୧୮ ତାରିଖରୁ ପୁରୀର ସବୁ ମଦଦୋକାନ ବନ୍ଦ

ଖୋଲିଲା ଅବକାରୀ ବିଭାଗର ୨୪ ଘଣ୍ଟିଆ କଣ୍ଟ୍ରୋଲ୍‌ ରୁମ୍‌

ପୁରୀ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ରଥଯାତ୍ରା ସମୟରେ ପୁରୀରେ ସମସ୍ତ ମଦ ଦୋକାନକୁ ସିଲ୍‌ କରାଯିବ। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆସନ୍ତା ୧୮ ତାରିଖ ରାତିରୁ ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଅବକାରୀ ବିଭାଗ ପକ୍ଷରୁ ସହରର ସମସ୍ତ ମଦଦୋକାନଗୁଡ଼ିକୁ ସିଲ୍‌ କରାଯିବ। ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳର ୧୮ଟି ଠିପି ବନ୍ଦ ମଦଦୋକାନ ଓ ୧୬ଟି ଠିପି ଖୋଲା ମଦ ଦୋକାନ ରଥଯାତ୍ରା ପାଇଁ ଗତ ୧୮ ତାରିଖ ରାତିରୁ ବନ୍ଦ ହୋଇ ଶ୍ରୀଜିଉମାନଙ୍କ ରଥ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଖୋଲିବାକୁ ନିର୍ଦ୍ଦେଶ ରହିଛି। ସେହିପରି ବାହୁଡ଼ା ଯାତ୍ରା ପାଇଁ ୨୬ ତାରିଖ ରାତିରୁ ଏହି ମଦ ଦୋକାନ ବନ୍ଦ କରାଯାଇ ସୁନାବେଶ ପରଦିନ ଖୋଲିବ।

ଜିଲ୍ଲାରେ ବେଆଇନ୍‌ ନିଶା କାରବାର ଉପରେ ନଜର ରଖିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ବାରାକ୍‌ରେ ଏକ କଣ୍ଟ୍ରୋଲ୍‌ ରୁମ୍‌ ଖୋଲାଯାଇଛି। ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିପାଇଁ ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନେତୃତ୍ବରେ ଦୁଇଟି ଟିମ୍‌ ସର୍ବଦା ପାଟ୍ରୋଲିଂ କରି ବେଆଇନ ମଦ, ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍‌ସୁଗାର୍‌ ବିକ୍ରି ରୋକିବ ବୋଲି ସୂଚନା ମିଳିଛି। ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ନେତୃତ୍ବରେ ଇନସ୍‌ପେକ୍ଟର ମାନସୀ ସାହୁ ଓ ଇନସ୍‌ପେକ୍ଟର ପାର୍ଥସାରଥୀ ରାଉତ, ୬ ଜଣ ଅବକାରୀ ସବ୍‌ଇନସ୍‌ପେକ୍ଟର, ୧୩ ଜଣ ଏଏସ୍ଆଇଓ ୨୯ ଜଣ କନେଷ୍ଟବଳଙ୍କୁ ନେଇ ୪ଟି ଟିମ୍‌ ଗଠନ କରାଯାଇଛି। ଏମାନେ ଏହି କଣ୍ଟ୍ରୋଲ ରୁମ୍‌ରେ ୨୪ ଘଣ୍ଟିଆ ଡ୍ୟୁଟି କରି ପାଟ୍ରୋଲିଂ ଓ ଯାଞ୍ଚ ଆଦି କରିବେ। ବିଶେଷ କରି ରାତିରେ ଏହି ଟିମ୍‌ ପୁରୀ ଜିଲ୍ଲାର ସମସ୍ତ ପ୍ରବେଶ ପଥ ଯଥା ସାତପଡ଼ା, ଜଗନ୍ନାଥ ସଡ଼କର ରାମେଶ୍ବର, ପିପିଲି ରାସ୍ତାର ଉତ୍ତରା ଛକ ଆଦି ମୁଖ୍ୟ ରାସ୍ତାରେ ନଜର ରଖିବା ସହ ଏହି ମୁଖ୍ୟ ରାସ୍ତାମାନଙ୍କରେ ପାଟ୍ରୋଲିଂ କରିବେ ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର