ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭାବବିହ୍ୱଳ ପରିବେଶ: ୨୪ବର୍ଷ ପରେ ଭାଇକୁ ଫେରିପାଇଲା ଭଉଣୀ

କଟକ  : ଯାଇଛି ତ ଯାଇଛି…। ୨୪ବର୍ଷ ତଳେ ଘରୁ ଚାଲିଯାଇଥିଲା ଯୁକ୍ତ ୨ପଢୁଥିବା ଭାଇ। ଏହାରି ଭିତରେ ବାପା, ମା’ଙ୍କର ମୃତ୍ୟୁ ବି ହୋଇସାରିଛି। ଅନେକ ଖୋଜି ଭାଇକୁ ପାଇ ନଥିବା ଭଉଣୀ କଟକର ଏକ ମଠରେ ରହୁଛନ୍ତି। କିନ୍ତୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ସ୍ବେଚ୍ଛାସେବୀ-ଶବସାଥୀ ଅଭିମନ୍ୟୁ ଦାସଙ୍କ ପ୍ରୟାସ ଯୋଗୁଁ ୨୪ବର୍ଷ ପରେ କର୍କଟ ରୋଗରେ ଚିକିତ୍ସିତ ହେଉଥିବା ହିମାଂଶୁ ମହାରଣା ଓ ତାଙ୍କ ଭଉଣୀ ବବିତାଙ୍କ ସାକ୍ଷାତ ହୋଇପାରିଛି। ସାକ୍ଷାତ ସମୟର ଭାବବିହ୍ବଳ ପରିବେଶ ବୁଧବାର ଦିନ କର୍କଟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା। ଭାଇ-ଭଉଣୀଙ୍କ ମିଳନ ସମୟର ପରିବେଶ ଅନ୍ୟ ରୋଗୀ ଓ ସଂପର୍କୀୟମାନଙ୍କ ଆଖିରେ ଲୁହ ଆଣି ଦେଇଥିଲା।

ସୁନ୍ଦରଗଡ଼ ଜିଲ୍ଳା ବୀରମିତ୍ରପୁର ଅଞ୍ଚଳର ନିରଞ୍ଜନ ମହରଣାଙ୍କ ପରିବାର। ସ୍ତ୍ରୀ, ଗୋଟିଏ ପୁଅ ଓ ଦୁଇଝିଅଙ୍କୁ ନେଇ ଚାଲିଥିଲା ତାଙ୍କ ତେଲଲୁଣର ସଂସାର। ହଠାତ୍‌ ଏକମାତ୍ର ପୁଅ ହିଂମାଶୁ କାହାକୁ କିଛି ନକହି ଯୁକ୍ତ ୨ ପଢିବା ସମୟରେ ୧୯୯୭ ମସିହାରେ ଘରୁ କେଉଁଆଡ଼େ ପଳାଇଥିଲେ। ପରିବାରବର୍ଗ ବିଭିନ୍ନ ସ୍ଥାନ‌ରେ ଖୋଜାଖୋଜି କରିବା ପରେ ବି ତାଙ୍କୁ ନପାଇ ‌ଶେଷରେ ପୁଅ ଆଉ ଏ ଦୁନିଆରେ ନାହିଁ ଭାବି ମନକୁ ବୁଝାଇ ସାରିଥିଲେ। ଏହାରି ଭିତରେ ବଡ ଭଉଣୀର ବାହାଘର ସରି ସେ ରାଜ୍ୟ ବାହାରେ ରହୁଥିବାବେଳେ ନିରଞ୍ଜନ ଓ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇସାରିଛି।

ନିରଞ୍ଜନଙ୍କ ଶ୍ବଶୁର ଘର କଟକର ହରଘାପାଟଣା ଅଞ୍ଚଳରେ। ପୁଅ ହିମାଂଶୁ ଘରୁ ପ୍ରଥମେ ଗୋଆ ଓ ପରେ ମୁମ୍ବାଇ ଚାଲିଯାଇ ସେଠାରେ ଏକ ଜାହାଜରେ କାମ କରୁଥିଲେ। ତେବେ ସେଠାରେ ତାଙ୍କ ଦେହ ଖରାପ ହେବାପରେ ଜଣେ ଓଡ଼ିଆ ଲୋକ ତାଙ୍କୁ ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ ଜାଣିବା ପରେ ନିଜ ଘରେ ରଖିଥିଲେ। କିଛିଦିନ ରହିବା ପରେ ହିମାଂଶୁଙ୍କ ଦେହ ଅଧିକ ଖରାପ ହୋଇଥିଲା ଏବଂ କେହି ଜଣେ ମହିଳା ତାଙ୍କୁ ଚିକିତ୍ସା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରୁ ଭଲ ହୋଇ ଫେରିବା ପରେ ପୁଣି ‌ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଉକ୍ତ ମହିଳା ତାଙ୍କୁ ପୁଣି ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ଆଣି ରାସ୍ତାରେ ଛାଡ଼ି ପଳାଇଥିଲେ। ସେବେଠୁ କର୍କଟ କେନ୍ଦ୍ରରେ ଅଜଣା ରୋଗୀ ଭାବେ ହିଂମାଶୁଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା।

ସ୍ବେଚ୍ଛାସେବୀ ଅଭିମନ୍ୟୁ ପ୍ରାଶାସନିକ ଅଧିକାରୀଙ୍କ ସହିତ କଥା ହୋଇ ତାଙ୍କ ଚିକିତ୍ସା ବ୍ୟବସ୍ଥା କରାଇବା ସହ ସେବାର ଦାୟିତ୍ବ ନେଇଥିଲେ। ତିନିଦିନ ତଳେ ହିମାଂଶୁଙ୍କ ପରିଚୟ ପାଇ ଅଭିମନ୍ୟୁ ତାଙ୍କ ମାମୁଁଘର ସହିତ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନେ ସେଭଳି ତତ୍ପରତା ନ ଦେଖାଇବା ପରେ କଟକ ବଙ୍ଗାଳିସାହିର ଏକ ମଠରେ ଭଉଣୀ ବବିତା ରହୁଥିବା ଜାଣି ତାଙ୍କ ସହିତ ଯୋଗାଯୋଗ କରିଥିଲେ। ଆଜି କର୍କଟ କେନ୍ଦ୍ରରେ ପହଞ୍ଚିଥିଲେ ବବିତା। ଫଳରେ ଦୀର୍ଘ ୨୪ବର୍ଷ ପରେ ଭାଇ-ଭଉଣୀଙ୍କ ଅପୂର୍ବ ସାକ୍ଷାତ ହୋଇଥିଲା। କିନ୍ତୁ ଭଉଣୀ ପାଖରେ ବି ଭାଇର ଚିକିତ୍ସା ପାଇଁ ସମ୍ବଳ ନାହିଁ। କିନ୍ତୁ, ଯେଉଁ ସମ୍ବଳ ଟିକକ ସେ ଫେରିପାଇଛନ୍ତି, ତାହା ହେଉଛି ତାଙ୍କ ଭାଇ। ହେଲେ, ସେ ଜାଣନ୍ତିନି ଆଗକୁ କେଉଁ ରାସ୍ତା ତାଙ୍କୁ ଅପେକ୍ଷା କରିଛି!

ସମ୍ବନ୍ଧିତ ଖବର