‘ସମ୍ବାଦ’, ‘କନକ ନ୍ୟୁଜ୍‌’ ବିତର୍କ : ରାଜ୍ୟସ୍ତରୀୟ ବିତର୍କରେ ଚନ୍ଦନ ଗିରି ପ୍ରଥମ

ଭୁବନେଶ୍ବର : ତର୍କରେ ଚାଲିଥିଲା କଡ଼ା ଟକ୍କର। ପରସ୍ପରକୁ କାଟିବା ପାଇଁ ଛାତ୍ରଛାତ୍ରୀ ବଖାଣୁଥିଲେ ଅକାଟ୍ୟ ଯୁକ୍ତି। କିଏ ଉପସ୍ଥାପନାରେ ବିଭୋର କରୁଥିଲା ତ କିଏ ତଥ୍ୟ ସମ୍ବଳିତ ଉକ୍ତି ରଖି ରୋମାଞ୍ଚ ଭରୁଥିଲା। ‘ସମ୍ବାଦ’ର ୩୫ତମ ଜନ୍ମ ବାର୍ଷିକ ଅବସରରେ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ‘ବିତର୍କ ପ୍ରତିଯୋଗିତା’ ସୃଷ୍ଟି କରିଥିଲା ଏମିତି ଏକ ଅବକାଶ। ପୂର୍ବରୁ ୯ଟି ‌ଜୋନ୍‌ରେ ଆୟୋଜିତ ପ୍ରାରମ୍ଭିକ ପ୍ରତିଯୋଗିତାରୁ ୨୬ଜଣ କୃତୀ ପ୍ରତିଯୋଗୀ ଆଜିର ଚୂଡ଼ାନ୍ତ ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ।

ପ୍ରତିଯୋଗିତାର ବିଷୟବସ୍ତୁ ଥିଲା, ‘ଗୋଟିଏ ଦେଶ, ଗୋଟିଏ ଭାଷା ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିବ’। ମୟୂରଭଂଜର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଛାତ୍ର ଚନ୍ଦନ କୁମାର ଗିରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ରାଉରକେଲା ଉତ୍କଳମଣି ସରକାରୀ ହୋମିଓପାଥିକ୍‌ କଲେଜ୍‌ର ଛାତ୍ରୀ ତେଜସ୍ବିନୀ ମିଶ୍ର ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଭୁବନେଶ୍ବରର ରମାଦେବୀ ମହିଳା ବିଶ୍ବ୍ବବିଦ୍ୟାଳୟର ଛାତ୍ରୀ ମୋନାଲି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ଅର୍ଥମନ୍ତ୍ରୀ ତଥା ଲେଖକ ପଞ୍ଚାନନ କାନୁନ୍‌ଗୋ ଏବଂ ବିଶିଷ୍ଟ ରାଜନୀତିଜ୍ଞ ତଥା ପୂର୍ବତନ ସାଂସଦ ମହାମେଘବାହନ ଐର ଖାରବେଳ ସ୍ବାଇଁ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀଙ୍କ ତର୍କର ମୂଲ୍ୟାୟନ କରିବା ସହ ତର୍କ ପ୍ରତିଯୋଗିତା ସମ୍ବନ୍ଧୀୟ ମୂଲ୍ୟବାନ ପରାମର୍ଶ ଦେଇଥିଲେ।

ପ୍ରତିଯୋଗୀବୃନ୍ଦ ନିର୍ଧାରିତ ବିଷୟବସ୍ତୁର ଉଭୟ ସପକ୍ଷ ଓ ବିପକ୍ଷରେ ମତ ରଖିଥିଲେ। ସପକ୍ଷରେ ମତ ରଖି ପ୍ରତିଯୋଗୀମାନେ କହିଲେ, ଦେଶର ଅଖଣ୍ଡତା ଓ ସମ୍ପର୍କକୁ ମଜଭୁତ କରିବା ପାଇଁ ଗୋଟିଏ ଭାଷା ହିଁ ସହାୟକ ହୁଏ। ଭାଷାରେ ବିବିଧତା ଯୋଗୁଁ ଅନେକ ସମୟରେ ଜଣେ ଅନ୍ୟ ଜଣକ ସହ କଥା ହେବାରେ ସମସ୍ୟା ଉପୁଜେ। ବିବିଧତାକୁ କେନ୍ଦ୍ର କରି ବେଳେବେଳେ ବିଭେଦତା ଓ କନ୍ଦଳ ସୃଷ୍ଟି ହେଉଛି। ତେଣୁ ଗୋଟିଏ ଦେଶ ଗୋଟିଏ ଭାଷା ଭାରତୀୟ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ଼ କରିପାରିବ ବୋଲି କିଛି ପ୍ରତିଯୋଗୀ ଯୁକ୍ତି ବାଢ଼ିଥିଲେ।

ବିଷୟବସ୍ତୁର ବିପକ୍ଷରେ ମତ ରଖିଥିବା ପ୍ରତିଯୋଗୀମାନେ କହିଲେ, ବିଭିନ୍ନତା ଆମ ଦେଶର ବୈଶିଷ୍ଟ୍ୟ। ଗୋଟିଏ ଦେଶର ସଂସ୍କୃତି, ଐତିହ୍ୟ, ଗରିମା ହିଁ ଦେଶକୁ ବିଶ୍ବରେ ପ୍ରତିଷ୍ଠା ଦିଏ। ନିଜ ଭାଷାରେ ହିଁ ଜଣେ ନିଜର ଭାବକୁ ଆବେଗର ସହ ବ୍ୟକ୍ତ କରିପାରେ। ଏମିତିରେ ସୁଦୃଢ଼ ସଂଘୀୟ ବ୍ୟବସ୍ଥା ହେଉଛି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉତ୍ତମ ସମନ୍ବୟର ଫଳଶ୍ରୁତି। କୌଣସି ଭାଷା କେବେ ଉନ୍ନତିର ପ୍ରତିରୋଧ କରିପାରିବ ନାହିଁ, ବରଂ ଗୋଟିଏ ଭାଷାର ବ୍ୟବହାର ଅନ୍ୟ ଆଞ୍ଚଳିକ ଭାଷା ପ୍ରତି ଅପମାନ ସଦୃଶ ହେବ ବୋଲି ପ୍ରତିଯୋଗୀମାନେ ଯୁକ୍ତି ବାଢ଼ିଥିଲେ।

ଭାଷାବିତ୍‌ ଡ. ପଟ୍ଟନାୟକ ଅଭିଭାଷଣରେ କହିଲେ, ଆମେ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ବାର୍ଷିକ ପାଳନ କରୁଛେ। ମାତ୍ର ତାଙ୍କ ମତବାଦକୁ ସ୍ବାଧୀନତା ପରେ ଅଳିଆ ଗଦାରେ ପକାଇ ଦେଇଛେ। ଗାନ୍ଧୀଜୀ କହୁଥିଲେ, ଭାରତର ସଂସ୍କୃତି ୫ ଲକ୍ଷ ଗାଁରେ ବଞ୍ଚିଛି। ମାତ୍ର ଏବେ ସହର ଓ ନଗରକୁ ଯେତିକି ଗୁରୁତ୍ବ ଦିଆଯାଉଛି, ଗ୍ରାମ ସ୍ବରାଜକୁ ସେତିକି ପ୍ରାଧାନ୍ୟ ଦିଆଯାଉ ନାହିଁ। ବାସ୍ତବରେ ଭାରତର ଭିନ୍ନ ଭିନ୍ନ ସଂସ୍କୃତି, ପରମ୍ପରା, ଭାଷାଗତ ବିବିଧତା ପରସ୍ପର ପରିପୂରକ। ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ କାନୁନ୍‌ଗୋ ପ୍ରତିଯୋଗିତା ସମ୍ପର୍କରେ ମତ ରଖି କହିଲେ, ପ୍ରତିଯୋଗୀମାନେ ଅନ୍ତରର ଅନୁଭବକୁ ନେଇ ଯୁକ୍ତି ଦର୍ଶାଇଛନ୍ତି। ଯୁବକମାନଙ୍କ ମଧ୍ୟରେ ପ୍ରତିଭା ଅନ୍ବେଷଣ ପାଇଁ ‘ସମ୍ବାଦ’ର ଏ ପ୍ରୟାସ ସ୍ବାଗତଯୋଗ୍ୟ। ବିଶିଷ୍ଟ ରାଜନୀତିଜ୍ଞ ଶ୍ରୀ ସ୍ବାଇଁ ପ୍ରତିଯୋଗିତା ସମ୍ବନ୍ଧୀୟ ପରାମର୍ଶ ଦେଇ କହିଲେ, ସାଧାରଣ ବକ୍ତୃତା ଓ ବିତର୍କ ପ୍ରତିଯୋଗିତା ଭିନ୍ନ। ଶବ୍ଦ ପ୍ରୟୋଗ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ୍‌। କାହାକୁ ସମ୍ବୋଧନ କରି ସମୟ ଗଡ଼ାଇବା ଅପେକ୍ଷା ସିଧା ବିଷୟ ଉପରେ କହିବା ଉଚିତ୍‌। କହିବା ‌ବେଳେ ମଧ୍ୟ ଉଚିତ୍‌ ଢଙ୍ଗରେ ଛିଡ଼ା ହେବା ଆବଶ୍ୟକ। କାହାକୁ ଆକ୍ଷେପ କରିବା କିମ୍ବା ଦର୍ଶକ କି ଶ୍ରୋତା‌ ବୋଲି ସମ୍ବୋଧନ କରିବା ଉଚିତ୍‌ ନୁହେଁ ବୋଲି ପରାମର୍ଶ ଦେଇଥିଲେ। ଆୟୋ‌ଜିତ ବିତର୍କ ପ୍ରତିଯୋଗିତାକୁ ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ ପରିଚାଳନା କରିଥିଲେ।

ଏହି ଅବସରରେ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନି‌‌ର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ର ପ୍ରକାଶକ ବିଜୟ ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ଫିଚର(ସମ୍ପାଦକ) ତଥା ବିଶିଷ୍ଟ କଥାକାର ଗୌରହରି ଦାସ, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ‘ଆମ ଓଡ଼ିଶା’ ସମ୍ପାଦକ ସ୍ବରାଜ ମିଶ୍ର, ‘ସମ୍ବାଦ’ର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ଓ ‘ସମ୍ବାଦ’ ସମ୍ପାଦକଙ୍କ ଉପଦେ‌ଷ୍ଟା ଶିଶିର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର