହଠାତ୍‌ ଗଗନ ବିହାରୀ ପୋଲର ବାଡ଼ ଉପରକୁ ଚଢ଼ି ନୂଆନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ ପରିବାର ସଦସ୍ୟମାନଙ୍କ ସମ୍ମୁଖରେ ସେ ପାଣି ସ୍ରୋତରେ ଭାସିଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଦମକଳ ବାହିନୀଙ୍କୁ ଫୋନ୍‌ କରିଥିଲେ। ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଗଗନବିହାରୀଙ୍କୁ ଖୋଜାଖୋଜି କରିଥିଲେ। ମାତ୍ର ରାତି ୮ଟା ସୁଦ୍ଧା ଗଗନଙ୍କର କୌଣସି ପତ୍ତା ମିଳିନାହିଁ। ଗଗନ ନୂଆନଈ ପାଣିକୁ ଡେଇଁବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ଅନ୍ୟପକ୍ଷରେ, ଏହି ଘଟଣା ପ୍ରଚାର ହେବା ମାତ୍ରକେ ପୁରୀ କୋଣାର୍କ ମେରାଇନ ଡ୍ରାଇଭ ରୋଡ୍‌ର ନୂଆନଈ ପୋଲ ଉପରେ ପ୍ରବଳ ଜନସମାଗମ ହୋଇଥିଲା। ଖବର ପାଇ ପେଣ୍ଠକଟା ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାଫିକ୍‌ ନିୟନ୍ତ୍ରଣ କରିବାରେ ନାକେଦମ ହୋଇଥିଲା।

ସମ୍ବନ୍ଧିତ ଖବର