ପାଣିରେ ପଡ଼ିଲା ନାଲ୍‌କୋର ୫୦କୋଟି

ଉଦ୍‌ଘାଟନ ଦିନଠୁ ସୋକାଷ୍ଟିଂ ପ୍ରକଳ୍ପ ଅଚଳ, ମେସିନ୍‌ର ୱାରେଣ୍ଟି ସରିଲା ପଛେ ଉତ୍ପାଦନ ନୋହିଲା

ନାଲକୋନଗର : କୋଟିଏ କି ଦୁଇ କୋଟି ନୁହେଁ, ପ୍ରାୟ ୫୦କୋଟି ଟଙ୍କାର ପ୍ରକଳ୍ପକୁ ଅଚଳ କରି ରଖିଛି ନବରତ୍ନ କମ୍ପାନି ନାଲ୍‌କୋ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଆଲୁମିନିୟମ୍‌ରୁ ନୂଆ ଉତ୍ପାଦ ତିଆରି କରିବା ଲକ୍ଷ୍ୟରେ ନାଲ୍‌କୋ ଏ ଟଙ୍କା ଖର୍ଚ୍ଚ କରି କାରଖାନା ଭିତରେ ନୂଆ ମେସିନ୍‌ ସବୁ ଖଞ୍ଜିଥିଲା। କିନ୍ତୁ, କାରଖାନା କର୍ତୃପକ୍ଷଙ୍କ ଦୂରଦୃଷ୍ଟିର ଅଭାବ ପାଇଁ ଏ ପ୍ରକଳ୍ପ ଉଦ୍‌ଘାଟନ ଦିନଠୁ ଆଣ୍ଠେଇଛି। ଏତେଗୁଡ଼ାଏ ଟଙ୍କା ପାଣିରେ ପଡ଼ିଛି।

ସୂଚନା ମୁତାବକ, ତରଳ ଆଲୁମିନିୟମ୍‌ରୁ ନାଲ୍‌କୋ ଯେଉଁ ୮ପ୍ରକାରର ଆଲୁମିନିୟମ୍‌ ଉତ୍ପାଦ ତିଆରି କରେ, ସେଥିରୁ ୬୫୦ କେଜି ବିଶିଷ୍ଟ ସୋ-ଇନ୍‌ଗଟ୍‌ ଉତ୍ପାଦ ଅନ୍ୟତମ। ଯାହା ସେତେବେଳେ ବଜାରରେ ବେଶ୍ ଚାହିଦା ଥିଲା। ନାଲ୍‌କୋ କର୍ତୃପକ୍ଷ ଏ ଉତ୍ପାଦକୁ ମାନୁଆଲି ପ୍ରସ୍ତୁତ କରୁଥିଲେ। ଏହି ପ୍ରକ୍ରିୟାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ସ୍ବୟଂଚାଳିତ କରିବା ପାଇଁ ୨୦୧୧ମସିହାରେ ନାଲ୍‌କୋ କର୍ତୃପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ। ମେକାନାଇଜିଂ ସୋକାଷ୍ଟିଂ(ଅଟୋମେଟିକ୍‌) ପ୍ଲାଣ୍ଟ୍‌ ସ୍ଥାପନ ପାଇଁ ମେସିନ୍‌ ସବୁ ଅଣାଯାଇଥିଲା। ମେସିନ୍‌ ବାବଦକୁ ସେଥିରେ ପ୍ରାୟ ୪୨କୋଟି ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବାବଦକୁ ଅତିରିକ୍ତ ୭କୋଟି ଟଙ୍କା ସେଥିରେ ଖର୍ଚ୍ଚ କରାଗଲା। ତା ବାଦ୍‌ ବି ଅନ୍ୟାନ୍ୟ ସରଞ୍ଜାମ ବାବଦରେ ଟଙ୍କା ଶ୍ରାଦ୍ଧ କରାଗଲା। ଏ ପ୍ରକଳ୍ପରୁ ୬୫୦କେଜି ବିଶିଷ୍ଟ ମୋଟ୍ ୫ଟନ୍‌ର ଜିନିଷ ବାହାର କରିବା ଭଳି କ୍ଷମତା ରହିଥିଲା। ଦୁଇବର୍ଷ ମଧ୍ୟରେ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରହିଥିଲା। କିନ୍ତୁ, ମେସିନ୍‌ ଖଞ୍ଜିଲା ବେଳକୁ ୫ବର୍ଷ ଗଡ଼ିଗଲା। ୨୦୧୬ମସିହାରେ ପ୍ରକଳ୍ପ କାମ ସରିଲା ପରେ ନାଲ୍‌କୋର ତତ୍କାଳୀନ ସିଏମ୍‌ଡି ଅଂଶୁମାନ ଦାସ ଏ ପ୍ରକଳ୍ପକୁ ଉଦ୍‌ଘାଟନ କରିବାକୁ ଆସିଥିଲେ। କିନ୍ତୁ, ଆରମ୍ଭରୁ ହିଁ ଏ ପ୍ରକଳ୍ପ ବିପଦର ସଂକେତ ଦେଇଥିଲା। ଉଦ୍‌ଘାଟନ ସମୟରେ କୌଣସି କାରଣରୁ ଛୋଟ ବିସ୍ଫୋରଣ ଘଟିଲା। ସେଥିରେ ସିଏମ୍‌ଡି ଶ୍ରୀ ଦାସଙ୍କ ସମେତ ଦୁଇ ଜଣ ଶ୍ରମିକ ଆହତ ହୋଇଥିଲେ। ସେବେଠାରୁ ଏ ପ୍ରକଳ୍ପରେ ଅଶୁଭ ଛାୟା ଲାଗିଛି। ଗଲା ସାତ ବର୍ଷ ହେଲା ପ୍ରକଳ୍ପ ଅଚଳ ହୋଇପଡ଼ିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନୂଆରୁ ଅଚଳ ହୋଇପଡ଼ିଥିବା ଏ ମେସିନ୍‌ର ୱାରେଣ୍ଟି ଇତିମଧ୍ୟରେ ସରି ଆସିଲାଣି। ତାକୁ ପୁଣି ଥରେ ଚଳାଇବା ବି ବ୍ୟୟବହୁଳ ବୋଲି କୁହାଯାଉଛି।

ଏମିତି ଟଙ୍କାର ଅପବ୍ୟବହାର ଘଟଣାକୁ ଶ୍ରମିକ ସଂଗଠନ ବି ସମାଲୋଚନା କରିଛି। ନାଲ୍‌କୋ ଏମ୍ପ୍ଲୋଇଜ୍‌ ସଂଘର ସଭାପତି ନିର୍ମଳ ସାମଲ ଏ ପ୍ରସଙ୍ଗରେ କହିଛନ୍ତି, ଏତେ ଅର୍ଥ ବ୍ୟୟ ସତ୍ତ୍ବେ ପ୍ଲାଣ୍ଟକୁ କାର୍ଯ୍ୟକ୍ଷମ କରା ନ ଯିବା ଚିନ୍ତାର ବିଷୟ। ଉତ୍ପାଦନରେ ସହାୟକ ହେବା ନିମନ୍ତେ ପ୍ଲାଣ୍ଟ ବସାଯାଇଥିଲା। ଏଥିରେ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଉଦ୍‌ଘାଟନ ବେଳେ ଛୋଟ ବିସ୍ଫୋରଣ ଘଟିଲା। ତା ପରଠାରୁ ଏହା ଅଚଳାବସ୍ଥାରେ ରହିଛି। ଇତିମଧ୍ୟରେ ୭ବର୍ଷ ବିତିଗଲାଣି। ଏ ପ୍ରକଳ୍ପ ଆଉ ଚାଲିବ କି ନାହିଁ ତାହା ନେଇ ମଧ୍ୟ ପ୍ରଶ୍ନବାଚୀ ବୋଲି ଶ୍ରୀ ସାମଲ ପ୍ରକାଶ କରିଛନ୍ତି।

କିନ୍ତୁ, ପ୍ରକଳ୍ପ ଅଚଳର ଭିନ୍ନକାରଣ ଦର୍ଶାଇଛନ୍ତି ନାଲ୍‌କୋ ସ୍ମେଲ୍‌ଟର କାଷ୍ଟହାଉସ୍‌ ‘ଏ ଏବଂ ‘ବିର ମହାପ୍ରବନ୍ଧକ ପର୍ଶୁରାମ ହେମ୍ବ୍ରମ୍‌। କହିଛନ୍ତି, ଏ ପ୍ରକଳ୍ପରୁ ୬୫୦କେଜିର ଉତ୍ପାଦ ବାହାରିବାର ଥିଲା। କିନ୍ତୁ, ଏ ଉତ୍ପାଦ ବର୍ତ୍ତମାନ ବଜାରରେ ଏତେଟା ଚାହିଦା ନାହିଁ। ତେଣୁ, ତାକୁ ବନ୍ଦ କରାଯାଇଥିଲା। ଖୁବ୍‌ଶୀଘ୍ର ତାକୁ ପୁଣି ଥରେ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀ ହେମ୍ବ୍ରମ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର