ଆର୍‌ଏସ୍‌ପିର ବାଟ ଓଗାଳିଲେ

ରାଉରକେଲା : ମୋଟର ଯାନ ପାଇଁ ଆବଶ୍ୟକ ସ୍ୱତନ୍ତ୍ର ମାନର ଇସ୍ପାତ (ଅଟୋ ଗ୍ରେଡ୍‌ ଷ୍ଟିଲ୍‌) ଉତ୍ପାଦନ ନିମନ୍ତେ ଭାରତୀୟ ଇସ୍ପାତ ପ୍ରାଧିକରଣ ଓ ବିଶ୍ୱର ଏକ ନମ୍ବର ଇସ୍ପାତ ଉତ୍ପାଦନକାରୀ ଆର୍ସେଲର୍‌-ମିତ୍ତଲ ମଧ୍ୟରେ ଖୁବଶୀଘ୍ର ଯୁଗ୍ମ ଉଦ୍ୟୋଗ ଚୁକ୍ତି ସ୍ୱାକ୍ଷର ହେବ। ‘ବ୍ଲୁମ୍‌ବର୍ଗ’ ଓ୍ଵବ୍‌ସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଋଣଗ୍ରସ୍ତ ଭୁଷଣ ଷ୍ଟିଲ୍‌ ଓ ଏସାର ଷ୍ଟିଲ୍‌ର ଓଡ଼ିଶା ପ୍ଲାଣ୍ଟ କିଣିବା ପାଇଁ ଦୌଡ଼ରେ ଥିବା ଆର୍ସେଲର୍‌-ମିତ୍ତଲ ଯୁଗ୍ମ ଉଦ୍ୟୋଗ ଚୁକ୍ତି ପାଇଁ ଆରୋପ କରିଥିବା ସର୍ତ୍ତଗୁଡ଼ିକ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ଦ୍ୱାରା ଆପାତତଃ ଗ୍ରହଣୀୟ ହୋଇଛି। ଆସନ୍ତା ସପ୍ତାହରେ ହେବାକୁ ଥିବା ସେଲ୍‌ ବୋର୍ଡ଼ ବୈଠକରେ ଏହା ଅନୁମୋଦନ ଲାଭ କରିବା ସମ୍ଭାବନା ଅଛି।

ତେବେ ୬୦୦୦ କୋଟି ଟଙ୍କା (୯୨.୯୦ କୋଟି ଡଲାର୍‌) ନିବେଶରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ଅଞ୍ଚଳରେ ପ୍ରସ୍ତାବିତ ପ୍ଲାଣ୍ଟ ସ୍ଥାପନ ହେବ ବୋଲି ଯେଉଁ ଆଶା ସଞ୍ଚାର ହୋଇଥିଲା, ତାହା କ୍ରମଶଃ କ୍ଷୀଣ ହେବାରେ ଲାଗିଛି। କାରଣ ଯୁଗ୍ମ ଉଦ୍ୟୋଗ ଚୁକ୍ତି ପୂର୍ବରୁ ନିଜ ରାଜ୍ୟରେ ପ୍ରସ୍ତାବିତ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ଗୁଜରାଟ ଓ ଟିଡ଼ିପି-ବିଜେପି ମେଣ୍ଟ ଶାସିତ ଆନ୍ଧ୍ର ପ୍ରଦେଶ ସରକାର ଲବି ଜୋରଦାର କରିଛନ୍ତି। ଏପରିକି ଆସନ୍ତା ତିନି ମାସ ମଧ୍ୟରେ ସେଲ୍‌-ମିତ୍ତଲ ଯୁଗ୍ମ ପ୍ରତିନିଧି ଦଳ ଉଭୟ ରାଜ୍ୟ ଗସ୍ତ କରି ପ୍ରସ୍ତାବିତ ପ୍ରକଳ୍ପ ସ୍ଥଳ ସ୍ଥିର କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅପର ପକ୍ଷରେ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଆର୍‌ଏସ୍‌ପି ଅଞ୍ଚଳ ସବୁ ଦୃଷ୍ଟିରୁ ପ୍ରକୃଷ୍ଟ ସ୍ଥାନ ହୋଇଥିଲେ ହେଁ ଓଡ଼ିଶା ସରକାର କିମ୍ବା ରାଜ୍ୟ ବିଜେପି ନେତାମାନଙ୍କ ପ୍ରଭାବ ନଥିବାରୁ ଏହି ସୁଯୋଗ ହାତଛଡ଼ା ହେବା ଆଶଙ୍କା ଘନୀଭୂତ ହୋଇଛି।

ଉଳ୍ଲେଖଯୋଗ୍ୟ, ଏକଦା ଆର୍‌ଏସ୍‌ପି ପାଇଁ ଅଧିଗୃହୀତ ଜମିରୁ ଏବେ ୧୧,୦୬୩ ଏକର ଅବ୍ୟବହୃତ ଥିବା ବେଳେ ଆର୍‌ଏସ୍‌ପି ପରିସର ମଧ୍ୟରେ ଏକାଧିକ ନୂଆ ଷ୍ଟିଲ୍‌ ମିଲ୍‌ ସ୍ଥାପନ ଲାଗି ଜମିର ଅଭାବ ନାହିଁ। ତେଣୁ ଏଠାରେ ପ୍ରସ୍ତାବିତ ଯୁଗ୍ମ ଉଦ୍ୟୋଗ ପ୍ରକଳ୍ପ ସ୍ଥାପନ ପାଇଁ ବ୍ୟୟବହୁଳ ଜମି ଅଧିଗ୍ରହଣ ଅନାବଶ୍ୟକ। ଅପର ପକ୍ଷରେ ବଜାର ଚାହିଦାକୁ ଦେଖି ବିଭିନ୍ନ ଉଚ୍ଚ ତଥା ସ୍ୱତନ୍ତ୍ର ମାନର ଇସ୍ପାତ ଉତ୍ପାଦନ କରି ଆର୍‌ଏସ୍‌ପି ଖ୍ୟାତି ଓ ବ୍ୟବସାୟିକ ସଫଳତା ଅର୍ଜନ କରିଛି। ସେହିପରି ଉତ୍ତର-ପୂର୍ବ ଓ ପଶ୍ଚିମ ଭାରତକୁ ଉତ୍ପାଦ ପରିବହନ ଲାଗି ଏଠାରୁ ନିରନ୍ତର ରେଳ ସେବା ଥିବା ବେଳେ ଆଗାମୀ ଦିନରେ ବନ୍ଦର ସଂଯୋଗ ସମ୍ଭାବନା ମଧ୍ୟ ଅଛି। ଏସବୁ ସତ୍ତ୍ୱେ ଲବି ନଥିବାରୁ ରାଜ୍ୟ ତଥା ଆର୍‌ଏସ୍‌ପି ସେଲ୍‌-ମିତ୍ତଲ ଯୁଗ୍ମ ଉଦ୍ୟୋଗ ପ୍ରକଳ୍ପରୁ ବଞ୍ଚିତ ହେଉଥିବାରୁ ବୁଦ୍ଧିଜୀବୀ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଟଣା ତହସିଲ୍‌ରେ ୪୦ ହଜାର କୋଟି ଟଙ୍କା ବିନିଯୋଗରେ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ୨୦୦୫ରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର କରିଥିବା ଆର୍ସେଲର୍‌-ମିତ୍ତଲ ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ ୨୦୧୪ରେ ଓଡ଼ିଶା ପ୍ରକଳ୍ପରୁ ଓହରିଯାଇଥିଲା। ଏହାର ବର୍ଷେ ପରେ ୨୦୧୫ ମେ’ରେ ଅଟୋ ଗ୍ରେଡ୍‌ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ ଲକ୍ଷ୍ୟରେ କମ୍ପାନି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍‌ ସହ ଏମ୍‌ଓୟୁ ସ୍ୱାକ୍ଷର କରିଥିଲା। ତେବେ ବ୍ୟାବସାୟିକ ସର୍ତ୍ତକୁ ନେଇ ଉଭୟ ପକ୍ଷ ମଧ୍ୟରେ ପ୍ରାୟ ଅଢ଼େଇ ବର୍ଷ ଧରି ଟଣା-ଓଟରା ଚାଲିବା ପରେ ମିତ୍ତଲ ସର୍ତ୍ତକୁ ସେଲ୍‌ କର୍ତ୍ତୃପକ୍ଷ ଗ୍ରହଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର