ଭଲ ମଣିଷଟିଏ ହୁଅ: ବ୍ରିଜେଶ ରାୟ

ଅନୁଗୁଳରେ ‘ସମ୍ବାଦ’ ମାଟ୍ରିକ୍‌ ଚାମ୍ପିଅନ୍‌ସ ସମ୍ବର୍ଦ୍ଧନା ସମାରୋହ

ଅନୁଗୁଳ : ସଫଳତା ଏକା ଆସେ ନାହିଁ। ଏହା ଅନେକ ଖୁସି ସହିତ ଉତ୍ତରଦାୟିତ୍ବକୁ ବି ବଢ଼ାଇ ଦିଏ। ଚଳିତ ମାଟ୍ରିକ୍‌ ପରୀକ୍ଷାରେ ଜୀବନର ପ୍ରଥମ ସଫଳତାର ସ୍ବାଦ ଚାଖିଥିବା ବିଦ୍ୟାର୍ଥୀମାନେ ଏ ଦାୟିତ୍ବବୋଧକୁ ବୁଝନ୍ତୁ। ପ୍ରଥମ ସଫଳତାକୁ କେମିତି ଦୋହରାଇବେ, ଜୀବନର ଲକ୍ଷ୍ୟ କେମିତି ଧାର୍ଯ୍ୟ କରିବେ ଏବଂ ଅହଂକାରଠୁ ଦୂରେଇ ରହିବେ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ। ‘ସମ୍ବାଦ’ ଅନୁଗୁଳ ସଂସ୍କରଣ ପକ୍ଷରୁ ଆଜି ଆୟୋଜିତ ମାଟ୍ରିକ୍‌ ଚାମ୍ପିଅନ୍‌ସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ତଥା ଅନୁଗୁଳ ପୁଲିସ ଟ୍ରେନିଂ କଲେଜର ଅଧ୍ୟକ୍ଷ ବ୍ରିଜେଶ ରାୟ ମେଧାବୀ ବିଦ୍ୟାର୍ଥୀଙ୍କୁ ଏମିତି ମାର୍ଗଦର୍ଶନ କରିଛନ୍ତି। ନିଜ ଜୀବନ ଅନୁଭୂତିରୁ ତିନୋଟି ପ୍ରସଙ୍ଗକୁ ଗୁରୁତ୍ବ ଦେଇ ସେ କହିଛନ୍ତି, ସଫଳତା ପାଇଁ ଜିତିବାର ଝୁଙ୍କ୍‌ ଯେମିତି ଆବଶ୍ୟକ, ଠିକ୍ ସେମିତି ହାରିବାକୁ ସ୍ବୀକାର କରିବାର ଧୈର୍ଯ୍ୟ ବି ଦରକାର। ନ ହାରି ପାରିଲେ, ଜିତିବାର କୌଣସି ମଜା ମିଳେ ନାହିଁ। ସେହିପରି ସଫଳ ମଣିଷ ଅପେକ୍ଷା ସମାଜରେ ଭଲ ମଣିଷଟିଏ ହେବାକୁ ସେ ଆହ୍ବାନ ଦେଇଛନ୍ତି। ତା ସହିତ ଈଶ୍ବର ବିଶ୍ବାସୀ ହେବାକୁ ସେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ଭଲ ମଣିଷ ହେବାକୁ ଜୀବନବ୍ୟାପୀ ସାଧନା ଦରକାର: ଗୌରହରି ଦାସ
ସମୟର ସଦୁପଯୋଗ କଲେ ଭବିଷ୍ୟତକୁ ବି କିଣି ହେବ: ରଂଜିତ ପ୍ରଧାନ
ବିନୋଦ କହିଲେ, ପରିଶ୍ରମ, ଜ୍ଞାନ ଅର୍ଜନ
ଏବଂ ବିଶ୍ବାସର କୌଣସି ବିକଳ୍ପ ନାହିଁ

‘ସମ୍ବାଦର ସମ୍ପାଦକ(ଫିଚର) ଗୌରହରି ଦାସଙ୍କ ସଭାପତିତ୍ବରେ ହୋଟେଲ୍ ପ୍ରଶାନ୍ତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ରଂଜିତ କୁମାର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ସମ୍ବାଦ’ର ଏ ପ୍ରକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। କହିଥିଲେ, ‘ସମ୍ବାଦ’ର ଏ ପ୍ରକାର ସାମାଜିକ କାର୍ଯ୍ୟକ୍ରମ ଦ୍ବାରା କେବଳ ପିଲାଙ୍କର ପରିଶ୍ରମକୁ ଏକ ସ୍ବୀକୃତି ଦିଆଯାଉ ନାହିଁ, ବରଂ ଭବିଷ୍ୟତ ପିଢ଼ିକୁ ସୁରକ୍ଷା ଦେବା ପାଇଁ ଏକ ବଳିଷ୍ଠ ପ୍ରୟାସ ଚାଲିଛି। ସଫଳତା ଧାରା ବଜାୟ ରଖିବା ପାଇଁ ସମୟ କେତେ ଗୁରୁତ୍ବପୂର୍ଣ୍ଣ ନିଜ ଅଭିଭାଷଣରେ ତାହା ଦର୍ଶାଇଥିଲେ। କହିଥିଲେ, ଅତୀତରେ ଯାହା ଘଟିଗଲା, ତାର କୌଣସି ମୂଲ୍ୟନାହିଁ। ଭବିଷ୍ୟତ କଣ ଘଟିବ ତାହା ବି ଆମକୁ ଜଣାନାହିଁ। ତେଣୁ, ବର୍ତ୍ତମାନ ସମୟ ହେଉଛି ଆମର ସମ୍ପତ୍ତି। ତାର ସଦୁପଯୋଗ କଲେ ଭବିଷ୍ୟତକୁ ବି କିଣି ହେବ। ସେହିପରି ମାଟି, ମା ଓ ମାତୃଭାଷା ପ୍ରତି ସଦା କୃତଜ୍ଞ ରହିବା ସହିତ ମଦ ଓ ମୋବାଇଲ୍‌ଠାରୁ ନିଜକୁ ଦୂରେଇ ରଖିବାକୁ ଶ୍ରୀ ପ୍ରଧାନ ପିଲାଙ୍କୁ ପରାମର୍ଶ ଦେଇଛନ୍ତି।

ଢେଙ୍କାନାଳ ସିନର୍ଜି କଲେଜର ମୁଖ୍ୟ ତଥା ଶିକ୍ଷାବିତ୍‌ ଡ. ବିନୋଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ପ୍ରଚଣ୍ଡ ଆତ୍ମବିଶ୍ବାସର ମନ୍ତ୍ର ଦେଇଥିଲେ। କହିଥିଲେ, ତୁମ ଭବିଷ୍ୟତ ତୁମ ହାତରେ। ଏହାକୁ କେମିତି ଗଢ଼ିବ, ତାହା ତୁମ କଳା କୌଶଳ ଉପରେ ନିର୍ଭର କରେ। ସେଥିପାଇଁ ଧୈର୍ଯ୍ୟ, ସମୟାନୁବର୍ତ୍ତୀ, ଶୃଙ୍ଖଳା, ଲକ୍ଷ୍ୟ, କହି ଶିଖିବାର କଳା, ଶୁଣିବାର କଳା ଆଦି ୧୦ଟି ଗୁଣ ଉପରେ ଡ. ଦାସ ଚର୍ଚ୍ଚା କରିଥିଲେ। ପରିଶ୍ରମ, ଜ୍ଞାନ ଅର୍ଜନ ଏବଂ ବିଶ୍ବାସର କୌଣସି ବିକଳ୍ପ ନାହିଁ। ବିଦ୍ୟାର୍ଥୀମାନେ ନିଜେ ହିଁ ଏହାକୁ ଅର୍ଜନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ସେହିପରି ଅଭିଭାବକଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, କାହା ସହିତ କାହାରିକୁ ତୁଳନା, କାହା ବିରୋଧରେ କାହାର ଅଭିଯୋଗ କରିବା ଜୀବନ ଅଶାନ୍ତିର କାରଣ। ତେଣୁ, ପିଲାଙ୍କ ସହିତ ଏଭଳି ବ୍ୟବହାର ନ କରିବାକୁ ସେ ବାରଣ କରିଛନ୍ତି।

ସଭାପତିତ୍ବ ଭାଷଣରେ ଶ୍ରୀ ଦାସ ମଣିଷ ଜୀବନରେ ଆତ୍ମବିଶ୍ବାସର ଆବଶ୍ୟକତା, ନିଜର ଅସମର୍ଥତାକୁ ସମର୍ଥରେ ପରିଣତ କରିବାର କଳା ଓ ଜଣେ ଭଲ ମଣିଷ ହେବାର ଯାତ୍ରା କେମିତି ହୁଏ, ସଦ୍ୟତମ ଉଦାହରଣ ଜରିଆରେ ବୁଝାଇଥିଲେ। କହିଥିଲେ, ସଫଳ ବ୍ୟକ୍ତିର ଶ୍ରେୟ ନେବାକୁ ବହୁ ଆଗେଇ ଆସିବେ। କିନ୍ତୁ, ବିଫଳତା ହେଲେ ନିଜେ ମୁଣ୍ଡାଇବାକୁ ପଡ଼େ। ସହଜରେ ଜଣେ କେହି ଭଲ ମଣିଷ ହୋଇପାରେନା। ସେଥିପାଇଁ ତାକୁ ଜୀବନବ୍ୟାପୀ ସାଧନା କରିବାକୁ ପଡ଼େ। ପିଲାମାନେ ସେହି ମହତ୍‌ ଯାତ୍ରାର ପଥିକ ହେବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ।

ପ୍ରାରମ୍ଭରେ ‘ସମ୍ବାଦର ଅନୁଗୁଳ ଜିଲ୍ଲା ପ୍ରତିନିଧି ପତିତପାବନ ସାହୁ ସ୍ବାଗତ ଭାଷଣ ଦେଇଥିବା ବେଳେ ଡେସ୍କ୍‌ ଇନ୍‌-ଚାର୍ଜ ପ୍ରଦ୍ୟୁମ୍ନ ରାଉତ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ ଚଳିତ ମାଟ୍ରିକ୍‌ ପରୀକ୍ଷାରେ ୫୫୪ରୁ ଅଧିକ ନମ୍ବର ରଖିଥିବା ମୋଟ୍ ୬୨ଜଣ ବିଦ୍ୟାର୍ଥୀ ଏବଂ ସେମାନଙ୍କର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅନୁଗୁଳ ସଂସ୍କରଣର ବରିଷ୍ଠ ପ୍ରବନ୍ଧକ (ବିଜ୍ଞାପନ) ସୁବାସ ପଟ୍ଟନାୟକ। ଶେଷରେ ‘ସମ୍ବାଦର ପାଳଲହଡ଼ା ପ୍ରତିନିଧି ରଘୁନନ୍ଦନ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର